Child Digital Security: ପିଲାଙ୍କୁ ଭଲ ଓ ଖରାପ ସ୍ପର୍ଶରେ ଅନ୍ତର ବୁଝାଅ
ଯୌନ ଶିକ୍ଷା ଓ ଡିଜିଟାଲ ସେଫଟି କରିକୁଲମକୁ ସ୍କୁଲମାନେ ଅନ୍ତର୍ଭୁକ୍ତ କରିବା ଜରୁରୀ।ଭାରତରେ ଶିଶୁମାନଙ୍କୁ ଅନଲାଇନ୍ ଯୌନ ଶୋଷଣ, ସାଇବର ହଇରାଣ, ଅଶ୍ଳୀଳ ତଥା କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ଅକ୍ଟୋବର ୧୫, ୨୦୨୬ରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତି ଶ୍ରେଣୀଗୃହରେ ଚାଇଲ୍ଡ ପ୍ରୋଟେକ୍ସନ ହେଲପଲାଇନ ଡିସପ୍ଲେ ଲଗାଅ। ହଷ୍ଟେଲ, ଲାଇବ୍ରେରୀ ସବୁଠି ଡିଜିଟାଲ ସେଫଟି ବାବଦରେ ପିଲାଙ୍କୁ ସଚେତନ କରାଅ। ଭଲ ସ୍ପର୍ଶ ଓ ମନ୍ଦ ସ୍ପର୍ଶ ବାବଦରେ ପିଲାଙ୍କୁ ପଢ଼ାଅ। ତାଲିମପ୍ରାପ୍ତ ଶିକ୍ଷକଙ୍କୁ ଆଣି ବଢ଼ୁଥିବା ପିଲାଙ୍କ ଭିତରେ ଭଲ, ମନ୍ଦ ଓ ଅସଦାଚରଣର ପ୍ରକୃତ ସ୍ୱରୂପ କଅଣ ବତାଅ। ସୁପ୍ରିମକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି। କାରଣ ପିଲାଏ ନିଜ ଶରୀର, ଭଲ ଓ ମନ୍ଦ ସ୍ପର୍ଶରେ ବିଭେଦ କଅଣ ଜାଣିବା ନିହାତି ଜରୁରୀ। ଯୌନ ଶିକ୍ଷା ଓ ଡିଜିଟାଲ ସେଫଟି କରିକୁଲମକୁ ସ୍କୁଲମାନେ ଅନ୍ତର୍ଭୁକ୍ତ କରିବା ଜରୁରୀ।
ଭାରତରେ ଶିଶୁମାନଙ୍କୁ ଅନଲାଇନ୍ ଯୌନ ଶୋଷଣ, ସାଇବର ହଇରାଣ, ଅଶ୍ଳୀଳ ତଥା କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ଅକ୍ଟୋବର ୧୫, ୨୦୨୬ରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଶିଶୁଙ୍କ ଡିଜିଟାଲ୍ ସୁରକ୍ଷା ଓ ବୟସ ଅନୁଯାୟୀ ଯୌନ ଶିକ୍ଷାକୁ ସ୍କୁଲର ମୂଳ ପାଠ୍ୟକ୍ରମରେ ସାମିଲ କରିବା ଆବଶ୍ୟକ। ଜଷ୍ଟିସ୍ ଜେ.ବି. ପର୍ଦିୱାଲା ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ମାମଲାରେ ଶିଶୁଙ୍କୁ ସୁରକ୍ଷିତ ଇଣ୍ଟରନେଟ୍ ବ୍ୟବହାର ଶିଖାଇବା ସହ ଶିକ୍ଷକ, ଅଭିଭାବକ, ସ୍କୁଲ ପ୍ରଶାସନ ଓ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକର ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି।
ସ୍କୁଲ ଓ ଶ୍ରେଣୀଗୃହ ପାଇଁ ସୁପ୍ରିମକୋର୍ଟଙ୍କ ପ୍ରମୁଖ ନିର୍ଦ୍ଦେଶ
୧. ପାଠ୍ୟକ୍ରମରେ ଡିଜିଟାଲ୍ ସୁରକ୍ଷା
ପ୍ରାଥମିକ ଶ୍ରେଣୀରୁ ପିଲାଙ୍କୁ ଅନଲାଇନ୍ ବିପଦ, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା, ଅଜଣା ବ୍ୟକ୍ତିଙ୍କ ସହ ଅନଲାଇନ୍ ଯୋଗାଯୋଗ ଓ ଅନୁଚିତ ଅନୁରୋଧ ଚିହ୍ନିବା ବିଷୟରେ ଶିକ୍ଷା ଦେବାକୁ କୁହାଯାଇଛି।
୨. ପ୍ରତ୍ୟେକ ଶ୍ରେଣୀଗୃହରେ ହେଲ୍ପଲାଇନ୍
ସ୍କୁଲର ଶ୍ରେଣୀଗୃହ, ହଷ୍ଟେଲ୍, ଲାଇବ୍ରେରୀ ଓ କମ୍ପ୍ୟୁଟର ଲ୍ୟାବ୍ରେ ଶିଶୁ ସହାୟତା ନମ୍ୱର ୧୦୯୮, ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ ଏବଂ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ୍ର ବିବରଣୀ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ରହିଛି।
୩. ଶିକ୍ଷକଙ୍କୁ ତାଲିମ
ଶିକ୍ଷକ ଓ ଅନ୍ୟ ସ୍କୁଲ କର୍ମଚାରୀଙ୍କୁ ଅନଲାଇନ୍ ଶୋଷଣ, ଗ୍ରୁମିଂ, ସାଇବର ହଇରାଣ ଓ ଶିଶୁ ନିର୍ଯାତନାର ଲକ୍ଷଣ ଚିହ୍ନିବା ସହ ଅଭିଯୋଗ ମିଳିଲେ କିପରି ପଦକ୍ଷେପ ନେବେ, ସେଥିପାଇଁ ତାଲିମ ଦେବାକୁ କୁହାଯାଇଛି।
୪. ସ୍କୁଲର ଇଣ୍ଟରନେଟ୍ରେ ଫିଲ୍ଟର
ସ୍କୁଲ ଓ ଶିକ୍ଷାନୁଷ୍ଠାନର ଡିଜିଟାଲ୍ ଡିଭାଇସ୍ ଏବଂ ନେଟୱର୍କରେ କ୍ଷତିକାରକ ବିଷୟବସ୍ତୁକୁ ରୋକିବା ପାଇଁ ଯଥାଯଥ ଫିଲଟରର ବ୍ୟବସ୍ଥା କରିବାକୁ ଅଦାଲତ କହିଛନ୍ତି।
ପିଲାଙ୍କୁ କ'ଣ ଶିଖାଇବାକୁ ପଡ଼ିବ?
