ତ୍ରିପୁରା ଡିଜିପି ଅନୁରାଗ ଧନକଡ଼ଙ୍କ ଆତ୍ମହତ୍ୟା
ସୁଇସାଇଡ କରିଦେଲେ ତ୍ରିପୁରା ଡିଜିପି ଅନୁରାଗ ଧନକଡ଼। ନିଜ ଅଫିସ କେବିନରୁ ତାଙ୍କ ମୃତଦେହ ଠାବ କରାଯାଇଛି। ୧୯୯୪ ବ୍ୟାଚ୍ ଆଇପିଏସ ଅନୁରାଗଙ୍କ ଶବକୁ ଅଗରତାଲାର ଜିବି ହସ୍ପିଟାଲ ନିଆଯାଇଛି। କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ, ସ୍ପଷ୍ଟ ହୋଇନି।

ଅଗରତାଲା: ତ୍ରିପୁରାର ପୋଲିସ ମହାନିର୍ଦ୍ଦେଶକ (DGP) ଅନୁରାଗ ଧନକରଙ୍କ ଅଚାନକ ମୃତ୍ୟୁ । ସୋମବାର ଅଗରତଲାସ୍ଥିତ ପୋଲିସ କ୍ୟାବିନ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ଭାବେ ଏହାକୁ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରିଛି ପୋଲିସ। ସୂଚନା ଅନୁସାରେ, ତ୍ରିପୁରାର ୧୯୯୪ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଧନକର ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟରେ ସୁଇସାଇଡ କରିଛନ୍ତି। ତାଙ୍କ ଅଫିସ କ୍ୟାବିନ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲାସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ତ (ଜିବି) ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ ପରିସ୍ଥିତିରେ ଡିଜିପି ଅନୁରାଗ ଧନଖଡ ଏଭଳି ପଦକ୍ଷେପ ନେଲେ, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଅନ୍ୟପଟେ ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଅନୁରାଗ ଧନକର ମେ ୨୦୨୫ରେ ତ୍ରିପୁରାର DGP ଭାବେ ଦାୟିତ୍ୱ ନେଇଥିଲେ। ସେ ଅମିତାଭ ରଞ୍ଜନଙ୍କ ପରେ ଏହି ପଦରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ତ୍ରିପୁରାର ଡିଜି (ଇଣ୍ଟେଲିଜେନ୍ସ) ଭାବେ କାର୍ଯ୍ୟ କରିଥିଲେ। ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)ରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତରେ ଜଡ଼ିତ ଥିଲେ। ତାଙ୍କର ଅଚାନକ ମୃତ୍ୟୁ ପରେ ତ୍ରିପୁରା ପୋଲିସ ବିଭାଗ ଓ ସରକାରୀ ମହଲରେ ଶୋକର ଛାୟା ଖେଳିଯାଇଛି।
