Puri Divyang Darshan:ହ୍ୱିଲ୍ଚେୟାରରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ
ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ହେବନି ଅଧିକ ଅସୁବିଧା। ଦିବ୍ୟାଙ୍ଗ ଭକ୍ତଙ୍କ ଲାଗି ଶ୍ରୀମନ୍ଦିରରେ ଆରମ୍ଭ ହେବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ଅନଲାଇନ୍ରେ ସ୍ଲଟ୍ ବୁକିଂ କରି ହ୍ୱିଲ୍ଚେୟାରରେ ଯାଇ କରିପାରିବେ ଦର୍ଶନ।

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଖୁବ୍ଶୀଘ୍ର ଆରମ୍ଭ ହେବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ଏଥିପାଇଁ ଅନଲାଇନ୍ ପଞ୍ଜିକରଣ ଓ ସ୍ଲଟ୍ ବୁକିଂର ସୁବିଧା ଉପଲବ୍ଧ ହେବ। ଫଳରେ ଦିବ୍ୟାଙ୍ଗ ଭକ୍ତମାନେ ଅଧିକ ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଶ୍ରୀମନ୍ଦିରର ସତ୍ୟନାରାୟଣ ମନ୍ଦିର ନିକଟରେ ଅନଲାଇନ୍ ବୁକିଂର ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ଭକ୍ତମାନେ ଉତ୍ତର ଦ୍ୱାର ଦେଇ ହ୍ୱିଲ୍ଚେୟାରରେ ଯାଇ ଘଣ୍ଟିଦ୍ୱାର ନିକଟରେ ପ୍ରବେଶ କରି ଦର୍ଶନ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ। ପ୍ରତିଦିନ ୨୦ ଜଣ ଦିବ୍ୟାଙ୍ଗ ଭକ୍ତଙ୍କୁ ଦର୍ଶନର ସୁଯୋଗ ଦେବାକୁ ଯୋଜନା ରହିଛି।ଏନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା। ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସୁଗମ ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା।କାର୍ତ୍ତିକ ମାସ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଉପମୁଖ୍ୟ ପ୍ରଶାସକ କହିଛନ୍ତି। ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ବରିଷ୍ଠ ସେବାୟତ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
