Tehsildar Suspended:ଓଡ଼ାପଡ଼ା ତହସିଲଦାର ମନୋଜ ମାଝୀ ନିଲମ୍ବିତ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ପଦକ୍ଷେପ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଛି। ଏନେଇ ବିଭାଗୀୟ ଆଦେଶ ଜାରି ହୋଇଛି।

ଢେଙ୍କାନାଳ: ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅକ୍ଟୋବର ୧୬ ତାରିଖରେ ଏନେଇ ଆଦେଶ ଜାରି ହୋଇଛି। ତେବେ ନିଲମ୍ବନର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଦିଆଯାଇଥିବା ତଥ୍ୟରେ ସ୍ପଷ୍ଟ ଉଲ୍ଲେଖ ନାହିଁ। ବିଭାଗୀୟ ଆଦେଶ ଅନୁଯାୟୀ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ OCS (CC&A) Rules, 1962 ଅନୁସାରେ ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଇଛି। ଜାରି ହୋଇଥିବା ଏହି ଆଦେଶର ନମ୍ବର ହେଉଛି RDM-DP-MISC-0019-2026-42713/R(CS)। ନିଲମ୍ବନ ତୁରନ୍ତ ପ୍ରଭାବରୁ ଲାଗୁ ହୋଇଛି।ନିଲମ୍ବନ ଅବଧିରେ ମନୋଜ ମାଝୀଙ୍କ ମୁଖ୍ୟାଳୟ କଟକସ୍ଥିତ ଆର୍ଡିସି (ସିଡି)ଙ୍କ କାର୍ଯ୍ୟାଳୟରେ ରହିବ। ଆର୍ଡିସିଙ୍କ ଅନୁମତି ନନେଇ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଏହି ସମୟରେ ନିୟମ ଅନୁଯାୟୀ ତାଙ୍କୁ ଭରଣ ଭତ୍ତା ମିଳିବ। ଅନ୍ୟପଟେ, ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିଲମ୍ବନ ଆଦେଶର ତିନୋଟି କପି ପଠାଯାଇଛି। ଆଦେଶର ଗୋଟିଏ କପି ମନୋଜ ମାଝୀଙ୍କୁ ପ୍ରଦାନ କରିବା ଏବଂ ତାଙ୍କ ଦସ୍ତଖତ ଥିବା ଦ୍ୱିତୀୟ କପି ଫେରାଇବାକୁ କୁହାଯାଇଛି। ଏଥିସହ ମାମଲା ସମ୍ପର୍କିତ ଡ୍ରାଫ୍ଟ ଚାର୍ଜ ଓ ପ୍ରମାଣପତ୍ର ଦାଖଲ କରିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି।
