The Paradise:‘ଦ ପାରାଡାଇଜ’ର ଧମାକାଦାର ଆରମ୍ଭ, ନାନୀଙ୍କ କ୍ୟାରିୟରରେ ନୂଆ ରେକର୍ଡ
'ଦ ପାରାଡାଇଜ’ ତାଙ୍କ ପୂର୍ବତନ ଫିଲ୍ମ ‘ଦଶରା’ର ୨୩.୨୦ କୋଟି ଟଙ୍କାର ପ୍ରଥମ ଦିନର ନେଟ୍ କଲେକ୍ସନ୍କୁ ପଛରେ ପକାଇଥିବା କୁହାଯାଉଛି । ଏବେ ଫିଲ୍ମର ଓପନିଂ ୱିକେଣ୍ଡ କଲେକ୍ସନ୍ ଉପରେ ନଜର ରହିଛି।

ପାନ୍ ଇଣ୍ଡିଆ ଫିଲ୍ମ ‘ଦ ପାରାଡାଇଜ’ ରିଲିଜ୍ ହେବା ପରେ ବକ୍ସ ଅଫିସରେ ଧମାଲ କରୁଛି । ଦକ୍ଷିଣ ଭାରତୀୟ ଅଭିନେତା ନାନୀଙ୍କ ରିଲିଜ ହୋଇଥିବା ଆକ୍ସନ୍-ଡ୍ରାମା ଫିଲ୍ମକୁ ସମୀକ୍ଷକଙ୍କ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ଶ୍ରୀକାନ୍ତ ଓଡେଲାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଦ ପାରାଡାଇଜ’ ସେପ୍ଟେମ୍ବର ୨୪ରେ ସିନେମାଘରକୁ ଆସିଛି। ରିଲିଜ୍ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ଦିନର କଲେକ୍ସନ୍ ମଧ୍ୟ ଦର୍ଶକଙ୍କ ଆଗ୍ରହର ଝଲକ ଦେଇଛି। ବିଶ୍ୱବ୍ୟାପୀ ବକ୍ସ ଅଫିସରେ ଫିଲ୍ମଟି ପ୍ରଥମ ଦିନରୁ ହିଁ ୧୦୦ କୋଟି ଟଙ୍କାର ମାଇଲଷ୍ଟୋନ୍ ନିକଟରେ ପହଞ୍ଚିଥିବା ଦାବି କରାଯାଉଛି। ଏହା ସହିତ ୨୦୨୬ର ଚର୍ଚ୍ଚିତ ଫିଲ୍ମ ‘ହନୁମାନ ଅଂଶ’ ସହିତ ବକ୍ସ ଅଫିସ୍ ତୁଳନା ମଧ୍ୟ ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ, ‘ହନୁମାନ ଅଂଶ’ ୪୯ ଦିନରେ ଭାରତରେ ପ୍ରାୟ ୨୮୭.୬୦ କୋଟି ଟଙ୍କାର ନେଟ୍ କଲେକ୍ସନ୍ କରିଥିଲା। ଏହି ସମୟରେ ‘ଦ ପାରାଡାଇଜ’ର ଦମଦାର ଆରମ୍ଭ ବକ୍ସ ଅଫିସ୍ ମୁକାବିଲାକୁ ଆହୁରି ରୋଚକ କରିଛି। ଅନ୍ୟପକ୍ଷରେ, ‘ଦ ପାରାଡାଇଜ’ ନାନୀଙ୍କ ପୂର୍ବତନ ଫିଲ୍ମ ‘ଦଶରା’ର ଓପନିଂ କଲେକ୍ସନ୍କୁ ମଧ୍ୟ ପଛରେ ପକାଇଥିବା କୁହାଯାଉଛି। ‘ଦଶରା’ ଭାରତରେ ପ୍ରଥମ ଦିନରେ ୨୩.୨୦ କୋଟି ଟଙ୍କାର ନେଟ୍ କଲେକ୍ସନ୍ କରିଥିଲା। ଏହି କାରଣରୁ ‘ଦ ପାରାଡାଇଜ’କୁ ନାନୀଙ୍କ କ୍ୟାରିୟରର ସବୁଠୁ ବଡ଼ ଓପନିଂ ଦେଇଥିବା ଫିଲ୍ମ ଭାବେ ଦର୍ଶାଯାଉଛି। ଫିଲ୍ମରେ ନାନୀଙ୍କ ସହ ରାଘବ ଜୁୟାଲ, କାୟଦୁ ଲୋହାରୀ ଏବଂ ମୋହନ ବାବୁ ପ୍ରମୁଖ ଭୂମିକାରେ ଅଛନ୍ତି। ଏବେ ସମସ୍ତଙ୍କ ନଜର ଫିଲ୍ମର ଓପନିଂ ୱିକେଣ୍ଡ କଲେକ୍ସନ୍ ଉପରେ ରହିଛି।
