kosaleswari pitha: ନୂଆଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା
ଟିଟିଲାଗଡ଼ରେ ଆଦିବାସୀ ପରମ୍ପରାରେ ଆରମ୍ଭ ହେଲା ନୂଆଖାଇ ପୂଜାବିଧି। କୋଶଳେଶ୍ୱରୀ ପୀଠରେ ନବାର୍ଣ୍ଣ ଚରୁ ଅର୍ପଣ, ଶବରୀ ମନ୍ତ୍ରରେ ମା’ଙ୍କ ପୀଠରେ ହୋମଯଜ୍ଞ ।
ଟିଟିଲାଗଡ଼: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ନୂଆଖାଇ ପାଇଁ ଖଞ୍ଜା-ରଞ୍ଜାଠାରୁ ଆରମ୍ଭ କରି ବିଭିନ୍ନ ଯାନିଯାତ୍ରାର ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଛି। ଟିଟିଲାଗଡ଼ ଅଞ୍ଚଳ ଆଦିବାସୀ ପରମ୍ପରା ଓ ସଂସ୍କୃତି ପାଇଁ ବେଶ ପରିଚିତ। ଏଠାକାର ଆଦିବାସୀ ସମାଜରେ ନୂଆଖାଇ ପାଳନର ରହିଛି ସ୍ୱତନ୍ତ୍ର ପରମ୍ପରା ଓ ପୂଜାବିଧି। ଟିଟିଲାଗଡ଼ ନିକଟସ୍ଥ କୁମୁଡ଼ିପଦର ଗାଁରେ ଥିବା ମା’ କୋଶଳେଶ୍ୱରୀଙ୍କ ମହାଶକ୍ତି ପୀଠରେ ନୂଆଖାଇ ପୂର୍ବରୁ ଅମଳ ହୋଇଥିବା ନୂଆ ଫସଲ ‘ଛେଟକା ଧାନ’କୁ ଚରୁ ରୂପରେ ମା’ଙ୍କ ନିକଟରେ ଅର୍ପଣ କରାଯାଇଛି। ପରମ୍ପରା ଅନୁଯାୟୀ, ଆବାହନ କାଳରୁ ଅମାବାସ୍ୟା ସପ୍ତପୁରୀ ତିଥିରେ ମା’ଙ୍କ ପୀଠରେ ନୂଆ ଧାନ, କୁରେ ପତ୍ର, କ୍ଷୀର, ଗୁଡ଼ ଓ ଫୁଲ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଏ। ଏହାସହ ଶବରୀ ମନ୍ତ୍ରରେ ମା’ଙ୍କ ପୀଠରେ ହୋମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏହି ପାରମ୍ପରିକ ପୂଜା ପରେ ନିର୍ଦ୍ଧାରିତ ତିଥି ଅନୁଯାୟୀ ଟିଟିଲାଗଡ଼ ଓ ଆଖପାଖ ଅଞ୍ଚଳର ପ୍ରାୟ ୧୬ଟି ଗାଁରେ ନୂଆଖାଇ ପର୍ବ ପାଳନ କରାଯିବ। ନୂଆ ଧାନକୁ ଦେବୀଙ୍କୁ ଅର୍ପଣ କରିବା ପରେ ପରିବାର ଓ ସମାଜ ସହ ନୂଆଖାଇ ଭେଟଘାଟ ଓ ଉତ୍ସବ ପାଳନ କରିବା ଏହି ପରମ୍ପରାର ବିଶେଷତ୍ୱ।
