Ship Crashes Spark Chaos in US : କ୍ରୁଜକୁ ଧକ୍କା ଦେଲା ଟାଙ୍କର
ମୃତ୍ୟୁକୁ ମାତ୍ ଦେଲେ ୧୮୦ ଯାତ୍ରୀ! ଟ୍ୟାଙ୍କର ଧକ୍କାରେ ଥରିଲା କ୍ରୁଜ୍ ବୋଟ୍, ଆମେରିକାରେ ଦୁଇଟି ଭୟଙ୍କର ଜଳପଥ ଦୁର୍ଘଟଣା !

ଆମେରିକାରେ ଜଳପଥରେ ହାହାକାର | ଦୁଇଟି ଭିନ୍ନ ଜଳପଥରେ ଘଟିଛି ଦୁଇଟି ଦୁର୍ଘଟଣା। ମିସିସିପି ନଦୀରେ ଏକ ଟ୍ୟାଙ୍କର ଧକ୍କାରେ ଡକ୍ରେ ଠିଆ ହୋଇଥିବା ରିଭର କ୍ରୁଜ୍ ବୋଟ୍ଟି ଓଲଟିବାକୁ ଲାଗିଥିବା ବେଳେ, ଡେଲାୱେର୍ ନଦୀରେ ଏକ ମାଲବାହୀ ଜାହାଜ ଟାକୋନି-ପାଲମାଇରା ବ୍ରିଜ୍କୁ ଧକ୍କା ଦେଇଛି। ଏହି ଦୁଇଟି ଘଟଣାରେ ଯାତ୍ରୀଙ୍କ ସୁରକ୍ଷା ଓ ଯାତାୟାତକୁ ନେଇ ଚିନ୍ତା ବଢ଼ିଛି।
ଟ୍ୟାଙ୍କର ଧକ୍କାରେ ଓଲଟିବାକୁ ଲାଗିଲା କ୍ରୁଜ୍ ବୋଟ୍
ଗତକାଲି ଆମେରିକାର ମିସିସିପି ନଦୀରେ ନ୍ୟୁ ଅର୍ଲିନ୍ସ ବନ୍ଦର ନିକଟରେ ଘଟିଥିଲା ଏକ ଭୟଙ୍କର ଦୁର୍ଘଟଣା। ନଦୀ କୂଳରେ ଡକ୍ରେ ଠିଆ ହୋଇଥିବା ଏକ ରିଭର କ୍ରୁଜ୍ ବୋଟ୍କୁ ଏକ ବଡ଼ ଟ୍ୟାଙ୍କର ଜୋରଦାର ଧକ୍କା ଦେଇଥିଲା। ଟ୍ୟାଙ୍କରଟି ଷ୍ଟିୟରିଂ ନିୟନ୍ତ୍ରଣ ହରାଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ପ୍ରାୟ ୧୮୦ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିବା କ୍ରୁଜ୍ ବୋଟ୍ଟି ଧକ୍କା ପରେ ପାଣି ଭର୍ତ୍ତି ହେବା ସହ ଓଲଟିବାକୁ ଲାଗିଥିଲା। ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ନ୍ୟୁ ଅର୍ଲିନ୍ସର ମେୟର ହେଲେନା ମୋରେନୋ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମିସିସିପି ନଦୀରେ ଏହା ପ୍ରକୃତରେ ଏକ ଚମତ୍କାର ଘଟଣା। କେହି ନିଖୋଜ ନାହାନ୍ତି। ତାଙ୍କ ସୂଚନା ଅନୁଯାୟୀ, ୩୨ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ନିଆଯାଇଥିଲା। କାହାରି ଅବସ୍ଥା ଗୁରୁତର ନାହିଁ।
ଉଦ୍ଧାର କାର୍ଯ୍ୟରେ ଅନେକ ଜାହାଜ ସାମିଲ
ଘଟଣାର ଭିଡିଓରେ ଦେଖାଯାଇଛି ଯେ, ଆଟଲାଣ୍ଟିକ୍ ଆସଫାଲ୍ଟ (Atlantic Asphalt) ନାମକ ବଡ଼ ଟ୍ୟାଙ୍କରଟି ଡକ୍ରେ ଠିଆ ହୋଇଥିବା କ୍ରୁଜ୍ ବୋଟ୍କୁ ଧକ୍କା ଦେଇଥିଲା। ଏହି ଧକ୍କାରେ ଧାତୁ ଓ କାଚର ଖଣ୍ଡବିଖଣ୍ଡ ହୋଇ ଚାରିଆଡ଼େ ବିଛାଡ଼ି ହୋଇପଡ଼ିଥିଲା | ଉଦ୍ଧାର ଅଭିଯାନ ଚାଲିଥିବା ସମୟରେ ବୋଟ୍ରେ ପାଣି ପଶିବା ଆରମ୍ଭ ହୋଇଥିଲା | ଫଳରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଟଗ୍ବୋଟ୍ ଚାଳକ, ପୋଲିସ, ନିକଟରେ କାମ କରୁଥିବା ଶ୍ରମିକ ଓ ଉଦ୍ଧାରକାରୀ ଦଳ ତୁରନ୍ତ ସହାୟତା ପାଇଁ ପହଞ୍ଚିଥିଲେ | ଅନେକ ଜାହାଜ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା | ପ୍ରାୟ ୧୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଥିବା ନଦୀ ଜଳରୁ ଅନେକ ଲୋକଙ୍କ ସହ ଦୁଇଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା |
କୋଷ୍ଟ ଗାର୍ଡର କ୍ୟାପଟେନ୍ ମେଲାଣି ବର୍ନମ୍ଙ୍କ କହିବା ଅନୁଯାୟୀ, ଟ୍ୟାଙ୍କରଟି ଷ୍ଟିୟରିଂ ନିୟନ୍ତ୍ରଣ ହରାଇଥିବା ଭଳି ମନେହେଉଛି | ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନ୍ୟାଶନାଲ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB) ଘଟଣାର ତଦନ୍ତ କରିବ। ତେବେ ଦେଶବ୍ୟାପୀ ବିମାନ ଚଳାଚଳ ବନ୍ଦ ରହିଥିବାରୁ ତଦନ୍ତକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିପାରିନଥିଲେ |
ଯାତ୍ରୀଙ୍କ ପାଇଁ ରହିବା ଓ ଖାଦ୍ୟ ବ୍ୟବସ୍ଥା
କ୍ରୁଜ୍ କମ୍ପାନୀ ପକ୍ଷରୁ ରୋଲ୍ କଲ୍ କରାଯାଇ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଉପସ୍ଥିତି ନିଶ୍ଚିତ କରାଯାଇଥିଲା | ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ପରିଚୟପତ୍ର, ମୋବାଇଲ୍ ଫୋନ୍ ଓ ଚାବି ହଜିଯାଇଛି | ଅଧିକାଂଶ ଯାତ୍ରୀ ଅନ୍ୟ ସ୍ଥାନରୁ ଆସିଥିବାରୁ ସେମାନଙ୍କ ପାଇଁ ମୋବାଇଲ୍ ଚାର୍ଜର, ଖାଦ୍ୟ, ହୋଟେଲ୍ରେ ରହିବା ଓ ଯାତାୟାତ ବ୍ୟବସ୍ଥା କରାଯାଉଛି ବୋଲି ମେୟର ହେଲେନା ମୋରେନୋ ସୂଚନା ଦେଇଛନ୍ତି | ଅନ୍ୟପଟେ, ଡେଲାୱେର୍ ନଦୀରେ ଗତ ଗୁରୁବାର ଏକ ମାଲବାହୀ ଜାହାଜ ଟାକୋନି-ପାଲମାଇରା ବ୍ରିଜ୍କୁ ଧକ୍କା ଦେଇଥିଲା। ଏହି ଘଟଣା ଯୋଗୁଁ ନ୍ୟୁ ଜର୍ସିର ପାଲମାଇରା ଓ ଫିଲାଡେଲଫିଆ ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି।
ରାଜ୍ୟ ପ୍ରତିନିଧି ଏଡ୍ ନିଲସେନ୍ଙ୍କ ସୂଚନା ଅନୁଯାୟୀ, ଧକ୍କା ଯୋଗୁଁ ୧୧୧୫ ମିଟର ଲମ୍ବ ବିଶିଷ୍ଟ ଟାକୋନି-ପାଲମାଇରା ବ୍ରିଜ୍ରେ ଯାତାୟାତ ବନ୍ଦ କରିବାକୁ ପଡ଼ିଛି। ଫଳରେ ଫିଲାଡେଲଫିଆ ଅଭିମୁଖୀ ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି। ଏହି ଘଟଣାରେ କେହି ଆହତ ହୋଇଥିବା ନେଇ କୌଣସି ଖବର ମିଳିନାହିଁ।
ଜାହାଜର ଯାଞ୍ଚ କରୁଛି କୋଷ୍ଟ ଗାର୍ଡ
ଆମେରିକାର କୋଷ୍ଟ ଗାର୍ଡ ପକ୍ଷରୁ କୁହାଯାଇଛି ଯେ, ମାଲବାହୀ ଜାହାଜଟି ବର୍ତ୍ତମାନ ପେନ୍ସିଲଭାନିଆର ବ୍ରିଷ୍ଟଲ୍ସ୍ଥିତ କିଣ୍ଡର ମୋର୍ଗାନ୍ର ଏକ ପରିସରରେ ରଖାଯାଇଛି। ସେଠାରେ ଏକ ଯାଞ୍ଚକାରୀ ଦଳ ଜାହାଜର ଯାଞ୍ଚ କରୁଛନ୍ତି। ଜାହାଜର ମାଲିକ କିଏ କିମ୍ବା ଏହାର ପରିଚାଳନା କିଏ କରୁଛି, ସେ ସମ୍ପର୍କରେ କୋଷ୍ଟ ଗାର୍ଡ ପକ୍ଷରୁ ଏପର୍ଯ୍ୟନ୍ତ ଅଧିକ କୌଣସି ସୂଚନା ଦିଆଯାଇନାହିଁ।
୨୦୨୫ ମସିହାର ଆକଳନ ଅନୁଯାୟୀ, ଇସ୍ପାତରେ ନିର୍ମିତ ଏହି ବ୍ରିଜ୍ ଦେଇ ପ୍ରତିଦିନ ସର୍ବାଧିକ ୭୬ ହଜାର ୨୦୦ଟି ଯାନବାହନ ଯାତାୟାତ କରିପାରିବ। ଦୁଇଟି ଭିନ୍ନ ଦୁର୍ଘଟଣାରେ ଗୋଟିଏ ପଟେ ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଥିବା ବେଳେ, ଅନ୍ୟପଟେ ବ୍ରିଜ୍ରେ ଧକ୍କା ଯୋଗୁଁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି।
