Trump to Buy Diesel From Russia:ନିର୍ବାଚନ ପୂର୍ବରୁ ମହଙ୍ଗା ମାଡ:ରୁଷରୁ ଡିଜେଲ୍ କିଣିବେ ଟ୍ରମ୍ପ
ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡିଜେଲ୍ ଦର ବୃଦ୍ଧି ଟ୍ରମ୍ପଙ୍କ ଚିନ୍ତା ବଢ଼ାଇଛି। ଏପଟେ ରୁଷଠାରୁ ଡିଜେଲ୍ କିଣିବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ। ଆମେରିକାରେ ଡିଜେଲ୍ ଦର ବୃଦ୍ଧି ଯୋଗୁଁ ଭାରତ ଉପରେ ୧୦୦% ଟାରିଫ୍ ଲଗାଇବାର ଧମକ ଦିଆଯାଇଛି ବୋଲି ଅନ୍ତର୍ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ସେପଟେ ଏହି ଅର୍ଥ ରୁଷ ଯୁଦ୍ଧରେ ବ୍ୟବହାର କରିବା ନେଇ ଅଭିଯୋଗ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି।
ଆମେରିକା:ଆମେରିକାରେ ନଭେମ୍ବର ୩ର ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡିଜେଲ୍ ଦର ବୃଦ୍ଧି ଟ୍ରମ୍ପ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି। ଏହି ପରିସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷଠାରୁ ଡିଜେଲ୍ ଯୋଗାଣ ପାଇଁ ଚୁକ୍ତି କରିଛନ୍ତି। ରୁଷୀୟ ଡିଜେଲ୍ ବିକ୍ରି ଉପରେ କଟକଣାକୁ ୭ ଏପ୍ରିଲ୍ ୨୦୨୭ ପର୍ଯ୍ୟନ୍ତ କୋହଳ କରିଛନ୍ତି ଟ୍ରମ୍ପ। ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ଯୁଦ୍ଧ ପରେ ଆମେରିକାରେ ଡିଜେଲ୍ର ମୂଲ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ସେଠାରେ ଡିଜେଲ୍ ପ୍ରାୟ ୬.୨୮ ଡଲାର୍ ପ୍ରତି ଗ୍ୟାଲନ୍ ଦରରେ ବିକ୍ରି ହେଉଛି, ଯେତେବେଳେ କି ଯୁଦ୍ଧ ପୂର୍ବରୁ ଏହାର ମୂଲ୍ୟ ପ୍ରାୟ ୩.୭୦ ଡଲାର୍ ଥିଲା।
ଟ୍ରମ୍ପ କହିଛନ୍ତି ରୁଷ ତୁରନ୍ତ ୩ ଲକ୍ଷ ଟନ୍ରୁ ଅଧିକ ଡିଜେଲ୍ ଯୋଗାଇବ। ନଭେମ୍ବରରେ ଆଉ ୫ ଲକ୍ଷ ଟନ୍ ଏବଂ ପରେ ୧୦ ଲକ୍ଷ ଟନ୍ ଯୋଗାଣ ହେବ। ରିଫାଇନାରିର ସ୍ଥିତି ଯଦି ଠିକଠାକ ରହେ ତେବେ ଅତିରିକ୍ତ ୩୦ ଲକ୍ଷ ଟନ୍ ମଧ୍ୟ ଆସିପାରେ। ଚାଷୀ, ପଶୁପାଳକ ଓ ଟ୍ରକ୍ ଚାଳକଙ୍କ ପାଇଁ ଇନ୍ଧନ ଦର କମାଇବା ତାଙ୍କ ପ୍ରାଥମିକତା ବୋଲି ଟ୍ରମ୍ପ କହିଛନ୍ତି।
ତେବେ,ଏହି ଚୁକ୍ତିକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବିରୋଧ କରିଛନ୍ତି। ତାଙ୍କ ମତ ଅନୁଯାୟୀ, ଏଥିରୁ ରୁଷକୁ ମିଳୁଥିବା ଅର୍ଥ ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ବ୍ୟବହାର ହେବ। ଶକ୍ତି ବିଶେଷଜ୍ଞ କ୍ଲେଟନ୍ ସିଗେଲ୍ ଓ ମାଇକେଲ୍ ଲିଞ୍ଚ୍ ମଧ୍ୟ କହିଛନ୍ତି, ଏହି ଯୋଗାଣ ଡିଜେଲ୍ ଦରରେ ବଡ଼ ପରିବର୍ତ୍ତନ ଆଣିବା ସମ୍ଭାବନା କମ୍।
ଅନ୍ୟପକ୍ଷରେ, ସେପ୍ଟେମ୍ବର ମାସରେ ଟ୍ରମ୍ପ ଏକ ଆଇନରେ ସ୍ୱାକ୍ଷର କରିଥିଲେ, ଯାହା ଅଧୀନରେ ଋଷିଆଠାରୁ ତେଲ କିଣିବା କାରଣରୁ ଭାରତ ଓ ଚୀନ୍ ଭଳି ଦେଶ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରାଯାଇପାରିବ। ଆଉ ଏବେ ନିଜେ ରୁଷଠାରୁ ଇନ୍ଧନ କିଣିବା ନିଷ୍ପତ୍ତିକୁ ନେଇ ତାଙ୍କ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ଇରାନ୍ ଯୁଦ୍ଧ ଶେଷ ହେଲେ ତେଲ ଦର ଶୀଘ୍ର ହ୍ରାସ ପାଇବ ଏବଂ ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ବୋଲି ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି |
