Trump Plan For New Tariff:ପୁଣି ଥରେ ଟ୍ରମ୍ପଙ୍କ ଟାରିଫ ଟେନସନ
ଅନ୍ତର୍ଜାତୀୟ ବାଣିଜ୍ୟରେ ଆମେରିକାର ସ୍ୱାର୍ଥ ସୁରକ୍ଷା, ଘରୋଇ ଶିଳ୍ପକୁ ସୁରକ୍ଷା, ବିଦେଶୀ ସାମଗ୍ରୀ ଉପରେ ନିୟନ୍ତ୍ରଣ ଏବଂ ବାଣିଜ୍ୟ ଅସନ୍ତୁଳନକୁ କମାଇବା ଉଦ୍ଦେଶ୍ୟରେ ଟ୍ରମ୍ପ ପ୍ରଶାସନ ଟାରିଫ୍କୁ ଏକ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଆମେରିକା ଭାରତର ଏକ ପ୍ରମୁଖ ରପ୍ତାନି ବଜାର। ବସ୍ତ୍ର, ରତ୍ନ ଓ ଅଳଙ୍କାର, ଔଷଧ, ଇଞ୍ଜିନିୟରିଂ ସାମଗ୍ରୀ, ସାମୁଦ୍ରିକ ଉତ୍ପାଦ ଏବଂ ଅନ୍ୟାନ୍ୟ ଶିଳ୍ପଜାତ ଦ୍ରବ୍ୟ ଆମେରିକାକୁ ରପ୍ତାନି ହେଉଥିବାରୁ ନୂଆ ଟାରିଫ୍ର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିପାରେ

ଭାରତ ସମେତ ୧୬ଟି ଟ୍ରେଡିଂ ପାର୍ଟନର ଦେଶ ଉପରେ ଆମେରିକା ଲଦିବ ଟାରିଫ ବୋଝ। ଭାରତ, ଚୀନ, ୟୁରୋପୀୟ ସଂଘ ସମେତ ୧୬ ଦେଶ ଉପରେ ନୂଆ ଟାରିଫ ଲଗାଇବାକୁ ଆମେରିକା ପ୍ରଶାସନ ଚିନ୍ତା କଲାଣି। ଆମେରିକୀୟ ବ୍ୟାପାର ପ୍ରତିନିଧିର ଯୁକ୍ତି ହେଉଛି କି, ଏ ସବୁ ଦେଶରୁ ମିଳୁଥିବା ଉଦ୍ୟୋଗିକ ରିହାତି ଓ ଅତିରିକ୍ତ ଉତ୍ପାଦନ କ୍ଷମତାକୁ ନେଇ ଚାଲିଥିବା ତଦନ୍ତର ନିଷ୍କର୍ସ ଖୁବ ଶୀଘ୍ର ଜାରି କରାଯିବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ନେଇ ପୁଣି ଥରେ ଭାରତ–ଆମେରିକା ବାଣିଜ୍ୟ ସମ୍ପର୍କରେ ଚାପ ସୃଷ୍ଟି ହୋଇଛି। ଅନ୍ତର୍ଜାତୀୟ ବାଣିଜ୍ୟରେ ଆମେରିକାର ସ୍ୱାର୍ଥ ସୁରକ୍ଷା, ଘରୋଇ ଶିଳ୍ପକୁ ସୁରକ୍ଷା, ବିଦେଶୀ ସାମଗ୍ରୀ ଉପରେ ନିୟନ୍ତ୍ରଣ ଏବଂ ବାଣିଜ୍ୟ ଅସନ୍ତୁଳନକୁ କମାଇବା ଉଦ୍ଦେଶ୍ୟରେ ଟ୍ରମ୍ପ ପ୍ରଶାସନ ଟାରିଫ୍କୁ ଏକ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଆମେରିକା ଭାରତର ଏକ ପ୍ରମୁଖ ରପ୍ତାନି ବଜାର। ବସ୍ତ୍ର, ରତ୍ନ ଓ ଅଳଙ୍କାର, ଔଷଧ, ଇଞ୍ଜିନିୟରିଂ ସାମଗ୍ରୀ, ସାମୁଦ୍ରିକ ଉତ୍ପାଦ ଏବଂ ଅନ୍ୟାନ୍ୟ ଶିଳ୍ପଜାତ ଦ୍ରବ୍ୟ ଆମେରିକାକୁ ରପ୍ତାନି ହେଉଥିବାରୁ ନୂଆ ଟାରିଫ୍ର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିପାରେ। ଟ୍ରମ୍ପ ପ୍ରଶାସନ 16ଟି ପ୍ରମୁଖ ବାଣିଜ୍ୟିକ ସହଯୋଗୀ ଦେଶ ଉପରେ ନୂଆ ଟାରିଫ୍ ଲଗାଇବା ପାଇଁ ଏକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଏହି ତାଲିକାରେ ଭାରତ, ଚୀନ୍, ୟୁରୋପୀୟ ସଂଘ, ଜାପାନ, ଦକ୍ଷିଣ କୋରିଆ, ଭିଏତନାମ, ବାଂଲାଦେଶ ଓ ମେକ୍ସିକୋ ଭଳି ଦେଶ ରହିଛନ୍ତି। ଆମେରିକାର ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ (USTR) 1974 ମସିହାର Trade Act ର Section 301 ଅନୁଯାୟୀ ଏହି ତଦନ୍ତ କରୁଛି। Section 301 of the Trade Act of 1974 ହେଉଛି ଆମେରିକାର ଏକ ବାଣିଜ୍ୟିକ ଆଇନ। ଏହି ଆଇନ ଅନୁଯାୟୀ ଆମେରିକା ଅନ୍ୟ ଦେଶର ବାଣିଜ୍ୟିକ ନୀତିକୁ ତଦନ୍ତ କରିପାରିବ, ଯଦି ସେହି ନୀତି ଆମେରିକାର ବାଣିଜ୍ୟିକ ସ୍ୱାର୍ଥ ପାଇଁ କ୍ଷତିକାରକ, ଅନ୍ୟାୟପୂର୍ଣ୍ଣ କିମ୍ୱା ଭେଦଭାବପୂର୍ଣ୍ଣ ବୋଲି ଆମେରିକା ମନେ କରେ। ଏହି ଆଇନ ଅନୁଯାୟୀ ଆମେରିକାର ବାଣିଜ୍ୟ ପ୍ରତିନିଧି ବିଭାଗ ତଦନ୍ତ କରିପାରିବ। ଆଇନଗତ ପ୍ରକ୍ରିୟା ପରେ ଆମଦାନୀ ଶୁଳ୍କ ଭଳି ବାଣିଜ୍ୟିକ ପଦକ୍ଷେପ ନେବା ପାଇଁ ସୁପାରିସ କିମ୍ୱା ପଦକ୍ଷେପ ନେଇପାରିବ। ଟ୍ରମ୍ପ ପ୍ରଶାସନ ଏବେ ଅତ୍ୟଧିକ ଶିଳ୍ପ ଉତ୍ପାଦନ ଏବଂ ସରକାରୀ ସହାୟତା ସମ୍ପର୍କିତ ଅଭିଯୋଗକୁ ନେଇ ଏହି ଆଇନର ବ୍ୟବହାର କରୁଛି। ଆମେରିକାର ଅଭିଯୋଗ ହେଉଛି, କିଛି ଦେଶରେ ସରକାରୀ ସହାୟତା, ସବସିଡି ଓ ଶିଳ୍ପନୀତି ଯୋଗୁଁ ଅତ୍ୟଧିକ ଉତ୍ପାଦନ କ୍ଷମତା ସୃଷ୍ଟି ହେଉଛି। ଏହାଦ୍ୱାରା ବିଦେଶୀ ସାମଗ୍ରୀ ଅଧିକ ପରିମାଣରେ ଓ କମ୍ ଦାମରେ ଆମେରିକୀୟ ବଜାରକୁ ଆସୁଛି, ଯାହା ଆମେରିକାର ଘରୋଇ ଉତ୍ପାଦକଙ୍କ ପାଇଁ କ୍ଷତିକାରକ। ଏହି ତଦନ୍ତର ଫଳାଫଳ ଆସିବା ପରେ ଆମେରିକା ଅତିରିକ୍ତ ଆମଦାନୀ ଶୁଳ୍କ ଲଗାଇବା ପାଇଁ ପ୍ରସ୍ତାବ ଦେଇପାରେ।
କାହିଁକି ଟାରିଫ୍ ଟାର୍ଗେଟ୍ କରୁଛି ଆମେରିକା?
