Trump hosts China’s Xi: ଟ୍ରମ୍ପ-ଜିନପିଂ ଐତିହାସିକ ସମ୍ମିଳନୀ:ମହାଶକ୍ତି ଦ୍ୱୟଙ୍କ ମଧ୍ୟରେ ମହାମନ୍ଥନ
ୱାଶିଂଟନ ଡିସିଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ର ସର୍ବୋଚ୍ଚ ନେତା ସି ଜିନପିଂଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଦଶ ବର୍ଷରୁ ଅଧିକ ସମୟ ପରେ ଜିନପିଂଙ୍କର ଏହା ପ୍ରଥମ ୱାଶିଂଟନ୍ ଗସ୍ତ।ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ରହିଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ନିୟନ୍ତ୍ରଣ, ତାଇୱାନକୁ ଆମେରିକାର ସାମରିକ ସହାୟତା, ଇରାନ ଯୁଦ୍ଧ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟିକ ତିକ୍ତତା ଭଳି ଜଟିଳ ବିଷୟବସ୍ତୁ |
ୱାଶିଂଟନ୍: ୱାଶିଂଟନ୍ ଡିସିଠାରେ ବିଶ୍ୱର ଦୁଇ ପ୍ରମୁଖ ଆର୍ଥିକ ଓ ସାମରିକ ମହାଶକ୍ତି ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କକୁ ନୂଆ ଦିଗ ଦେବା ପାଇଁ ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ସରକାରୀ ଗସ୍ତରେ ଆସିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଂ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିଲେ ନିମନ୍ତ୍ରଣ | ଗୋଟିଏ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଜିନପିଂଙ୍କର ଏହା ପ୍ରଥମ ୱାଶିଂଟନ୍ ଆଗମନ ହୋଇଥିବା ବେଳେ, ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟିବେ ଦୁଇ ପ୍ରମୁଖ ନେତା |ଏହି ବୈଠକରେ ସବୁଠାରୁ ଆଲୋଚିତ ବିଷୟ ପାଲଟିଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିୟନ୍ତ୍ରଣ ଓ ସୁରକ୍ଷା କଟକଣା। ଟ୍ରମ୍ପ୍ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସ୍ପଷ୍ଟ କରିଛନ୍ତି ଯେ, "AI ବା ସୁପର ଇଣ୍ଟେଲିଜେନ୍ସ ଆମ ଆଲୋଚନାର ମୁଖ୍ୟ ବିଷୟ ହେବ, କିନ୍ତୁ ଏଥିରେ ଆମେରିକାର ଆଧିପତ୍ୟ ବଜାୟ ରହିବ। ଯିଏ AI କ୍ଷେତ୍ରରେ ଆଗେଇବ, ସିଏ ହିଁ ବିଶ୍ୱକୁ ନିୟନ୍ତ୍ରଣ କରିବ।" ସେହିପରି, ତାଇୱାନ ସୁରକ୍ଷାକୁ ନେଇ ମଧ୍ୟ ବଢିଛି ଚିନ୍ତା । ଆମେରିକା ପକ୍ଷରୁ ତାଇୱାନକୁ ୧୪ ବିଲିୟନ ଡଲାରର ସାମରିକ ଅସ୍ତ୍ରଶସ୍ତ୍ରର ଚୁକ୍ତି ବିରୋଧରେ ଚୀନ୍ ଥିଲା ବେଳେ, ଟ୍ରମ୍ପ ଏହାକୁ କୂଟନୈତିକ ଆଲୋଚନାର ଏକ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ତେବେ,ତାଇୱାନ ପ୍ରଶାସନ ଏହି ବୈଠକ ଉପରେ କଡ଼ା ନଜର ରଖିଛି।
ଅନ୍ୟପଟେ, ୱାଶିଂଟନ୍ ରେ ମିଡ଼ିଆ ସ୍ୱତନ୍ତ୍ରତା ଉପରେ ବିବାଦ ସୃଷ୍ଟି ହେଇଛି | ଟ୍ରମ୍ପ ପ୍ରଶାସନ ପକ୍ଷରୁ ସିଏନ୍ଏନ୍ (CNN) ଭଳି କେତେକ ପ୍ରମୁଖ ଗଣମାଧ୍ୟମ ଉପରେ ହ୍ୱାଇଟ୍ହାଉସ୍ ପ୍ରବେଶ କଟକଣାକୁ ନେଇ ବିବାଦ ଦେଖାଦେଇଛି। ଏହାର ତୁଳନା ଚୀନ୍ର ଗଣମାଧ୍ୟମ କଟକଣା ସହ କରାଯାଉଥିଲେ ହେଁ ହ୍ୱାଇଟ୍ହାଉସ୍ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଉପଦେଷ୍ଟାମାନଙ୍କ ମତରେ, ଏହିପରି ପ୍ରତ୍ୟକ୍ଷ ଶିଖର ବୈଠକ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତା ଓ ସଂଶୟକୁ ଦୂର କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ।
