Gandhi Jayanti: ଗାନ୍ଧୀ ଜୟନ୍ତୀରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି, ଅନ୍ୟପଟେ ଅବହେଳିତ ପ୍ରତିମୂର୍ତ୍ତି
ଗାନ୍ଧୀ ଜୟନ୍ତୀରେ ରାଜଘାଟରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ, ଦେଶର ଅନେକ ସ୍ଥାନରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅଳିଆ ଆବର୍ଜନା ମଧ୍ୟରେ ଏବଂ ଭଙ୍ଗା ଅବସ୍ଥାରେ ଥିବା ଚିତ୍ର ସାମ୍ନାକୁ ଆସିଛି। ଏହାକୁ ନେଇ ଗାନ୍ଧୀ ଜୟନ୍ତୀ ଓ ପୁଣ୍ୟତିଥିରେ କେବଳ ମାଲ୍ୟାର୍ପଣ ନୁହେଁ, ପ୍ରତିମୂର୍ତ୍ତି ଓ ସ୍ମୃତିସ୍ଥଳର ନିୟମିତ ରକ୍ଷଣାବେକ୍ଷଣ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଦେଶରେ ଆଜି ପାଳିତ ହେଉଛି ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ। ଏହି ଅବସରରେ ନୂଆଦିଲ୍ଲୀର ରାଜଘାଟରେ ଥିବା ବାପୁଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପରେ ଆୟୋଜିତ ହୋଇଥିଲା ସର୍ବଧର୍ମ ପ୍ରାର୍ଥନା ସଭା। ସର୍ବଧର୍ମ ପ୍ରାର୍ଥନା ସଭାରେ ବିଭିନ୍ନ ଧର୍ମର ପ୍ରତିନିଧିମାନେ ଯୋଗଦେଇ ପ୍ରାର୍ଥନା କରିବା ସହ ବାପୁଙ୍କ ସତ୍ୟ ଓ ଅହିଂସାର ବାର୍ତ୍ତାକୁ ସ୍ମରଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହାସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଦିଲ୍ଲୀ ଉପରାଜ୍ୟପାଳ ତରଣଜିତ ସିଂହ ସନ୍ଧୁ ରାଜଘାଟରେ ପହଞ୍ଚି ବାପୁଙ୍କ ସମାଧିରେ ପୁଷ୍ପ ଅର୍ପଣ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରିଥିଲେ। ତେବେ ଗୋଟିଏ ପଟେ ଗାନ୍ଧୀ ଜୟନ୍ତୀ ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ବେଳେ, ଅନ୍ୟପଟେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତିର ଅବହେଳିତ ଚିତ୍ର ସାମ୍ନାକୁ ଆସିଛି। କେଉଁଠି ପ୍ରତିମୂର୍ତ୍ତି ଚାରିପାଖରେ ଅଳିଆ ଆବର୍ଜନା ପଡ଼ିଥିବା ଦେଖିବାକୁ ମିଳିଛି, ତ ଆଉ କେଉଁଠି ଫୁଲ ଦୋକାନରେ ପ୍ରତିମୂର୍ତ୍ତି ଢାଙ୍କି ହୋଇ ରହିଛି। ଏପରିକି ମହାରାଷ୍ଟ୍ରର ପାଟଣାରେ ଏକ ଗାନ୍ଧୀ ପ୍ରତିମୂର୍ତ୍ତି ପ୍ରାୟ ଅଢ଼େଇ ବର୍ଷ ଧରି ଭଙ୍ଗା ଅବସ୍ଥାରେ ପଡ଼ି ରହିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗାନ୍ଧୀ ଜୟନ୍ତୀ ଭଳି ବିଶେଷ ଦିନରେ ନେତା ଓ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ମାଲ୍ୟାର୍ପଣ ଓ ଫଟୋ ଉଠାଇବାର କାର୍ଯ୍ୟକ୍ରମ ହୁଏ। କିନ୍ତୁ ଏହାପରେ ପ୍ରତିମୂର୍ତ୍ତି ସ୍ଥଳଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ହେଉନଥିବା ଅଭିଯୋଗ ହେଉଛି। ଏହି ଚିତ୍ର ଏକ ପ୍ରଶ୍ନ ଛାଡ଼ିଯାଉଛି, "ବାପୁଙ୍କୁ କେବଳ ଗାନ୍ଧୀ ଜୟନ୍ତୀ ଓ ପୁଣ୍ୟତିଥିରେ ହିଁ ସ୍ମରଣ କରାଯିବ, ନା ତାଙ୍କ ସ୍ମୃତି ଓ ଆଦର୍ଶର ପ୍ରତୀକଗୁଡ଼ିକର ନିୟମିତ ଯତ୍ନ ମଧ୍ୟ ନିଆଯିବ?"
