ଡୋକରି ପାହାଡ଼ରୁ ଖସି ଯୁବକ ମୃତ
କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଡୋକରିଚଞ୍ଚରାରେ ପାହାଡ଼ରୁ ଖସି ପଡ଼ି ଜଣେ ଯୁବକ ମୃତ। ମୃତ ଯୁବକ ହେଲେ ଛତିଶଗଡ଼ ରାଜ୍ୟର ଦେଭୋଗ ଥାନା ଅନ୍ତର୍ଗତ କର୍ଲାଗୁଡ଼ା ଗାଁର ଲୋକେଶ ଦୁରିଆ।
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଡୋକରିଚଞ୍ଚରାରେ ଏକ ଦୁଃଖଦ ଅଘଟଣ ଘଟିଛି। ପାହାଡ଼ରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ଛତିଶଗଡ଼ ରାଜ୍ୟର ଦେଭୋଗ ଥାନା ଅନ୍ତର୍ଗତ କର୍ଲାଗୁଡ଼ା ଗାଁର ଲୋକେଶ ଦୁରିଆ। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅଧୀନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଗୁଡ଼ହାଣ୍ଡି–ଡୋକରିଚଞ୍ଚରା ପର୍ଯ୍ୟଟନସ୍ଥଳୀରେ ଏହି ଅଘଟଣ ଘଟିଛି। ଗୁରୁବାର ସନ୍ଧ୍ୟାରେ ଡୋକରି ପାହାଡ଼ରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଖଲିଗଡ଼ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳ ନିକଟରୁ ମୃତକଙ୍କ ବାଇକ୍ ନମ୍ବର: CG-04-LS-8293 ଠାବ କରାଯାଇଛି। ତେବେ ଯୁବକ ଏକାକୀ ପର୍ଯ୍ୟଟନସ୍ଥଳୀକୁ ଆସିଥିଲେ ନା ତାଙ୍କ ସହ ଅନ୍ୟ କେହି ଥିଲେ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। କେଉଁ ପରିସ୍ଥିତିରେ ସେ ପାହାଡ଼ରୁ ଖସି ପଡ଼ିଲେ, ତାହା ମଧ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଖବର ପାଇ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ବାଇକ୍କୁ ଜବତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି ପୋଲିସ ।
