ରିଲ୍ସ କରି ସସପେଣ୍ଡ- ଏବେ ଚାକିରୀ ଗଲା!
ଗୌତମୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲିଂର ସାମ୍ନା ବି କରିବାକୁ ପଡ଼ିଥିଲା। ଅନଲାଇନରେ ତାଙ୍କ ସହ କୌଣସି ଦୁର୍ବ୍ୟବହାର ନ କରିବାକୁ ସେ ଲୋକଙ୍କୁ ବି ଅପିଲ୍ କରିଥିଲେ। ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ବ୍ୟକ୍ତିଗତ ଓ ଜୀବିକାଗତ ଜୀବନରେ ସାମ୍ନା କରୁଥିବା ଅସୁବିଧା ବାବଦରେ ସେ କହିବା ବେଳେ ବେଶ୍ ଭାବବିହ୍ୱଳ ହୋଇପଡ଼ିଛନ୍ତି। କାନ୍ଦି କି କହିଛନ୍ତି, ସେ ଆଦିବାସୀ ବର୍ଗ ଓ ଗରିବ ପରିବାରରୁ ଆସିଛନ୍ତି।

ଇନଷ୍ଟାରେ ରିଲ୍ସ ପୋଷ୍ଟ କରି ଆଗ ସସପେଣ୍ଡ ହେଲେ। ଆଉ ଏବେ ନିଜେ ଚାକିରୀରୁ ଇସ୍ତଫା ଦେଇଦେଲେ ଶିକ୍ଷୟତ୍ରୀ। ସୋସିଆଲ ମିଡିଆରେ ଏକ ପ୍ରାଇଭେଟ ସ୍କୁଲକୁ ପ୍ରମୋଟ କରିଥିଲେ ଭୁକ୍ୟା ଗୌତମୀ। ଗୌତମୀ ଜଣେ ସରକାରୀ ଶିକ୍ଷୟତ୍ରୀ। ୬ ମାସ ତଳେ ଗୌତମୀଙ୍କୁ ସସପେଣ୍ଡ କରାଯାଇଥିଲା। ଆଉ ଏବେ ନିଜ ପଦରୁ ଇସ୍ତଫା ଦେଇ ଜାରି କରିଛନ୍ତି ଭାବବିହ୍ୱଳ ପୋଷ୍ଟ। ଗୌତମୀ ଆରୋପ ଲଦିଛନ୍ତି ଯେ, ସେ ସସପେଣ୍ଡ ହେବା ପରେ ତାଙ୍କୁ ନୂଆ ପୋଷ୍ଟିଂ ବି ମିଳିଥିଲା। ହେଲେ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ବାରମ୍ୱାର ଅପମାନିତ କରିଚାଲିଛନ୍ତି। ଆଉ ନାନା ଆଳରେ ହଇରାଣ ହରକତ କରୁଛନ୍ତି। ସେ ରିଲ୍ସ ଘରେ କରୁଥିଲେ। ସ୍କୁଲ ସମୟରେ କଦାପି ବି ନିଜର ସମୟ ବରବାଦ କରନ୍ତିନି। ଆଉ ସୋସିଆଲ ମିଡିଆରେ ଇସ୍ତଫା ଦେଉଛି କହିବା ବେଳେ ଗୌତମୀ କହିଛନ୍ତି ଯେ, ଆଉ ଅଧିକ ସମାଲୋଚନା ତାଙ୍କୁ ଅସହ୍ୟ ହେଲାଣି। ଏଠାରେ ତାଙ୍କ ଭଳି କୌଣସି ପରିଶ୍ରମୀ ଶିକ୍ଷକଙ୍କ ସ୍ଥାନ ନାହିଁ। ଭୁକ୍ୟା ଗୌତମୀ ତେଲେଙ୍ଗାନାର ଖମ୍ମମ ଜିଲ୍ଲାର ମମିଲଲାଗୁଡ଼େନ ହାଇସ୍କୁଲରେ ଇଂରାଜୀ ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ। ଡ୍ୟୁଟିରେ ଅବହେଳା ଓ ଇନଷ୍ଟା ରିଲ୍ସ ଜରିଆରେ ପ୍ରାଇଭେଟ ସ୍କୁଲରେ ଆଡମିଶନ କରିବାକୁ ଉସୁକାଉଥିବାର ଆରୋପ ଲାଗିଥିଲା। ଅଧିକାରୀଙ୍କ ବାରମ୍ୱାର ତାଗିଦ ସତ୍ତ୍ୱେ ସେ ସ୍କୁଲ ସମୟରେ ରିଲ୍ସ କରୁଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଚୈତନ୍ୟ ଜୈନି ତାଙ୍କୁ ଜାନୁଆରୀରେ ସସପେଣ୍ଡ କରିଥିଲେ। ଗୌତମୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲିଂର ସାମ୍ନା ବି କରିବାକୁ ପଡ଼ିଥିଲା। ଅନଲାଇନରେ ତାଙ୍କ ସହ କୌଣସି ଦୁର୍ବ୍ୟବହାର ନ କରିବାକୁ ସେ ଲୋକଙ୍କୁ ବି ଅପିଲ୍ କରିଥିଲେ। ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ବ୍ୟକ୍ତିଗତ ଓ ଜୀବିକାଗତ ଜୀବନରେ ସାମ୍ନା କରୁଥିବା ଅସୁବିଧା ବାବଦରେ ସେ କହିବା ବେଳେ ବେଶ୍ ଭାବବିହ୍ୱଳ ହୋଇପଡ଼ିଛନ୍ତି। କାନ୍ଦି କି କହିଛନ୍ତି, ସେ ଆଦିବାସୀ ବର୍ଗ ଓ ଗରିବ ପରିବାରରୁ ଆସିଛନ୍ତି। ସେ ନିଜ ବାପା ଓ ସ୍ୱାମୀଙ୍କ ସହଯୋଗରେ ଶିକ୍ଷୟତ୍ରୀ ଚାକିରୀ କରିଛନ୍ତି। ସେ ଏହି ବ୍ୟବସ୍ଥାରେ ୧୨ ବର୍ଷ ଧରି ପୁରା ଏକାଗ୍ରତାର ସହ କାମ କରିଛନ୍ତି। ସେ ଶିକ୍ଷୟତ୍ରୀ ହେବାକୁ ଏଥିଲାଗା ଚାହିଁଥିଲେ ଯେ, ଗରିବ ଅସହାୟଙ୍କୁ ଶିକ୍ଷାଦାନ କରିପାରିବେ। ଅପମାନ ଓ ଚାପ ସତ୍ତ୍ୱେ ସେ ସିଷ୍ଟମ ସହ ଲଢ଼ି ଚାଲିଥିଲେ। ଏବେ ସେ ଥକିପଡ଼ିଛନ୍ତି। ଏହା ସହ ସ୍ୱୀକାର କରିଛନ୍ତି ଯେ, ସେ ପରିଣାମ କଅଣ ହେବ ନ ଭାବି ଇନଷ୍ଟାରେ ରିଲ୍ସ କରୁଥିଲେ। ଡିଇଓଙ୍କୁ ଭେଟିଗଲା ବେଳେ ସେ ଦିନ ତମାମ ବାହାରେ ଅପେକ୍ଷା କରାଇଲେ। ଭେଟିବାକୁ ମନା କରିଦେଲେ। ପୋଷ୍ଟିଂ ଦେବାକୁ କାକୁତିମିନତି ହେବାରୁ ଡିଇଓ ତାଙ୍କୁ ଲାଞ୍ଛନା ଦେଲେ। ତାଙ୍କ ସହ ଖରାପ ବ୍ୟବହାର କଲେ।
