ଏଟାରେ ବସକୁ ଧକ୍କା ଦେଲା ଟ୍ରକ୍ , ୫ ମୃତ,୧୨ଆହତ
ଉତ୍ତରପ୍ରଦେଶ ଏଟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ।

ଉତ୍ତରପ୍ରଦେଶ: ଏଟା ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି । ଗାଡ଼ି ମରାମତି ପାଇଁ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ବସକୁ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଜିଲ୍ଲାପାଳ ଅରବିନ୍ଦ ସିଂହଙ୍କ ସୂଚନା ଅନୁଯାୟୀ, ଏଟା ଡିପୋର ଏହି ବସଟି ଫରୁଖାବାଦରୁ ଦିଲ୍ଲୀ ଯାଉଥିବା ବେଳେ ଗୁରୁବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ବାଗୱାଲା ଥାନା ଅନ୍ତର୍ଗତ କିଲରମଉ ଗାଁ ନିକଟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ବସଟିକୁ ରାସ୍ତାକଡ଼ରେ ଅଟକାଇ ମରାମତି କରାଯାଉଥିଲା। କିଛି ଯାତ୍ରୀ ବସରୁ ଓହ୍ଲାଇ ରାସ୍ତାକଡ଼ରେ ଠିଆ ହୋଇଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଦ୍ରୁତଗତି କ୍ୟାଣ୍ଟର ଟ୍ରକ୍ ବସକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସଟି ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା। ବସ ବାହାରେ ଠିଆ ହୋଇଥିବା ଯାତ୍ରୀଙ୍କୁ ଟ୍ରକ୍ ଚାପା ଦେଇଥିଲା । ଘଟଣାସ୍ଥଳରେ ରାଜେଶ (୩୪), ସୁଖରାମ (୪୨), ଶୈଳେଶ (୩୨) ଏବଂ ଜଣେ ଅଜଣା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଥିଲା। ଆହତ ୧୨ ଜଣଙ୍କୁ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ, ଅଧିକାଂଶ ଆହତ ବିପଦମୁକ୍ତ ଅଛନ୍ତି। ଦୁର୍ଘଟଣା ପରେ ପୁଲିସ ଓ ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଥିଲେ। ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ କ୍ୟାଣ୍ଟର ଚାଳକଙ୍କ ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