ଟ୍ରମ୍ପ ପ୍ରଶାସନର ମୁଖ୍ୟ ଅଭିଯୋଗ ଓ ଚିନ୍ତା ହେଉଛି ଯେ, କିଛି ଦେଶ ନିଜ ଘରୋଇ ଚାହିଦାଠାରୁ ଅଧିକ ଶିଳ୍ପଜାତ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ବିଦେଶୀ ଉତ୍ପାଦକଙ୍କୁ ସରକାରୀ ସହାୟତା ମିଳିବା ଦ୍ୱାରା ସେମାନେ ଆମେରିକୀୟ ଉତ୍ପାଦକଙ୍କ ତୁଳନାରେ ଅଧିକ ପ୍ରତିଯୋଗିତାମୂଳକ ହୋଇପାରୁଛନ୍ତି ବୋଲି ଆମେରିକା ଦାବି କରୁଛି। କମ୍ ଦାମରେ ଆସୁଥିବା ଆମଦାନୀ ସାମଗ୍ରୀ ଆମେରିକାର ଘରୋଇ ଶିଳ୍ପ, ଉତ୍ପାଦନ ଓ ନିଯୁକ୍ତି ଉପରେ ଚାପ ପକାଉଛି। ଆମେରିକା ଅନ୍ୟ ଦେଶମାନଙ୍କ ସହ ବାଣିଜ୍ୟରେ ନିଜର ସ୍ୱାର୍ଥ ଏବଂ ରପ୍ତାନିକୁ ବଢ଼ାଇବା ପାଇଁ ଚାପ ସୃଷ୍ଟି କରୁଛି। ତେବେ ଭାରତ ନିଜର ଶିଳ୍ପ ଉତ୍ପାଦନକୁ କେବଳ ସରକାରୀ ସବସିଡି ଯୋଗୁଁ ସୃଷ୍ଟି ହୋଇଥିବା ଅତିରିକ୍ତ କ୍ଷମତା ବୋଲି ଦର୍ଶାଇବାକୁ ଅସ୍ୱୀକାର କରିଛି। ଭାରତର ଉତ୍ପାଦନ କ୍ଷମତା ଦେଶର ଚାହିଦା, ଅର୍ଥନୈତିକ ବିକାଶ ଓ ଶିଳ୍ପ ବିସ୍ତାର ସହ ଜଡ଼ିତ ବୋଲି ଭାରତୀୟ ପକ୍ଷର ଯୁକ୍ତି ରହିଛି। ସମ୍ଭାବ୍ୟ ନୂଆ ଟାରିଫ ହାର ୧୫ରୁ ୨୫ ପ୍ରତିଶତ ବଢ଼ିପାରେ ବୋଲି ଆକଳନ କରାଯାଉଛି।
ଭାରତର ବସ୍ତ୍ର ଓ ପୋଷାକ ରପ୍ତାନିକାରୀଙ୍କ ଉପରେ ନୂଆ ଟାରିଫ୍ର ପ୍ରଭାବ ପଡ଼ିପାରେ। ଆମେରିକାରେ ଭାରତୀୟ ପୋଷାକ ଅଧିକ ମହଙ୍ଗା ହେଲେ ଅନ୍ୟ ଦେଶର ଉତ୍ପାଦ ସହ ପ୍ରତିଯୋଗିତା କରିବା କଷ୍ଟକର ହୋଇପାରେ। ହୀରା, ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ରପ୍ତାନି କରୁଥିବା ବ୍ୟବସାୟୀଙ୍କ ଉପରେ ଅଧିକ ଶୁଳ୍କର ଚାପ ପଡ଼ିପାରେ। ରପ୍ତାନି ଅର୍ଡର ଓ ବ୍ୟବସାୟିକ ଲାଭ ହ୍ରାସ ପାଇବାର ଆଶଙ୍କା ରହିଛି। ଯନ୍ତ୍ରପାତି, ଧାତୁ ସାମଗ୍ରୀ, ଶିଳ୍ପଜାତ ଉପକରଣ ଓ ଅନ୍ୟାନ୍ୟ ଇଞ୍ଜିନିୟରିଂ ଉତ୍ପାଦ ଆମେରିକାରେ ଅଧିକ ମୂଲ୍ୟରେ ବିକ୍ରି ହୋଇପାରେ। ଭାରତର ସାମୁଦ୍ରିକ ଉତ୍ପାଦ ଓ ଚିଙ୍ଗୁଡ଼ି ରପ୍ତାନି ଉପରେ ଅଧିକ ଟାରିଫ୍ ଲାଗିଲେ ରପ୍ତାନିକାରୀଙ୍କୁ ନୂଆ ଚାପ ସହିବାକୁ ପଡ଼ିପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଉପକରଣ ଓ ଉତ୍ପାଦନ ସମ୍ପର୍କିତ କିଛି ରପ୍ତାନି ମଧ୍ୟ ନୂଆ ଟାରିଫ୍ର ପ୍ରଭାବରେ ଆସିପାରେ।
ଟାରିଫ ପାଇଁ ଭାରତର ଅର୍ଥନୀତି ଉପରେ କ’ଣ ପ୍ରଭାବ ପଡ଼ିପାରେ?
