Student TC Issue:ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଟିସି ଦେଇ ବିଦା
ସ୍କୁଲରେ ପିଲାଙ୍କ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଏହାର କିଛି ମାସ ପରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ନାମରେ ଜାରି ହେଲା ଟିସି। ଏବେ ଦୁଇ ମାସ ହେଲା ପାଠପଢ଼ାରୁ ଦୂରରେ ରହିଛନ୍ତି ଛାତ୍ରୀ।
ଭଦ୍ରକ: ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଦେବାକୁ ଶିକ୍ଷା ଅଧିକାର ଆଇନରେ ବ୍ୟବସ୍ଥା ରହିଛି। ହେଲେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଟ୍ରାନ୍ସଫର ସାର୍ଟିଫିକେଟ୍ (ଟିସି) ଦେଇ ବିଦ୍ୟାଳୟରୁ ବିଦା କରାଯାଇଥିବା ଅଭିଯୋଗ ଏବେ ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟକ୍ତିଗତ ବିବାଦର ପ୍ରଭାବ ଜଣେ କୋମଳମତି ଶିଶୁର ପାଠପଢ଼ା ଉପରେ ପଡ଼ିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପ୍ରଧାନଶିକ୍ଷକଙ୍କ ନିଲମ୍ବନ ଦାବି କରିଛନ୍ତି ଅଭିଭାବକ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁରସ୍ଥିତ ଜଗୁଲାଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଗତ ଜୁଲାଇ ମାସରେ ବିଦ୍ୟାଳୟରେ ପିଲାଙ୍କ ମଧ୍ୟରେ ଏକ ସାମାନ୍ୟ ବଚସା ହୋଇଥିଲା। ଏହାକୁ ନେଇ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ପାର୍ବତୀ ବେହେରାଙ୍କ ମା’ ସ୍କୁଲକୁ ଯାଇ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସେଠୀଙ୍କ ସହ ଆଲୋଚନା କରିଥିଲେ। ତେବେ ଏହି ଆଲୋଚନା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଘଟଣା ଧାମନଗର ଥାନାରେ ପହଞ୍ଚିଥିଲା। ଜୁଲାଇ ୨୪ ତାରିଖରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏହାର କିଛି ମାସ ପରେ ଅକ୍ଟୋବର ୮ ତାରିଖରେ ପ୍ରଧାନଶିକ୍ଷକ ଛାତ୍ରୀଙ୍କ ନାମରେ ଟିସି ନଂ ୨୭/୨୦୨୬ ଜାରି କରିଥିବା ଅଭିଯୋଗ ହୋଇଛି। ଟିସିରେ 'To read elsewhere' ଉଲ୍ଲେଖ ଥିବାବେଳେ ଅଭିଭାବକଙ୍କ ପକ୍ଷରୁ ଅନ୍ୟ ବିଦ୍ୟାଳୟକୁ ଯିବା ପାଇଁ କୌଣସି ଲିଖିତ ଆବେଦନ କରାଯାଇନଥିବା ପରିବାର ଦାବି କରିଛି। ଫଳରେ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ପାର୍ବତୀ ଗତ ଦୁଇ ମାସ ଧରି ପାଠପଢ଼ାରୁ ବଞ୍ଚିତ ହୋଇଥିବା କୁହାଯାଇଛି। ଏହି ଘଟଣାକୁ ନେଇ ଶିକ୍ଷା ଅଧିକାର ଆଇନ-୨୦୦୯ର ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଆଇନର ଧାରା ୫ରେ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତର ସମୟରେ ଶିଶୁଙ୍କ ଶିକ୍ଷା ଅବ୍ୟାହତ ରଖିବାର ବ୍ୟବସ୍ଥା ରହିଛି। ଧାରା ୧୬ରେ ପ୍ରାଥମିକ ଶିକ୍ଷା ସମାପ୍ତ ହେବା ପୂର୍ବରୁ ଶିଶୁଙ୍କୁ ସ୍କୁଲରୁ ବହିଷ୍କାର କରିବା ଉପରେ କଟକଣା ରହିଛି। ସେହିପରି ଧାରା ୧୭ରେ ଶାରୀରିକ ଦଣ୍ଡ ଓ ମାନସିକ ନିର୍ଯାତନାକୁ ନିଷିଦ୍ଧ କରାଯାଇଛି। ଘଟଣାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଅଭିଭାବକ। ପ୍ରଧାନଶିକ୍ଷକଙ୍କ ବିରୋଧରେ ତଦନ୍ତ କରି ନିଲମ୍ବନ ସମେତ ଦୃଢ଼ ଶୃଙ୍ଖଳାଗତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏଥିସହ ଛାତ୍ରୀଙ୍କ ପାଠପଢ଼ା ପୁନର୍ବାର ସୁନିଶ୍ଚିତ କରିବାକୁ ଜିଲ୍ଲା ଶିକ୍ଷା ବିଭାଗର ହସ୍ତକ୍ଷେପ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
