Tehsildar caught red-handed:ନାଲି ବ୍ୟାଗ ସାଜିଲା କାଳ:ତହସିଲଦାର ବାବୁଙ୍କୁ ଭାରି ପଡିଲା ଲାଞ୍ଚ
କାମକରିବାକୁ ଟଙ୍କାମାଗିବା ମହଙ୍ଗା ପଡିଲା ଲାଞ୍ଚୁଆ ତହସିଲଦାର ବାବୁଙ୍କୁ | ରଙ୍ଗେ ହାତ ଧରିଲା ଲୋକାୟୁକ୍ତ | ନାଲି ବ୍ୟାଗରେ ବିଡା ବିଡା ଟଙ୍କା | ଧରାପଡ଼ି କାନ୍ଦିଲେ ଲାଞ୍ଚୁଆ ବଡ଼ବାବୁ | ସାମ୍ନାକୁ ଆସିଛି ଲାଞ୍ଚନେଇ କାମକରୁଥିବା ତହସିଲଦାରଙ୍କ କାରନାମା |
କୌଣସି ଫିଲ୍ମର ଦୃଶ୍ୟ ପରି ନାଟକୀୟ ଢଙ୍ଗରେ ଜଣେ ଲାଞ୍ଚ ନେଉଥିବା ଅଧିକାରୀଙ୍କୁ ରଙ୍ଗେହାତ ଧରିଛି ଲୋକାୟୁକ୍ତ। 50 ଲକ୍ଷ ଟଙ୍କା ଖାଇବା ପ୍ଲାନରେ ଥିଲେ ଲାଞ୍ଚଖୋର ତହସିଲଦାର। କର୍ଣ୍ଣାଟକର ଧାରୱାଡ଼ ତହସିଲ କାର୍ଯ୍ୟାଳୟରେ, ଜମିର ସଂଶୋଧନ ଏବଂ 'ପୋଡ଼ି' (ଉପ-ବିଭାଜନ) ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ତହସିଲଦାର ମାଗୁଥିଲେ ବିଡା ବିଡା ଟଙ୍କା | ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡି ବନ୍ଧା ହେଲେ ଲାଞ୍ଚୁଆ ବଡ଼ବାବୁ | ଅଭିଯୋଗ ଅନୁସାରେ ,ଧାରୱାଡ଼ ଜିଲ୍ଲାର ଜଣେ ରିଅଲ୍ ଇଷ୍ଟେଟ୍ ଡେଭଲପର୍ ନିଜ କିଣିଥିବା ଜମିର ରେକର୍ଡ ସଂଶୋଧନ ପାଇଁ ତହସିଲଦାର ସଚିଦାନନ୍ଦ କୁଚନୁରଙ୍କ ପାଖରେ ଆବେଦନ କରିଥିଲେ। କାମ ବଦଳରେ ଟଙ୍କା ଓ ଜମି ଡିମାଣ୍ଡ କରିଥିଲେ ତହସିଲଦାର | ନିରାଶ ହୋଇ ଅଭିଯୋଗକାରୀ ବୁଧବାର ଦିନ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ତହସିଲଦାରଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ ଲୋକାୟୁକ୍ତ ଅଧିକାରୀ ସିଦ୍ଧଲିଙ୍ଗପ୍ପା। ତହସିଲଦାର ଲାଞ୍ଚ ଟଙ୍କା ନେବା ପାଇଁ ଅଭିଯୋଗକାରୀଙ୍କୁ 'କେସିଡି ଗ୍ରାଉଣ୍ଡ' ନିକଟକୁ ଡାକିଥିଲେ | ଯୋଜନା ମୁତାବକ, ଅଭିଯୋଗକାରୀ ନଗଦ ଟଙ୍କା ଥିବା ନାଲି ବ୍ୟାଗ୍ ତହସିଲଦାରଙ୍କ ହାତକୁ ବଢାଇବା ମାତ୍ରେ, ପୂର୍ବରୁ ଛକି ରହିଥିବା ଲୋକାୟୁକ୍ତ ଟିମ୍ ତାଙ୍କୁ କାବୁ କରିଥିଲେ। ଧରା ପଡିବା ପରେ ଭୋ ଭୋ ହେଇ କାନ୍ଦିବା ହାତଯୋଡ଼ି ନେହୁରା ହେଇଥିଲେ ତହସିଲଦାର | ତେବେ, ଘଟଣା ପରେ ସମ୍ପୃକ୍ତ ତହସିଲଦାରଙ୍କ ଅନ୍ୟାନ୍ୟ ସମ୍ପତ୍ତି ଓ କୁଚନୂର ପରିସରର ତଦନ୍ତ ପାଇଁ ଆଇନଗତ ପ୍ରକ୍ରିୟା ଜୋରଦାର କରାଯାଇଛି।
