ରାସ୍ତାରେ ଖୁଚୁରା ଟଙ୍କା ପକାଇ ୫ ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ
ପାରଳାଖେମୁଣ୍ଡିରେ ଦିନଦ୍ୱିପ୍ରହରରେ ବଡ଼ ଲୁଟ୍, ବ୍ୟାଙ୍କରୁ ୫ ଲକ୍ଷ ଉଠାଇବା ପରେ ବ୍ୟାଗ ଝାମ୍ପିନେଲେ ଦୁର୍ବୃତ୍ତ। ସିସିଟିଭି ଆଧାରରେ ଜଣେ ଗିରଫ ।
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ଦିନଦ୍ୱିପ୍ରହରରେ ଲୁଟ୍। ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରୁ ୫ ଲକ୍ଷ ଟଙ୍କା ଉଠାଇ ବାହାରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଗାଡ଼ିରୁ ଟଙ୍କାଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତମାନେ। ସୂଚନା ଅନୁଯାୟୀ, ସାଇଲଢା ଗ୍ରାମର ଏମ୍. ସୂରିୟା ରାଓ ନିଜ ଘର ନିର୍ମାଣ କାମ ପାଇଁ ଆଜି ପାରଳାଖେମୁଣ୍ଡିସ୍ଥିତ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାକୁ ଆସି ୫ ଲକ୍ଷ ଟଙ୍କା ଉଠାଇଥିଲେ। ବ୍ୟାଙ୍କରୁ ବାହାରିବା ପରେ ପୂର୍ବରୁ ଛକି ବସିଥିବା ୪ ଜଣିଆ ଦୁର୍ବୃତ୍ତ ଦଳ ଯୋଜନା କରି ରାସ୍ତାରେ କିଛି ଖୁଚୁରା ଟଙ୍କା ପକାଇ ତାଙ୍କ ଧ୍ୟାନ ଅନ୍ୟତ୍ର କରିଥିଲେ। ସୂରିୟା ରାଓ ଖୁଚୁରା ଟଙ୍କା ଉଠାଉଥିବା ବେଳେ ସୁଯୋଗ ନେଇ ତାଙ୍କ ଗାଡ଼ିରୁ ଟଙ୍କାଭର୍ତ୍ତି ବ୍ୟାଗ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।
ଘଟଣା ପରେ ଏମ୍. ସୂରିୟା ରାଓ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କ ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଏହି ଗ୍ୟାଙ୍ଗ ପୂର୍ବରୁ ପାରଳାଖେମୁଣ୍ଡି ଓ ଆଖପାଖ ଅଞ୍ଚଳରେ ଘଟିଥିବା ଏକାଧିକ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।
