ପିକେଙ୍କୁ ସମର୍ଥନ କଲେ ତେଜପ୍ରତାପ- ବାଙ୍କିପୁରରେ ବଦଳିଲା ରଣନୀତି
ତେଜପ୍ରତାପ କହିଛନ୍ତି, ଭଗବାନ ବି ଚାହୁଁଛନ୍ତି ବାଙ୍କିପୁରରେ ସଠିକ ପ୍ରତିନିଧିକୁ ଚୟନ କରାଯାଉ। ଆରଜେଡିର ପ୍ରାର୍ଥୀ ରେଖା ଗୁପ୍ତା ମୈଦାନରେ ଅଛନ୍ତି। ସେ ବି ପିକେଙ୍କୁ ସମର୍ଥନ କରିବା ଜରୁରୀ। ତେଜପ୍ରତାପଙ୍କ ଏହି ନିଷ୍ପତ୍ତିରୁ ତେଜସ୍ୱୀ ଯାଦବଙ୍କୁ ଲାଗିପାରେ ବଡ଼ ଝଟକା।

ବାଙ୍କିପୁର ଉପନିର୍ବାଚନରେ ବଦଳିଲା ରାଜନୈତିକ ସମୀକରଣ। ପ୍ରଶାନ୍ତ କିଶୋରଙ୍କୁ ସମର୍ଥନ ଦେଲେ ତେଜପ୍ରତାପ ଯାଦବ। ତେଜପ୍ରତାପଙ୍କ ଜନଶକ୍ତି ଜନତା ଦଳ ପିକେଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି। ଜେଜେଡି ବା ଜନଶକ୍ତି ଜନତା ଦଳର ପ୍ରାର୍ଥୀ ବିଣା ମାନବୀଙ୍କ ନାମାଙ୍କନ ରଦ୍ଦ ପରେ ବିଜେପିକୁ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ବିହାର ରାଜନୀତିର ତାତିକୁ ଅଧିକ ହଲଚଲ କରିଦେଲାଣି। ବିଣା ମାନବୀଙ୍କୁ ପ୍ରାର୍ଥୀ କରିଥିଲା ଜେଜେଡି। ବିଣା ବି ଲମ୍ୱା ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ। ମହିଳା ଭୋଟବ୍ୟାଙ୍କ ବି ତାଙ୍କର ସୁଦୃଢ଼ ଥିଲା। କିନ୍ତୁ ଟେକ୍ନିକ କାରଣରୁ ତାଙ୍କର ନାମାଙ୍କନ ରଦ୍ଦ ହୋଇଗଲା। ଦଳ ପକ୍ଷରୁ ଆଉ କେହି ପ୍ରାର୍ଥୀ ନଥିବାରୁ ପିକେଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ତେଜପ୍ରତାପ। ବିଜେପିକୁ କୌଣସି ପରିସ୍ଥିତିରେ ଜିତିବାକୁ ଦିଆନଯାଉ ବୋଲି ଏହା ପୁରା ଦେଶର ଇଛା ବୋଲି କହି ଉଭୟ ନେତା ଫୋନରେ କଥାବାର୍ତ୍ତା ପରେ ତେଜପ୍ରତାପ ଏଭଳି ଔପଚାରିକ ଘୋଷଣା କରିଛନ୍ତି। ତେଜପ୍ରତାପ କହିଛନ୍ତି, ଭଗବାନ ବି ଚାହୁଁଛନ୍ତି ବାଙ୍କିପୁରରେ ସଠିକ ପ୍ରତିନିଧିକୁ ଚୟନ କରାଯାଉ। ଆରଜେଡିର ପ୍ରାର୍ଥୀ ରେଖା ଗୁପ୍ତା ମୈଦାନରେ ଅଛନ୍ତି। ସେ ବି ପିକେଙ୍କୁ ସମର୍ଥନ କରିବା ଜରୁରୀ। ତେଜପ୍ରତାପଙ୍କ ଏହି ନିଷ୍ପତ୍ତିରୁ ତେଜସ୍ୱୀ ଯାଦବଙ୍କୁ ଲାଗିପାରେ ବଡ଼ ଝଟକା। କାରଣ ବାଙ୍କିପୁର ଜିତିବାକୁ ପୁରା ଦମ୍ ଲଗାଇଦେଇଛନ୍ତି ତେଜସ୍ୱୀ। କିନ୍ତୁ ମୈଦାନକୁ ପ୍ରଶାନ୍ତ ଓହ୍ଲାଇବା ସହ ତାଙ୍କ ଭାଇ ବି ପ୍ରଶାନ୍ତଙ୍କୁ ସମର୍ଥନ ଘୋଷଣା ଏବେ ତାଙ୍କର ମୁସ୍କିଲ ବଢ଼ାଇଦେଇଛି। ଜୁଲାଇ ୩୦ରେ ବାଙ୍କିପୁର ଉପନିର୍ବାଚନ। ଅଗଷ୍ଟ ୩ରେ ଗଣତି ଓ ଫଳାଫଳ। ଏହି ହଟ୍ ସିଟରେ ତ୍ରିକୋଣୀୟ ମୁକାବିଲା ହେବା ଥୟ। ବିଜେପିରୁ ନୀରଜ ସିହ୍ନା, ଆରଜେଡିରୁ ରେଖା ଗୁପ୍ତା ଓ ଜନସୁରାଜ ପାର୍ଟିରୁ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ହାଇଭୋଲଟେଜ ଲଢ଼େଇ ଦେଖିବାକୁ ମିଳିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ରାଜ୍ୟସଭାକୁ ଯିବା ପରେ ଏହି ସିଟ୍ ଖାଲି ପଡ଼ିଛି। ଏମିତିରେ ବାଙ୍କିପୁର ସିଟ୍ ବିଜେପିର ଗଡ଼ ହୋଇଆସିଛି। ୧୯୯୫ରେ ସେତେବେଳେ ଏହା ପାଟନା ପଶ୍ଚିମ ଆସନ ଥିଲା। ଆଉ ନବୀନ କିଶୋର ପ୍ରସାଦ ସିହ୍ନା ଏଠାରୁ ବିଜୟୀ ହୋଇଥିଲେ। ଏହା ପରେ ୨୦୦୫ ଯାଏ ନବୀନଙ୍କ ବିଜୟ ଧାରା ଜାରି ରହିଲା। ତାଙ୍କର ଅକାଳ ବିୟୋଗ ପରେ ୨୦୦୬ରେ ହୋଇଥିଲା ଏହି ଆସନରେ ଉପନିର୍ବାଚନ। ଆଉ ପୁଅ ନିତିନ ନବୀନ ସେବେଠୁ ଲଗାତାର ଏହି ଆସନରେ ବିଜୟୀ ହୋଇ ଆସୁଛନ୍ତି। ୨୦୧୦ ପରଠୁ ଏହି ଆସନ ବାଙ୍କିପୁର ନାଁରେ ନାମିତ ହେବା ପରେ ନିତିନ ଲଗାତାର ୪ଥର ଜିତିଛନ୍ତି। ଆଉ ପାଟନା ପଶ୍ଚିମ ଆସନକୁ ମିଶାଇ ବିଜେପି ୯ଥର ଲଗାତାର ବିଜୟୀ ହୋଇଛି। ବାପା ନବୀନ କିଶୋର ୪ଥର ଓ ପୁଅ ନିତିନ ନବୀନ ୫ଥର ଜିତିଛନ୍ତି। ବାଙ୍କିପୁର ଆସନରେ ନବୀନ କିଶୋର ପ୍ରସାଦ ସିହ୍ନା ଓ ତାଙ୍କ ପୁଅ ନିତିନ ନବୀନଙ୍କ ପ୍ରଭାବ ରହିଆସିଛି। ଏହି କାରଣରୁ ଏହାକୁ ବିହାରରେ ବିଜେପିର ସବୁଠାରୁ ସୁରକ୍ଷିତ ବିଧାନସଭା ଆସନମାନଙ୍କ ମଧ୍ୟରୁ ଗଣାଯାଏ। ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମେ ବିଜେପି ଅଭିଷେକ କୁମାର (ବଣ୍ଟି)ଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ସେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଦଳ ନୀରଜ କୁମାର ସିହ୍ନାଙ୍କୁ ନୂଆ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଅଭିଷେକ କହିଥିଲେ ଯେ, ପାରିବାରିକ କାରଣ ଯୋଗୁଁ ସେ ନିର୍ବାଚନ ଲଢ଼ିବାରୁ ଓହରି ଯାଇଛନ୍ତି ଏବଂ ଏହି ନିଷ୍ପତ୍ତି ସମ୍ପର୍କରେ ବିଜେପି ନେତୃତ୍ୱକୁ ଜଣାଇଥିଲେ। ହେଲେ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଅଭିଷେକ କୁମାରଙ୍କ ବାପା ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ସହ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବିଜେପି ଦୀର୍ଘଦିନ ଧରି ଏହି ପ୍ରସଙ୍ଗରେ ଆରଜେଡିକୁ ଘେରିଆସୁଥିବାରୁ, ବିରୋଧୀ ଦଳ ଏହି ମୁଦ୍ଦାକୁ ପ୍ରଚାରରେ ବ୍ୟବହାର କରିପାରେ ବୋଲି ଦଳ ଚିନ୍ତିତ ଥିବା ଚର୍ଚ୍ଚା ହୋଇଥିଲା।
