AI ଲେଖିଲା ମର୍ଡର ସ୍କ୍ରିପ୍ଟ!
ମାଆ ମୁଥୁଲକ୍ଷ୍ମୀଙ୍କଠୁ ୫୦ ଲକ୍ଷ ଟଙ୍କା କରଜ ନେଇଥିଲା। ହେଲେ ଏ ଟଙ୍କା ପାର୍ଟନର କେନେଥ ଉପରେ ଖର୍ଚ୍ଚ କରିଦେଲେ। ଆଉ ମା କାଳେ ଟଙ୍କା ମାଗିବେ। ସେ ଡର ବି ଥିଲା। ଜେରାରେ ଶ୍ୱେତା କହିଥିଲା, ତାଙ୍କ ମାଆ ତାଙ୍କୁ ଜୀବନଯାକ କଣ୍ଟ୍ରୋଲରେ ରଖିଥିଲେ। କେବେ ବି ସ୍ୱାଧୀନରେ କିଛି କରିବାକୁ ଦେଉନଥିଲେ। ତାଙ୍କ ମାଆ ହିଁ ତାଙ୍କ ଜୀବନ ବରବାଦ କରିଦେଲେ। ସେ ହିଁ ଏକାକୀ ତିନି ଜଣଙ୍କୁ ମାରିଛି।ମର୍ଡରର ପୁରା ପ୍ଲାନ ଏଆଇରୁ ନେଇଥିଲା।

ଏଆଇ ଲେଖିଲା ମର୍ଡର ସ୍କ୍ରିପ୍ଟ। ବେଙ୍ଗାଲୁରୁରେ ଚର୍ଚ୍ଚିତ ଟ୍ରିପଲ ମର୍ଡରରେ ଝିଅ ଓ ତା ଲିଭ୍ ଇନ ପାର୍ଟନର ଏଆଇ ଜରିଆରେ ହତ୍ୟାର ଯୋଜନା କରିଥିବା କଥା ଯିଏ ଶୁଣୁଛି, ତାଜୁବ ହୋଇଯାଉଛି। ୬ ମାସ ହେଲା ଏଆଇକୁ ପ୍ରଶ୍ନ ପଚାରି ହତ୍ୟା ଷଡ଼ଯନ୍ତ୍ରର ପୁରା ପ୍ଲଟ ଖଞ୍ଜାଯାଇଥିଲା। କୌଣସି ହତ୍ୟାକାଣ୍ଡରେ କଅଣ ଟେକ୍ନୋଲୋଜିକୁ ଅଭିଯୁକ୍ତ ଦର୍ଶାଇ ତା ଉପରେ ମାମଲା କରାଯାଇପାରିବ କି। ଏ ପ୍ରଶ୍ନ ଅଜବ ଲାଗିପାରେ। ହେଲେ ବେଙ୍ଗାଲୁରୁ ଟ୍ରିପଲ ମର୍ଡରର ରକ୍ତରଞ୍ଜିତ କାହାଣୀ ଏ ପ୍ରଶ୍ନ ଆପଣାଛାଏଁ ମନକୁ ଟାଣୁଛି। ଏପରିକି ମର୍ଡର ପରେ ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତ ବି ଏଆଇର ସହଯୋଗ ନେଇଥିଲା। କହିବାକୁ ଗଲେ ମର୍ଡରର ପୁରା ପ୍ଲାନ ଏଆଇରୁ ନେଇଥିଲା। ବେଙ୍ଗାଲୁରୁର କେଆର ପୁରମସ୍ଥିତ ସାଇ ଗ୍ରୀନ ଆପାର୍ଟମେଣ୍ଟ। ଜୁନ୍ ୨୨ ତାରିଖ। ସମୟ ୯ଟା ୨ର ସିସିଟିଭି ଫୁଟେଜ। ପୁଲିସ ଆପାର୍ଟମେଣ୍ଟରେ ପହଞ୍ଚି ଦୁଇଟି ସିସିଟିଭି ଫୁଟେଜ ଦେଖିଥିଲା। ଅଳଗା ଅଲଗା କ୍ୟାମେରାରେ ଦୁଇ ଜଣ ଦେଖାଗଲେ। ପ୍ରଥମ ଫ୍ରେମରେ ଜଣେ ଯୁବକ ଓ ଜଣେ ଯୁବତୀ ଘରୁ ବାହାରୁଛନ୍ତି ଓ ଚାଲିଯାଉଛନ୍ତି। ଦ୍ୱିତୀୟ ଫ୍ରେମରେ ଯୁବକ ଯୁବତୀ ଦ୍ରୁତ ଗତିରେ ଯିବା ଦେଖିବାକୁ ମି଼ଳିଥିଲା। ଦୁଇଟି ଯାକ ଫ୍ରେମ ମିଶାଇ ଦେଖିଲେ ଏମାନଙ୍କ ଚାଲି, ଗତିବିଧିରୁ କେହି ବି କହିପାରିବେନି ଯେ, ମାତ୍ର କିଛି ସମୟ ପୂର୍ବରୁ ଏମାନେ ଟ୍ରିପଲ ମର୍ଡର କରିଛନ୍ତି। ଆଉ ହତ୍ୟା ପୁଣି କାହାର। ଫୁଟେଜରେ ଦେଖାଯାଉଥିବା ଯୁବତୀର ବାପା, ମାଆ ଓ ଭଉଣୀକୁ ନିର୍ମମ ହତ୍ୟା। ଯୁବତୀ ନିଜ ଲିଭ ଇନ ପାର୍ଟନର ସହ ମିଶି ବାପା, ମାଆ ଓ ଭଉଣୀକୁ ୫୦ରୁ ଅଧିକ ଥର ଛୁରୀ ଭୂଷି ହତ୍ୟା କରିଛି। କେବଳ ମାଆକୁ ୨୬ଥର ଭୁଷିଛି। କାରଣ ସବୁଠୁ ଅଧିକ ଘୃଣା ମାଆ ପ୍ରତି ଥିଲା। ଅଭିଯୁକ୍ତ ଯୁବତୀର ନାଁ ଶ୍ୱେତା। ୨୪ ବର୍ଷୀୟା ଶ୍ୱେତାର ଲିଭ ଇନ ପାର୍ଟନରର ନାଁ କେନେଥ। ଏ ଦୁହେଁ ଦୀର୍ଘ ଦିନ ହେଲା ସାଇଗ୍ରୀନ ଆପାର୍ଟମେଣ୍ଟରେ ରହୁଥିଲେ। ଶ୍ୱେତାଙ୍କ ବାପା ସୋମାସୁନ୍ଦର ଏକ ମଲଟିନାସନାଲ ଆଇଟି କମ୍ପାନୀରେ ଚାକିରୀ କରୁଥିଲା ବେଳେ କେନେଥଙ୍କ ବାପା ଏୟାରକ୍ରାଫ୍ଟ ତିଆରି କରୁଥିବା ଏକ ପିଏସୟୁରେ ଚାକିରୀ କରନ୍ତି। ନିଜେ ଶ୍ୱେତା ବି ଏକ ଆଇଟି କମ୍ପାନୀରେ ଚାକିରୀ କରୁଥିଲେ। କେନେଥ ଟେକ୍ କମ୍ପାନୀ ସହ ଜଡ଼ିତ ଥିଲା। ମଝିରେ ଶ୍ୱେତାର ଚାକିରୀ ଚାଲିଗଲା। ସେତେବେଳେ ମାଆ ମୁଥୁଲକ୍ଷ୍ମୀଙ୍କଠୁ ୫୦ ଲକ୍ଷ ଟଙ୍କା କରଜ ନେଇଥିଲା। ହେଲେ ଏ ଟଙ୍କା ପାର୍ଟନର କେନେଥ ଉପରେ ଖର୍ଚ୍ଚ କରିଦେଲେ। ଆଉ ମା କାଳେ ଟଙ୍କା ମାଗିବେ। ସେ ଡର ବି ଥିଲା। କାରଣ ଶ୍ୱେତା ପାଖରେ ଏମିତିରେ ଟଙ୍କା ନଥିଲା କି ସେ ଫେରାଇବା ପରିସ୍ଥିତିରେ ବି ନଥିଲା। ବାସ୍ ଏହି ୫୦ ଲକ୍ଷ ଟଙ୍କା ପାଇଁ ନିଜ ପ୍ରେମିକ ସହ ମିଶି ନିଜ ପରିବାରକୁ ପୁରା ମାରିବାକୁ ପ୍ଲାନ୍ କରିଥିଲା। ଏକା ସାଙ୍ଗରେ ତିନି ତିନି ଜଣଙ୍କୁ କେମିତି ମାରିବେ। ସେ ନେଇ ୬ ମାସ ହେଲା ଏଆଇରୁ ପ୍ଲାନ୍ ନେଉଥିଲେ। ଏମିତିରେ ଦୁହେଁ ଟେକ୍ନୋଲୋଜିରେ ମାହିର ଥିଲେ। ସେଥିଲାଗି ଫୁଲ୍ ପ୍ରୁଫ୍ ମର୍ଡର ତା ପୁଣି ଟେକ୍ନୋଲୋଜି ଜରିଆରେ କରିବାକୁ ମନସ୍ଥ କରିଥିଲେ। ଆଉ ଏହା ପରେ ଏଣ୍ଟ୍ରି ମାରିଥିଲା ଏଆଇ। ଏଆଇର କହିବା ମୁତାବକ କେନେଥ ନିଜ ଆପାର୍ଟମେଣ୍ଟରେ କ୍ଲାଉଡ୍ କିଚେନ କଲା। ନିଜେ ଭାଟି ତିଆରି କଲା। ଜୁନ୍ ୨୨ରେ ମାଆକୁ ବାହାନାରେ ଆପାର୍ଟମେଣ୍ଟକୁ ଡାକିଥିଲା। ଆଉ ମା ଫ୍ଲାଟରେ ପଶିବା ମାତ୍ରେ ଦୁହେଁ ୨୬ଥର ଛୁରୀ ମାରିଥିଲେ। ମାଆକୁ ମାରିବା ପରେ ବାପା ଓ ସାନ ଭଉଣୀ ସୁପ୍ରିୟାକୁ ବି ଆପାର୍ଟମେଣ୍ଟକୁ ଡାକିଥିଲେ। ଆଉ ସମାନ ଫର୍ମାଟରେ ହତ୍ୟା କଲେ। ଏହା ପରେ ଶ୍ୱେତା ଓ କେନେଥ ଫ୍ଲାଟରେ ୩ଜଣଙ୍କ ଶବ ଛାଡ଼ି ମାଆଙ୍କ ଘରେ ପହଞ୍ଚିଥିଲେ। ସେଠାରୁ ନଗଦ ଓ ଗହଣା ନେଇ ପୁଡ୍ଡୁଚେରୀ ପଳାଇଥିଲେ। ବାପା ସୋମା ସୁନ୍ଦର କୌଣସିମତେ ବାହାର ସିଡ଼ି ଯାଏ ଘୁଷୁରି ଘୁଷୁରି ଯାଇଥିଲେ। କିଛି ପଡ଼ୋଶୀ ଦେଖିବା ମାତ୍ରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିଲା ବେଳକୁ ସୋମା ଜୀବିତ ଥିଲେ। ତେବେ ସବୁ ଘଟଣା କହିବା ପରେ ହସ୍ପିଟାଲ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତ୍ୟୁ ପୂର୍ବରୁ ସୋମା ସାକ୍ଷୀ ଦେଇସାରିଥିଲେ। ସେଥିଲାଗି ପୁଲିସ ତୁରନ୍ତ ଛାନଭିନ୍ କରିଥିଲା। ଏହା ପରେ ପୁଡ୍ଡୁଚେରୀରୁ ଉଭୟଙ୍କୁ ଗିରଫ ପରେ ବେଙ୍ଗାଲୁରୁକୁ ଆଣିଥିଲା ପୁଲିସ। ଜେରାରେ ଶ୍ୱେତା କହିଥିଲା, ତାଙ୍କ ମାଆ ତାଙ୍କୁ ଜୀବନଯାକ କଣ୍ଟ୍ରୋଲରେ ରଖିଥିଲେ। କେବେ ବି ସ୍ୱାଧୀନରେ କିଛି କରିବାକୁ ଦେଉନଥିଲେ। ତାଙ୍କ ମାଆ ହିଁ ତାଙ୍କ ଜୀବନ ବରବାଦ କରିଦେଲେ। ସେ ହିଁ ଏକାକୀ ତିନି ଜଣଙ୍କୁ ମାରିଛି। କେନେଥ କେବଳ ସହଯୋଗ କରିଥିଲା। ପୁଲିସ ଯେତେବେଳେ ଉଭୟଙ୍କ ଲାପଟପକୁ ତର୍ଜମା କଲା, ସର୍ଚ୍ଚ ଇଞ୍ଜିନରେ କେନେଥ ଓ ଶ୍ୱେତା ଟ୍ରିପଲ ମର୍ଡର ପାଇଁ ଏଆଇକୁ ପଚାରିଥିବା ସବୁ ପ୍ରଶ୍ନ ଓ ଜବାବ ପାଇଥିଲା।