ଭାରତୀୟ ସାମଗ୍ରୀ ଆମେରିକାରେ ଅଧିକ ମହଙ୍ଗା ହୋଇପାରେ। ଫଳରେ ଭାରତୀୟ ଉତ୍ପାଦର ଚାହିଦା କମିବାର ଆଶଙ୍କା ରହିଛି। ଆମେରିକୀୟ କ୍ରେତାଙ୍କୁ ଧରି ରଖିବା ପାଇଁ ଭାରତୀୟ ବ୍ୟବସାୟୀ ନିଜର ଲାଭ କମାଇବାକୁ ବାଧ୍ୟ ହୋଇପାରନ୍ତି। ରପ୍ତାନି ଆଧାରିତ ଶିଳ୍ପରେ ଅର୍ଡର କମିଲେ କର୍ମଚାରୀଙ୍କ ନିଯୁକ୍ତି ଉପରେ ପ୍ରଭାବ ପଡ଼ିପାରେ। ରପ୍ତାନି ହ୍ରାସ ହେଲେ ଭାରତର ଡଲାର ଆୟ ଉପରେ ଚାପ ପଡ଼ିପାରେ। ବିକଳ୍ପ ଭାବେ ଭାରତୀୟ କମ୍ପାନୀମାନେ ୟୁରୋପ, ମଧ୍ୟପ୍ରାଚ୍ୟ, ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ନୂଆ ବଜାର ଖୋଜିବାକୁ ଚେଷ୍ଟା କରିପାରନ୍ତି। ଏମିତିରେ ଭାରତ ଓ ଆମେରିକା ମଧ୍ୟରେ ଏକ ଅନ୍ତରୀଣ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଚାଲିଛି। କିନ୍ତୁ ଏହି ଆଲୋଚନାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ଦେଖାଦେଇଛି। ଭାରତ ନିଜର ରପ୍ତାନି ସାମଗ୍ରୀ ଉପରେ କମ୍ ଓ ସ୍ଥିର ଟାରିଫ୍ ଚାହୁଁଛି। ବିଶେଷକରି ଅନ୍ୟ ଏସୀୟ ଦେଶମାନଙ୍କ ସହ ପ୍ରତିଯୋଗିତାରେ ଭାରତୀୟ ଉତ୍ପାଦକମାନେ ଯେପରି ପଛରେ ନ ପଡ଼ନ୍ତି, ସେଥିପାଇଁ ଭାରତ ଚେଷ୍ଟା କରୁଛି। ଅନ୍ୟପଟେ ଆମେରିକା ଭାରତର ବଜାର ପ୍ରବେଶ, ବାଣିଜ୍ୟ ନୀତି ଏବଂ ରୁଷଠାରୁ ଭାରତର ଶକ୍ତି କ୍ରୟ ସମ୍ପର୍କିତ ପ୍ରସଙ୍ଗ ଉଠାଇଛି। ମୋଟ୍ ଉପରେ ଚିନ୍ତାରେ ପଡ଼ିପାରେ ଷ୍ଟିଲ୍, ଆଲୁମିନିୟମ, ଇଲେକଟ୍ରିକ ଗାଡ଼ି, ସୋଲାର ଉତ୍ପାଦ ଭଳି ସାମଗ୍ରୀ। ଫେବୃଆରୀ ୨୦୨୬ରେ ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ ପ୍ରଶାସନର ପୂର୍ବର ବ୍ୟାପକ ଶୁଳ୍କକୁ ରଦ୍ଦ କରିଦେଇଥିଲେ। ଏହା ପରେ ଏବେ ଟ୍ରମ୍ପ ପ୍ରଶାସନର ଏହି ନୂଆ ଟାରିଫ ପ୍ରୟାସ ଆରମ୍ଭ ହୋଇଛି।
