Deadly Blaze in Phuket : ଫୁକେତରେ ଅଗ୍ନିର ତାଣ୍ଡବ! ନିମିଷକେ ଛାରଖାର ହେଲା ସବୁକିଛି, ୧୧ ମୃତ
ମୁହୂର୍ତ୍ତକର ଅସାବଧାନତା ଛଡ଼ାଇଦେଲା ମୃତ୍ୟୁର ତାଣ୍ଡବ! ହସଖୁସିର ଜୀବନ ମଧ୍ୟରେ ଖେଳିଗଲା ଦୁଃଖର କଳାଛାଇ

ଭୟଙ୍କର ଅଗ୍ନିକାଣ୍ଡରେ ଥରିଲା ଥାଇଲାଣ୍ଡ | ଥାଇଲାଣ୍ଡର ଦକ୍ଷିଣ ଭାଗରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଫୁକେତରେ ଏକ ବାଣିଜ୍ୟିକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଭୋର ପ୍ରାୟ ୩ଟା ୧୭ ମିନିଟ୍ରେ କୋଠାଟିରେ ନିଆଁ ଲାଗିଥିଲା । ଏଠାରେ ଗାଡ଼ି ଭଡ଼ା ଦେବାର ବ୍ୟବସାୟ ଚାଲିଥିଲା। ନିଆଁ ଖୁବ୍ ଶୀଘ୍ର ବ୍ୟାପି ନିକଟସ୍ଥ କୋଠାଗୁଡ଼ିକୁ ମଧ୍ୟ ନିଜ କବଳକୁ ନେଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ପୋଲିସ ଓ ଫରେନସିକ୍ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ଭାବେ ବିଦ୍ୟୁତ୍ ସର୍ଟସର୍କିଟ୍ କିମ୍ବା ବିଦ୍ୟୁତ୍ ସଂଯୋଗରେ ତ୍ରୁଟି ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।
ମୃତାହତଙ୍କ ମଧ୍ୟରେ ନାହାନ୍ତି କୌଣସି ପର୍ଯ୍ୟଟକ
ପୋଲିସର ସୂଚନା ଅନୁସାରେ, ୧୬ ଜଣ ଆହତଙ୍କ ମଧ୍ୟରୁ ୧୫ ଜଣ ଥାଇଲାଣ୍ଡର ନାଗରିକ ହୋଇଥିବାବେଳେ ଜଣେ ମିଆଁମାର (ବର୍ମା)ର ବାସିନ୍ଦା। ତେବେ ମୃତକ ଓ ଆହତଙ୍କ ମଧ୍ୟରେ କୌଣସି ପର୍ଯ୍ୟଟକ ନଥିବା ସ୍ପଷ୍ଟ କରିଛି ପୋଲିସ।ଏହି କୋଠାଟି ଫୁକେତର ପଶ୍ଚିମ ଉପକୂଳରେ ଥିବା ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ପାତୋଙ୍ଗ ନିକଟରେ ଅବସ୍ଥିତ। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ଏହା ଆଖପାଖର କୋଠାଗୁଡ଼ିକୁ ମଧ୍ୟ ବ୍ୟାପି ଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି।
