Illegal Liquor Protest:ବେଆଇନ ମଦ କାରବାର ବନ୍ଦ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ ମହିଳା
ଗାଁରେ ବେଆଇନ ମଦ କାରବାରକୁ ନେଇ ବଢ଼ୁଛି ଅସନ୍ତୋଷ। ଏହାକୁ ବନ୍ଦ କରିବା ଦାବିରେ ଏକାଠି ହୋଇଛନ୍ତି ଶତାଧିକ ମହିଳା। ପ୍ରଶାସନକୁ ଚେତାବନୀ ଦେଇ କହିଛନ୍ତି, ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ।

ଜୟପୁର: ବେଆଇନ ମଦ କାରବାର ବନ୍ଦ ଦାବିରେ ଏକାଠି ହୋଇଛନ୍ତି ଶତାଧିକ ମହିଳା। ଜୟପୁର ବ୍ଲକ୍ ଅନ୍ତର୍ଗତ ବଡ଼ଜିଉନା ପଞ୍ଚାୟତରେ ଚାଲିଥିବା ବେଆଇନ ମଦ କାରବାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ଦାବିରେ ମହିଳାମାନେ ଆଜି ଜୟପୁର ଉପଜିଲ୍ଲାପାଳ ଓ ଏସଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିଛନ୍ତି।ଗ୍ରାମବାସୀଙ୍କ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକତ୍ରିତ ହୋଇ ଉଭୟ କାର୍ଯ୍ୟାଳୟରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ କିଛି ଅସାଧୁ ବ୍ୟକ୍ତି ବେଆଇନ ମଦ କାରବାରରେ ସମ୍ପୃକ୍ତ ରହି ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଏହାଦ୍ୱାରା ଗାଁରେ ଶାନ୍ତିଶୃଙ୍ଖଳା ବ୍ୟାହତ ହେବା ସହ ମହିଳା ଓ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା ସେମାନେ କହିଛନ୍ତି। ତେଣୁ ଏହି କାରବାରକୁ ତୁରନ୍ତ ବନ୍ଦ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି। ପ୍ରଶାସନ ତୁରନ୍ତ ଏହି ଦାବି ଉପରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବା ସହ ଧାରଣା ଦିଆଯିବ ବୋଲି ଆନ୍ଦୋଳନକାରୀ ମହିଳା ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
