Balada Jatra: ପଶୁପ୍ରେମ ଓ ଭାଇଚାରାର ନିଦର୍ଶନ ଭୁବନର ଐତିହାସିକ ବଳଦ ଯାତ୍ରା
ଭୁବନର ବିଶ୍ୱପ୍ରସିଦ୍ଧ ବଳଦ ଯାତ୍ରା: ପରମ୍ପରାରେ ଭାଇଚାରାର ବାର୍ତ୍ତା, ଆକର୍ଷଣ ସାଜିଲା ସୁସଜ୍ଜିତ ବଳଦ ଓ ରଙ୍ଗିନ ମେଢ଼।
ଭୁବନ: ପଶୁ ଓ ମଣିଷ ମଧ୍ୟରେ ଅନାବିଳ ସ୍ନେହର ନିଆରା ନିଦର୍ଶନ ହେଉଛି ଢେଙ୍କାନାଳ ଜିଲ୍ଲା ଭୁବନର ଐତିହାସିକ ବଳଦ ଯାତ୍ରା। ଦେଢ଼ ଶହ ବର୍ଷରୁ ଅଧିକ ପୁରୁଣା ଏହି ପାରମ୍ପରିକ ଯାତ୍ରା ଜାତି, ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ଭାଇଚାରାର ବନ୍ଧନକୁ ମଜଭୁତ କରିଆସୁଛି। ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ଦୁଇ ଦିନ ଧରି ଆୟୋଜିତ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ। କିମ୍ବଦନ୍ତୀ ଅନୁଯାୟୀ, ଭୁବନରେ ଏହି ଯାତ୍ରାର ଆରମ୍ଭ ଥୋରିଆ, ବଣିଆ ଓ କାଚେରା ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ହୋଇଥିଲା। ପରବର୍ତ୍ତୀ ସମୟରେ କଂସାରୀ, ଅଂଶୀ, ପାଟେରା, କାକୁଡ଼ିଆ ଓ ତୈଳିକ ସମ୍ପ୍ରଦାୟର ଲୋକେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।ପୂର୍ବରୁ ବ୍ୟବସାୟୀମାନେ ବଳଦଙ୍କୁ ପୂଜାର୍ଚ୍ଚନା କରି ବେପାର ବଣିଜ ପାଇଁ ବାହାରୁଥିଲେ। ବଳଦଙ୍କ ପିଠିରେ ପିତ୍ତଳ ଓ କଂସା ବାସନ, ଲୁଣ, ମୁଗ, ବିରି ଆଦି ସାମଗ୍ରୀ ବୋହି ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ବ୍ୟବସାୟ କରୁଥିଲେ। ସମୟକ୍ରମେ ଏହି ପରମ୍ପରା ଏକ ସାମୂହିକ ଉତ୍ସବର ରୂପ ନେଇଛି।
ଯାତ୍ରାର ଶୁଭାରମ୍ଭ ଅନୁକୂଳ ପୂଜାରୁ ହୋଇଥାଏ। ସୁସଜ୍ଜିତ ବଳଦଙ୍କୁ ଘଣ୍ଟ, ଶଙ୍ଖ ଓ ବାଦ୍ୟଯନ୍ତ୍ରର ତାଳେ ତାଳେ ରୋଷଣୀ କରି ଜଗନ୍ନାଥ ମନ୍ଦିର ନିକଟକୁ ଅଣାଯାଏ। ସେଠାରେ ପୂଜାର୍ଚ୍ଚନା ପରେ ଗୁଜୁରିହାଟଠାରୁ ଆରମ୍ଭ ହୁଏ ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ବିଭିନ୍ନ ସମ୍ପ୍ରଦାୟର ବଳଦ ସାମିଲ ହୋଇ ସମଗ୍ର ଭୁବନ ପରିକ୍ରମା କରନ୍ତି। ଚଳିତ ବର୍ଷ ଭୁବନର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୧୩ଟି ମେଢ଼, ୩୦ଟି ସୁସଜ୍ଜିତ ବଳଦ ଓ ୨ଟି ଷଣ୍ଢ ଯାତ୍ରାର ଶୋଭା ବଢ଼ାଇଛନ୍ତି। ଭୁବନର ପାରମ୍ପରିକ କଂସାବାସନ ଶିଳ୍ପ, ଓଡ଼ିଆ ପରମ୍ପରା ଓ ସଂସ୍କୃତି, ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ଆଦିବାସୀଙ୍କ ଜୀବନଜୀବିକା, କେଦାରନାଥ ଓ ପୁରାତନ ଢେଙ୍କିଶାଳ ଆଦିର ଝଲକ ବିଭିନ୍ନ ମେଢ଼ରେ ଦେଖିବାକୁ ମିଳିଛି।
ଯାତ୍ରାକୁ ଦେଖିବା ପାଇଁ ଭୁବନ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ବିଭିନ୍ନ ଛକରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଛି। ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମିଳିତ ଶାନ୍ତି କମିଟି ଓ ମିଳିତ ପୂଜା ଅନୁଷ୍ଠାନ କମିଟିର ସଦସ୍ୟମାନେ ସହଯୋଗ କରୁଛନ୍ତି। ଭୁବନର ଏହି ଐତିହାସିକ ବଳଦ ଯାତ୍ରା କେବଳ ଏକ ପାରମ୍ପରିକ ଉତ୍ସବ ନୁହେଁ, ବରଂ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ପଶୁପ୍ରେମ ଓ ସାମାଜିକ ସଦ୍ଭାବନାର ଏକ ଜ୍ୱଳନ୍ତ ଉଦାହରଣ।
