ମାଛ କିଣିବା ବାହାନାରେ ଡକାୟତି, ଜଣେ ଗିରଫ
ଭଦ୍ରକରେ ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି, ମାଛ କିଣିବା ବାହାନାରେ ଲକ୍ଷାଧିକ ଟଙ୍କା ଓ ସୁନା ଲୁଟ; ଜଣେ ଡକାୟତ ଗ୍ରାମବାସୀଙ୍କ କବଜାରେ। ପୋଲିସର ତଦନ୍ତ ଜାରି।
ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତର ଜୁଡ଼ାଗଢ଼ିଆ ଗ୍ରାମରେ ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି ଘଟିଛି। ଡକାୟତମାନେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପାଞ୍ଚରୁ ଅଧିକ ଡକାୟତ ଦୁଇଟି ମୋଟରସାଇକେଲରେ ଆସି ଜୁଡ଼ାଗଢ଼ିଆ ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମାଛ କିଣିବା ବାହାନାରେ ଘର ଲୋକଙ୍କୁ ଡାକିଥିଲେ। କବାଟ ଖୋଲିବା ମାତ୍ରେ ଡକାୟତମାନେ ଘରେ ପଶି ବନ୍ଧୁକ ଦେଖାଇ ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ଘରେ ଅଟକ ରଖିଥିଲେ।
ପରେ ଘରେ ଥିବା ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ଫେରାର ହେବାକୁ ଉଦ୍ୟମ କରିଥିବା ବେଳେ, ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମବାସୀମାନେ ଏକାଠି ହୋଇ ଡକାୟତମାନଙ୍କୁ ପିଛା କରିଥିଲେ। ଏହି ସମୟରେ ଡକାୟତମାନେ ଦୁଇଟି ମୋଟରସାଇକେଲ ଛାଡ଼ି ପଳାଇବାକୁ ଚେଷ୍ଟା କରିଥିବା ବେଳେ ଜଣେ ଡକାୟତ ଏକ କୋଠା ଉପରକୁ ଚଢ଼ି ଲୁଚିଥିଲେ। ଗ୍ରାମବାସୀମାନେ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଡକାୟତକୁ ହେପାଜତକୁ ନେବା ସହ ଅଧିକ ତଦନ୍ତ ଜାରି ରଖିଛି।
