NMC’s Big Decision : MBBS ଛାତ୍ରଛାତ୍ରୀଙ୍କ ଭାଗ୍ୟ ବଦଳାଇବ ଏହି ନିଷ୍ପତ୍ତି
NMCର ବଡ଼ ନିଷ୍ପତ୍ତି | ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷର ଯୋଗ୍ୟ MBBS ଛାତ୍ରଛାତ୍ରୀଙ୍କୁ ପ୍ରଥମ ପ୍ରଫେସନାଲ୍ ପରୀକ୍ଷା ପାସ୍ ପାଇଁ ମିଳିବ ଆଉ ଏକ ସୁଯୋଗ |

MBBS ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଯୋଗ୍ୟ MBBS ଛାତ୍ରଛାତ୍ରୀଙ୍କୁ ପ୍ରଥମ ପ୍ରଫେସନାଲ୍ MBBS ପରୀକ୍ଷା ପାସ୍ କରିବା ପାଇଁ ଆଉ ଗୋଟିଏ ଅତିରିକ୍ତ ସୁଯୋଗ ମିଳିବ। କୋଭିଡ୍ ମହାମାରୀ ସମୟରେ ଅସୁବିଧା, ଅସୁସ୍ଥତା କିମ୍ବା ଅନ୍ୟାନ୍ୟ କାରଣରୁ ପରୀକ୍ଷାରେ ସଫଳ ହୋଇପାରି ନଥିବା ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବାର ବାଟ ଖୋଲିଛି | ଏନେଇ ନ୍ୟାସନାଲ୍ ମେଡିକାଲ୍ କମିଶନ (NMC) ପକ୍ଷରୁ ଅସ୍ଥାୟୀ କୋହଳ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କ ଏହି ସମସ୍ୟାକୁ ବିଚାରକୁ ନେଇ କମିଶନ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି |
NMCର ବ୍ୟବସ୍ଥା ଅନୁଯାୟୀ, ଯୋଗ୍ୟ ଛାତ୍ରଛାତ୍ରୀମାନେ ପ୍ରଥମ ପ୍ରଫେସନାଲ୍ MBBS ପରୀକ୍ଷା ପାସ୍ କରିବା ପାଇଁ ପୂର୍ବରୁ ନିର୍ଦ୍ଧାରିତ ୪ଟି ସୁଯୋଗ ବ୍ୟତୀତ ଆଉ ଗୋଟିଏ ଅତିରିକ୍ତ ସୁଯୋଗ ପାଇପାରିବେ। ଅର୍ଥାତ୍, ମୋଟ ୫ଟି ସୁଯୋଗ ମିଳିବ | ଏହି ସୁବିଧା କେବଳ ନିର୍ଦ୍ଧାରିତ ଯୋଗ୍ୟତା ଓ ସର୍ତ୍ତ ପୂରଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ହେବ।
୪ ବର୍ଷ ଅବଧି ଅତିକ୍ରମ କରିଥିଲେ ବି ସୁଯୋଗ
ପ୍ରଥମ ପ୍ରଫେସନାଲ୍ MBBS ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଧାରିତ ୪ ବର୍ଷର ଅବଧି ଅତିକ୍ରମ କରିସାରିଥିଲେ ମଧ୍ୟ ଯୋଗ୍ୟ ଛାତ୍ରଛାତ୍ରୀ ଏହି ଅତିରିକ୍ତ ସୁଯୋଗର ଲାଭ ଉଠାଇପାରିବେ | ସେମାନଙ୍କର ନାମଲେଖା ବୈଧ ଥିବା ଆବଶ୍ୟକ | ଏହା ସହିତ, ବାଧ୍ୟତାମୂଳକ ରୋଟେଟିଂ ମେଡିକାଲ୍ ଇଣ୍ଟର୍ଣ୍ଣସିପ୍ ସମେତ ସମଗ୍ର MBBS ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାର ମୋଟ ଅବଧି ନାମଲେଖା ତାରିଖଠାରୁ ୧୦ ବର୍ଷରୁ ଅଧିକ ହେବ ନାହିଁ ବୋଲି NMC ପକ୍ଷରୁ ସର୍ତ୍ତ ରଖାଯାଇଛି।
