PM Modi: ଆସନ୍ତାକାଲି ଓଡ଼ିଶା ଆସିବେ ମୋଦି, ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା
ମୋଦିଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା, ସନ୍ଧ୍ୟାରେ ରାସ୍ତା ବନ୍ଦ । ଜଟଣୀରେ ଆରବିଆଇ ଡାଟା ସେଣ୍ଟର କରିବେ ଉଦ୍ଘାଟନ । ମୋଦିଙ୍କ ଗସ୍ତକୁ ନେଇ ଆଲର୍ଟରେ ପୁଲିସ ।

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ଗସ୍ତକୁ ନଜରରେ ରଖି ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ରଣନୀତି ପ୍ରସ୍ତୁତ ହୋଇଛି। ସୁରକ୍ଷା ଦାୟିତ୍ୱରେ ୫୭ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୫ କମ୍ପାନୀ CRPF ନିୟୋଜିତ ହେବେ। ଏହାସହ ମୋଟ ୨୦୦ ଜଣ ପୁଲିସ ଅଧିକାରୀ ଦାୟିତ୍ୱରେ ରହିବେ। ସେମାନଙ୍କ ମଧ୍ୟରେ ୧୦ ଜଣ ଏସ୍ପି ପାହ୍ୟାର ଅଧିକାରୀ ସାମିଲ ଅଛନ୍ତି। ଆଇନଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ପ୍ରଧାନମନ୍ତ୍ରୀଙ୍କ ଯାତାୟାତ ମାର୍ଗର ସୁରକ୍ଷା ଉପରେ ପୁଲିସ ଗୁରୁତ୍ୱ ଦେଇଛି।
ପ୍ରଧାନମନ୍ତ୍ରୀଙ୍କ VVIP ମୁଭମେଣ୍ଟକୁ ନେଇ ଟ୍ରାଫିକ୍ କଟକଣା ମଧ୍ୟ ଲାଗୁ ହୋଇଛି। ସନ୍ଧ୍ୟା ୫ଟା ୪୦ରୁ ୬ଟା ୪୦ ପର୍ଯ୍ୟନ୍ତ କିଛି ରାସ୍ତାରେ ଯାତାୟାତ ବନ୍ଦ ରହିବ। ଏଥିରେ ଆରବିଆଇ ଡାଟା ସେଣ୍ଟର, ଇନଫୋଭାଲି ଛକ, ତଳଖେତା ଛକ, ବାଟ ଭୁଆସୁଣୀ, ଜୟଦେବ ବିହାର ଛକ, ବେହେରା ସାହି, ଶାସ୍ତ୍ରୀନଗର, ପାୱାରହାଉସ୍ ଛକ, ଲୋକଭବନ, ଏଜି ଛକ ଓ ଏୟାରପୋର୍ଟ ଛକ ଅଞ୍ଚଳ ରହିଛି। ତେଣୁ ଏହି ସମୟରେ ଯାତାୟାତ କରୁଥିବା ଲୋକଙ୍କୁ ପୁଲିସର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି। ଏହି ଗସ୍ତରେ ଜଟଣୀସ୍ଥିତ ଆରବିଆଇ ଡାଟା ସେଣ୍ଟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହାକୁ ଓଡ଼ିଶାର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛି ବିଜେପି। ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହି ଗସ୍ତ ସହାୟକ ହେବ ବୋଲି ମନମୋହନ ସାମଲ କହିଛନ୍ତି। ଅନ୍ୟପଟେ, ସାଧାରଣ ଲୋକ ଯେପରି ପ୍ରଧାନମନ୍ତ୍ରୀଙ୍କୁ ନିକଟରୁ ଦେଖିପାରିବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା ରହିବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ମୋଦିଙ୍କ ଏହି ଗସ୍ତ ଓ ଆରବିଆଇ ଡାଟା ସେଣ୍ଟର ଉଦ୍ଘାଟନ ଓଡ଼ିଶାର ବିକାଶକୁ କେତେ ନୂଆ ସୁଯୋଗ ଦେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।
