ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହେଲେ ଗୌଡତାଳସିଂ ଗ୍ରାମର ଜୀବରତ୍ନମ୍
ଗଜପତିର ଜୀବରତ୍ନମଙ୍କ ମହତ୍ ଉଦାହରଣ: ମୃତ୍ୟୁ ପରେ ଦାନ କଲେ ୫ ଅଙ୍ଗ, ଅନ୍ୟମାନଙ୍କୁ ଦେଲେ ନୂଆ ଜୀବନ ।
ଗଜପତି: ମୃତ୍ୟୁ ପରେ ମଧ୍ୟ ଅନ୍ୟମାନଙ୍କୁ ନୂଆ ଜୀବନ ଦେଇ ଅମର ହୋଇଛନ୍ତି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସବୋରା ପଞ୍ଚାୟତ ଅନ୍ତର୍ଗତ ଗୌଡତାଳସିଂ ଗ୍ରାମର ସିଏଚ୍. ଜୀବରତ୍ନମ୍ (୪୫)। ତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ସମ୍ମତିକ୍ରମେ ୫ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଦାନ କରାଯାଇଛି। ସୂଚନା ଅନୁସାରେ, ଜୀବରତ୍ନମ୍ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସୀମାନ୍ତ ଆନ୍ଧ୍ରପ୍ରଦେଶର ଗଙ୍ଗାରାଜପୁରମ୍ ଗ୍ରାମରେ ଥିବା ଶ୍ୱଶୁର ଘରକୁ ଚାଲିଚାଲି ଯାଉଥିଲେ। ଗୋଷାଣି ବ୍ଲକ ଜଙ୍ଗଲପାଡୁ ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ସେହି ସମୟରେ ପ୍ରବଳ ବର୍ଷା ହେଉଥିବାରୁ ଦୁର୍ଘଟଣା ଘଟିଥିବା ଘଟଣା କେହି ଦେଖିପାରିନଥିଲେ। ପରେ ଘଟଣାସ୍ଥଳରେ ଜୀବରତ୍ନମଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଗୁରାଣ୍ଡି ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ତାଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ତାଙ୍କୁ ଶ୍ରୀକାକୁଲମ୍ର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତିନିଦିନ ଧରି ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଜୀବରତ୍ନମଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସମୟରେ ଡାକ୍ତରମାନଙ୍କ ପରାମର୍ଶ ଓ ଅଙ୍ଗଦାନର ମହତ୍ତ୍ୱ ବୁଝି ପରିବାର ଲୋକେ ତାଙ୍କ ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ସମ୍ମତି ଦେଇଥିଲେ। ଏହାପରେ ହୃତପିଣ୍ଡ, ଲିଭର, କିଡ୍ନୀ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।
ଅଙ୍ଗଦାନ ମାଧ୍ୟମରେ ଅନ୍ୟମାନଙ୍କୁ ଜୀବନ ଦାନ କରିଥିବାରୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଜୀବରତ୍ନମଙ୍କ ପରିବାରକୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ସମ୍ମାନ ଜଣାଯାଇଥିବା ସୂଚନା ମିଳିଛି। ଜୀବରତ୍ନମଙ୍କ ପରିବାର ଆର୍ଥିକ ଭାବେ ଦୁର୍ବଳ। ତାଙ୍କ ପତ୍ନୀଙ୍କ ସହ ଗୋଟିଏ ଛୋଟ ପୁଅ ଓ ଗୋଟିଏ ଛୋଟ ଝିଅ ଅଛନ୍ତି। ଜୀବରତ୍ନମ୍ ବଢ଼େଇ କାମ କରି ପରିବାର ଚଳାଉଥିଲେ। ତେଣୁ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଗଲେ ପରିବାରଟି ଉପକୃତ ହେବ ବୋଲି ଗ୍ରାମର ସମାଜସେବୀ ବିନୋଦ ପରିଚ୍ଛାଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି। ଜୀବରତ୍ନମଙ୍କ ବିୟୋଗରେ ପରିବାର ଓ ଗ୍ରାମବାସୀ ଶୋକାକୁଳ ହୋଇଥିବା ବେଳେ ତାଙ୍କ ଅଙ୍ଗଦାନକୁ ନେଇ ସମସ୍ତେ ଗର୍ବିତ। ଗୋଟିଏ ଜୀବନର ଅବସାନ ପରେ ଅନ୍ୟମାନଙ୍କ ଜୀବନ ବଞ୍ଚାଇବାର ଏହି ମହତ୍ ଉଦାହରଣ ଗଜପତି ଜିଲ୍ଲାରେ ଅଙ୍ଗଦାନର ଏକ ଅନୁପମ ନିଦର୍ଶନ ଭାବେ ସ୍ମରଣୀୟ ହୋଇ ରହିବ।
