ଜଣକୁ ବାହାହେଲେ ୩ ଭଉଣୀ!
ପୋଷ୍ଟରେ କହିଥିଲେ, ଆମ ୩ ଭଉଣୀଙ୍କ ଭିତରେ ଏତେ ଅତୁଟ ଭଲ ପାଇବା ଅଛି ଯେ, କେହି କାହାଠୁ ଅଲଗା ହୋଇପାରିବେନି। ସେଥିଲାଗି ବାହା ହୋଇ ଅଲଗା ଅଲଗା ଘରକୁ ଯିବା ପରିବର୍ତ୍ତେ ଜଣକୁ ବାହା ହେବାକୁ ଉଚିତ ମଣିଲେ। ହେଲେ ବିବାହ କରିବାକୁ ଏମିତି କୌଣସି ପରିବାର ମିଳିଲେନି। ସେଥିଲାଗି ବିକାଶକୁ ବାହାହୋଇ ସେମାନେ ବହୁତ ଖୁସି। ଏ ଭିଡ଼ିଓ ରାତାରାତି ଇଣ୍ଟରନେଟ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଗଲା।

୩ ଭଉଣୀଙ୍କ ଗୋଟିଏ ବର। ଗୋଟିଏ ଯୁବକକୁ ୩ ଭଉଣୀ ବିବାହ କରିବାର ସତ ସାମ୍ନାକୁ ଆସିଲା। ପୁଲିସ ଖୋଳତାଡ଼ ପରେ ଯୁବତୀ ମାନିଲେ, ପ୍ରାଙ୍କ୍ ପାଇଁ ଏ ସବୁ ହୋଇଥିଲା। ଅମରୋହାର ୩ ଭଉଣୀ ଜଣେ ଯୁବକକୁ ବିବାହ କରିଥିବା ଭିଡ଼ିଓ ଅପଲୋଡ୍ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ଶିଶୁକଲ୍ୟାଣ ସମିତି ଆଗରେ ହାଜର ହୋଇ ମାନିଗଲେ ଯେ, ଏହା କେବଳ ଏକ ପ୍ରାଙ୍କ୍ ଥିଲା। ନିଜ କ୍ୟାମେରାମ୍ୟାନକୁ ବିବାହ କରିଥିବାର ଭିଡ଼ିଓ ୩ ଭଉଣୀ ଜୁଲାଇ ୧୭ରେ ଇନଷ୍ଟାରେ ଅପଲୋଡ୍ କରିଥିଲେ। ଏହା ପଛର ମୂଳ ଉଦ୍ଦେଶ୍ୟ ଥିଲା, ଫଲୋଅର୍ସ ଓ ୟୁଜର୍ସ ବଢ଼ାଇବା। ବିବାହର ଭିଡ଼ିଓ ତିଆରି ପୂର୍ବରୁ ସେ ଦିନ ଆଉ ଏକ ୧୯ ସେକେଣ୍ଡର ଭିଡ଼ିଓ ବି ତିଆରି କରିଥିଲେ। ଯାହାକୁ ପ୍ରାଙ୍କ୍ ଉଦ୍ଦେଶ୍ୟରେ ହୋଇଥିଲା। କିନ୍ତୁ ସେ ଭିଡ଼ିଓକୁ ସେମାନେ ଅପଲୋଡ୍ କରିନଥିଲେ। ଏ ଭିଡ଼ିଓକୁ ବି ସେମାନେ ସମିତି ଆଗରେ ଦାଖଲ କରିଥିଲେ। ୩ ଭଉଣୀଙ୍କ ବୟାନ ରେକର୍ଡ କରିବା ପରେ ସେମାନଙ୍କୁ ଘରକୁ ପଠାଇଦେଇଛି ବାଳସୁଧାର କମିଟି। ହସନପୁରର ଧୋରିଆ ଗାଁର ୨୦ ବର୍ଷୀୟା ଅଲକା ୧୮ ବର୍ଷର ମାଉସୀ ଝିଅ ଦେବିକାଙ୍କ ସହ ମିଶି ଏକେରାଜପୁତ୯୯୯୦ ନାଁରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ। ଦୁହେଁ ଭିଡିଓ କରି ଅପଲୋଡ କରୁଥିଲେ। ଏହା ପରେ ଅଳକାଙ୍କ ୧୫ ବର୍ଷୀୟା ଭଉଣୀ ବି ଏମାନଙ୍କ ସହ ମିଶିଥିଲା। ତିନି ଜଣ ଭିଡ଼ିଓ ସୁଟ୍ କରି ଅପଲୋଡ୍ କରନ୍ତି। ମାର୍ଚ୍ଚ ୨୦୨୬ରେ ୩ ଭଉଣୀ ୟୁଟ୍ୟୁବ ଚାନେଲ ଓ ୬ ମାସ ତଳେ ଏହି ନାଁରେ ଫେସବୁକ ଆକାଉଣ୍ଟ ଖୋଲିଥିଲେ। ହେଲେ ୩ଜଣ ଯାକ ଇନଷ୍ଟାରେ ଅଧିକ ସକ୍ରିୟ ରହୁଥିଲେ। ତେବେ ଜୁଲାଇ ୧୭ରେ ଅଚାନକ ସମସ୍ତଙ୍କ ଚର୍ଚ୍ଚାର ଘେରକୁ ପଳେଇ ଆସିଥିଲେ ୩ ଭଉଣୀ। ପାଖ ଗାଁରେ ନିଜ କ୍ୟାମେରାମ୍ୟାନ ବିକାଶ ସହ ମନ୍ଦିରରେ ବିବାହର ଭିଡ଼ିଓ ଯେତେବେଳେ ଇନଷ୍ଟାରେ ପୋଷ୍ଟ କରିଥିଲେ। ପୋଷ୍ଟରେ କହିଥିଲେ, ଆମ ୩ ଭଉଣୀଙ୍କ ଭିତରେ ଏତେ ଅତୁଟ ଭଲ ପାଇବା ଅଛି ଯେ, କେହି କାହାଠୁ ଅଲଗା ହୋଇପାରିବେନି। ସେଥିଲାଗି ବାହା ହୋଇ ଅଲଗା ଅଲଗା ଘରକୁ ଯିବା ପରିବର୍ତ୍ତେ ଜଣକୁ ବାହା ହେବାକୁ ଉଚିତ ମଣିଲେ। ହେଲେ ବିବାହ କରିବାକୁ ଏମିତି କୌଣସି ପରିବାର ମିଳିଲେନି। ସେଥିଲାଗି ବିକାଶକୁ ବାହାହୋଇ ସେମାନେ ବହୁତ ଖୁସି। ଏ ଭିଡ଼ିଓ ରାତାରାତି ଇଣ୍ଟରନେଟ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଗଲା। ୨୪ ଘଣ୍ଟା ଭିତରେ ସେମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋଅର୍ସ ସଂଖ୍ୟା ୪.୬୦ଲକ୍ଷରୁ ବଢ଼ି ୫.୧୫ଲକ୍ଷ ହୋଇଗଲା। ୟୁଟ୍ୟୁବରେ ଥିବା ୯୦ ମିଲିୟନ ୟୁଜର୍ସ ସଂଖ୍ୟା ବଢ଼ି ୧୫୦ ମିଲିୟନ ହୋଇଯାଇଥିଲା। ୩ ଭଉଣୀଙ୍କୁ ସେମିତି ଟ୍ରୋଲ୍ ବି କରାଯାଇଥିଲା। ହେଲେ ଏ ବିବାହ କରି ସେମାନେ ଉଚିତ ନିଷ୍ପତ୍ତି ନେଇଛନ୍ତି ବୋଲି ସଫେଇ ଦେବାକୁ ଲାଗିଥିଲେ ୩ଜଣ ଯାକ। ଆଉ ଶିଶୁକଲ୍ୟାଣ ସମିତିରେ କେହି ଜଣେ ଫେରାଦ୍ ହୋଇଥିଲେ। ନାବାଳିକାଙ୍କ ମାର୍କସିଟ୍ ପଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କାରଣ ହାଇସ୍କୁଲ ମାର୍କସିଟ ଅନୁସାରେ ନାବାଳିକାଙ୍କ ବୟସ ୧୫ ଥିଲା। ଏହୈାକୁ ନେଇ ହସନପୁର ପୁଲିସ ଜରିଆରେ ସମିତି ଏମାନଙ୍କୁ ହାଜର ହୋଇ ପକ୍ଷ ରଖିବାକୁ ସମନ କରିଥିଲା। ଆଉ ସମିତି ଆଗରେ ହାଜର ହୋଇ ସବୁ ସତ କହିଥିଲେ। ରାତାରାତି ପ୍ରସିଦ୍ଧି ପାଇବା, ଫଲୋଅର୍ସ ଓ ୟୁଜର୍ସ ବଢାଇବା ଚକ୍କରରେ ୪ ଜଣ ମିଶି ଏଭଳି ପ୍ରାଙ୍କ୍ କରିଥିଲେ। ଇଣ୍ଟରନେଟ ମିଡିଆରେ ସକ୍ରିୟ ରହିବା ସହ ଅଳକା ସ୍ଥାନୀୟ କଲେଜରେ ବିଟେକ୍ ଦ୍ୱିତୀୟ ବର୍ଷ ପଢ଼ୁଥିଲେ। ଦେବୀକା ଏଥର ଦ୍ୱାଦଶ ପରୀକ୍ଷା ପାସ୍ କରିଛନ୍ତି। ନାବାଳିକା ଚଳିତ ବର୍ଷ ପ୍ଲସ-ଟୁରେ ପଢ଼ୁଛନ୍ତି। ଏଭଳି ଭିଡ଼ିଓକୁ ନେଇ ୩ ଭଉଣୀଙ୍କ ଅଭିଭାବକ ପୂର୍ବରୁ କହିସାରିଥିଲେ, ଯଦି ଏ ବିବାହ ସତ। ତାହେଲେ ୩ ଝିଅଙ୍କ ସହ କୌଣସି ମତଲବ ନାହିଁ। ଏ ବିବାହ ହସନପୁରର ମା ଚାମୁଣ୍ଡା ମନ୍ଦିରରେ ହୋଇଥିବା ଦାବି କରାଯାଇଥିଲା। ତେବେ ମନ୍ଦିର କର୍ତ୍ତୃପକ୍ଷ ଏଭଳି ବିବାହ ମନ୍ଦିରରେ ହୋଇଛି ବୋଲି ଖଣ୍ଡନ କରିଥିଲେ।
