Koraput Criminal Arrest:ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ହରିଜନ ଗିରଫ: ୫୦ ଲକ୍ଷରୁ ଊର୍ଦ୍ଧ୍ୱ ସୁନା-ରୁପା ଅଳଙ୍କାର ଜବତ
ପୋଲିସ ଜାଲରେ ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ହରିଜନ। ସୁନା, ରୁପା ସହ ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ନଗଦ ୫୦ ହଜାର ଟଙ୍କା ଜବତ। ଘଟଣାରେ ମୋଟ ୯ ଜଣଙ୍କୁ ଗିରଫ କରିଛି ପୋଲିସ।
କୋରାପୁଟ: ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ହରିଜନଙ୍କୁ ଗିରଫ କରିବା ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ଚୋରି ସାମଗ୍ରୀ, ସୁନା-ରୁପା ଅଳଙ୍କାର, ଦେଶୀ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ। ଏନେଇ ଏଏସପି ମନୋଜ ପୂଜାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଲିସର ସୂଚନା ଅନୁସାରେ, ଟୁନା ହରିଜନଙ୍କ ନିକଟରୁ ପ୍ରାୟ ୨୫୦ ଗ୍ରାମ ସୁନା ଅଳଙ୍କାର ଓ ୧ କେଜି ୧୦୦ ଗ୍ରାମ ରୁପା ଅଳଙ୍କାର ଉଦ୍ଧାର ହୋଇଛି। ଏହାସହ ଗୋଟିଏ ଦେଶୀ ବନ୍ଧୁକ, ୧୮ଟି ଅଫୁଟା ଗୁଳି, ବିଭିନ୍ନ ମାରଣାସ୍ତ୍ର ଏବଂ ନଗଦ ୫୦ ହଜାର ଟଙ୍କା ଜବତ କରାଯାଇଛି। ଟୁନା ହରିଜନଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ଏହି ସମୟରେ ଚୋରି ସାମଗ୍ରୀ ସମ୍ପର୍କରେ ତଥ୍ୟ ହାସଲ କରିବା ସହ ତାଙ୍କ ସହଯୋଗୀମାନଙ୍କୁ ମଧ୍ୟ ଗିରଫ କରିବାରେ ପୋଲିସ ସଫଳ ହୋଇଛି।

ମାମଲାରେ ଟୁନାଙ୍କ ୩ ଜଣ ସହଯୋଗୀଙ୍କ ସମେତ ଚୋରି ସାମଗ୍ରୀ କ୍ରୟ କିମ୍ବା ଗ୍ରହଣ କରିଥିବା ଅନ୍ୟ ୬ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ମୋଟ ୯ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ବୋଲେରୋ, ଗୋଟିଏ କାର, ଗୋଟିଏ ଅଟୋ ଏବଂ ଗୋଟିଏ ବାଇକ୍ ମଧ୍ୟ ଜବତ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ଟୁନା ହରିଜନଙ୍କ ନାମରେ କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ୪୦ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ରହିଛି। ଉଦ୍ଧାର ହୋଇଥିବା ସୁନା ଓ ରୁପା ଅଳଙ୍କାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଏଏସପି ମନୋଜ ପୂଜାରୀ ସୂଚନା ଦେଇଛନ୍ତି। ଚୋରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ, ଏହି ଗ୍ୟାଙ୍ଗ୍ ସହ ଜଡ଼ିତ ଅନ୍ୟ କୌଣସି ବ୍ୟକ୍ତି ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଚଳାଇଛି।