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଡିଜିଟାଲ୍ ସୁରକ୍ଷା କେବଳ ମୋବାଇଲ୍ କିମ୍ବା କମ୍ପ୍ୟୁଟର ବ୍ୟବହାରରେ ସୀମିତ ନୁହେଁ। ପିଲାମାନେ ନିଜ ଶରୀର, ବ୍ୟକ୍ତିଗତ ସୀମା ଓ ନିଜର ଅଧିକାର ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ।
ସୁରକ୍ଷିତ ଓ ଅସୁରକ୍ଷିତ ସ୍ପର୍ଶ: କେଉଁ ପ୍ରକାରର ସ୍ପର୍ଶ ଅନୁଚିତ, ତାହା ଚିହ୍ନିବା
ଅନଲାଇନ୍ ଗ୍ରୁମିଂ: ଅଜଣା ବ୍ୟକ୍ତି ବନ୍ଧୁତା ନାଁରେ କିପରି ପିଲାଙ୍କ ବିଶ୍ୱାସ ଜିତି ଶୋଷଣ କରିପାରନ୍ତି, ତାହା ବୁଝିବା
ବ୍ୟକ୍ତିଗତ ଫଟୋ ଓ ତଥ୍ୟ: ନିଜର ଫଟୋ, ଠିକଣା, ପାସୱାର୍ଡ ଓ ଅନ୍ୟ ବ୍ୟକ୍ତିଗତ ସୂଚନା ଅନ୍ୟମାନଙ୍କୁ ଦେବାର ବିପଦ ଜାଣିବା
ସମ୍ମତି ଓ ସମ୍ମାନ: ଅନ୍ୟ ପିଲାଙ୍କ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ଅନୁମତି ବିନା ସେୟାର୍ ନକରିବା
ଭୟ ନକରି ଅଭିଯୋଗ: କୌଣସି ଅନୁଚିତ ଘଟଣା ଘଟିଲେ ବିଶ୍ୱସ୍ତ ଶିକ୍ଷକ, ଅଭିଭାବକ କିମ୍ୱା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା।
ଏହି ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ NCERT ଓ ରାଜ୍ୟସ୍ତରର SCERT ସଂସ୍ଥାଗୁଡ଼ିକ ଶିଶୁ ମନୋବିଜ୍ଞାନୀ, ଶିକ୍ଷାବିତ୍ ଓ ଅଭିଭାବକତ୍ୱ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବେ।
ଅଭିଭାବକ ଓ ସୋସିଆଲ୍ ମିଡିଆ କମ୍ପାନୀଙ୍କ ଦାୟିତ୍ୱ
ଅଦାଲତ ସ୍କୁଲଗୁଡ଼ିକୁ ନିୟମିତ ବ୍ୟବଧାନରେ ଅଭିଭାବକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାକୁ କହିଛନ୍ତି। ଏଥିରେ ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍, ଅନଲାଇନ୍ ବିପଦ ଓ ପିଲାଙ୍କ ଆଚରଣରେ ଦେଖାଯାଉଥିବା ଚିନ୍ତାଜନକ ପରିବର୍ତ୍ତନ ବିଷୟରେ ଆଲୋଚନା ହେବ। ସୋସିଆଲ୍ ମିଡିଆ ଓ ଅନ୍ୟ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ପିଲାଙ୍କୁ ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନ କରିବା, ଅଜଣା ବୟସ୍କଙ୍କ ସହ ଯୋଗାଯୋଗ ସମୟରେ ସତର୍କତା ସୂଚନା ଦେବା ଏବଂ ଅନୁଚିତ ବିଷୟବସ୍ତୁ ଚିହ୍ନଟ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଶୋଷଣର ଶିକାର ପିଲାମାନଙ୍କୁ ଆବଶ୍ୟକତା ଅନୁଯାୟୀ ମାଗଣା କାଉନସେଲିଂ ଓ ମାନସିକ ସହାୟତା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।
ଏହି ମାମଲାରେ ଆଗକୁ କ'ଣ ହେବ?
ଏହି ନିର୍ଦ୍ଦେଶ Just Rights for Children Alliance v S. Harish ମାମଲାରେ ଦିଆଯାଇଛି। କେନ୍ଦ୍ର ସରକାରଙ୍କୁ ଡିଜିଟାଲ୍ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଓ ନିର୍ଦ୍ଦେଶଗୁଡ଼ିକର କାର୍ଯ୍ୟକାରିତା ବିଷୟରେ ଅଦାଲତରେ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ପରବର୍ତ୍ତୀ ଶୁଣାଣି ୧୦ ଡିସେମ୍ବର ୨୦୨୬ ପାଇଁ ଧାର୍ଯ୍ୟ ହୋଇଛି। ଇଣ୍ଟରନେଟ୍ରୁ ପିଲାଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ନୁହେଁ; ବରଂ ସେମାନଙ୍କୁ ଡିଜିଟାଲ୍ ଜ୍ଞାନ ଦେବା ସହ ଅନଲାଇନ୍ ବିପଦରୁ ସୁରକ୍ଷା ଦେବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
