Tarinigada: ପାରାଦୀପ ତାରିଣୀଗଡା ପାଇଁ ଆସିବ ନୂଆ ଏସଓପି
ତାରିଣୀଗଡାରେ ବଢୁଛି ଅପରାଧ, ଆସିବ ନୂଆ ଏସ୍ଓପି । ଭଡ଼ାଟିଆଙ୍କ ତଥ୍ୟ ନଦେଲେ ଘର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ- SP ।
ପାରାଦୀପ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପାରାଦୀପର ତାରିଣୀଗଡା ଅଞ୍ଚଳର ସ୍ଥିତି। ଦୁଷ୍କର୍ମ, ଅପହରଣ, ହତ୍ୟାଠାରୁ ଆରମ୍ଭ କରି ସୁନା ଦୋକାନରେ ଲୁଟ୍ ଏବଂ ବେଆଇନ କାର୍ଯ୍ୟକଳାପକୁ ନେଇ ଏବେ ପୋଲିସର ଚିନ୍ତା ବଢ଼ିଛି। ତାରିଣୀଗଡା ଅଞ୍ଚଳରେ ଅପରାଧ ରୋକିବା ଏବଂ ଭଡ଼ାଟିଆଙ୍କ ଉପରେ ନଜର ରଖିବାକୁ ନୂଆ ଏସ୍ଓପି ଆଣିବାକୁ ନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା। ଏସ୍ପିଙ୍କ କହିବା ଅନୁଯାୟୀ, ଯେଉଁ ଘର ମାଲିକ କିମ୍ବା ଗେଷ୍ଟ ହାଉସ୍ ମାଲିକ ନିଜ ଘରେ ରହୁଥିବା ଭଡ଼ାଟିଆଙ୍କ ସମ୍ପର୍କରେ ପୋଲିସକୁ ଆବଶ୍ୟକ ତଥ୍ୟ ଦେବେ ନାହିଁ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ। ତାରିଣୀଗଡା ଏବେ ପାରାଦୀପର ଏକ ପ୍ରମୁଖ ଆବାସିକ ଅଞ୍ଚଳ ଭାବେ ଉଭା ହୋଇଛି। ଏଠାରେ ପ୍ରାୟ ୧୫୦୦ରୁ ଅଧିକ ଘର ଥିବା କୁହାଯାଉଥିବା ବେଳେ ଅନେକ ଘର ଭଡ଼ାରେ ଦିଆଯାଇଛି। ପାରାଦୀପର ବିଭିନ୍ନ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଠିକଣା ମଧ୍ୟ ପାଲଟିଛି ତାରିଣୀଗଡା। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ଏଠାରେ ଭଡ଼ାରେ ରହୁଛନ୍ତି। ତେବେ ଅଭିଯୋଗ ହେଉଛି, ଅନେକ ଘର ମାଲିକ ନିଜ ଘରେ କିଏ ଭଡ଼ାରେ ରହୁଛି, ସେ ସମ୍ପର୍କରେ ପୋଲିସକୁ ସଠିକ୍ ସୂଚନା ଦେଉନାହାନ୍ତି। ଭଡ଼ାଟିଆଙ୍କ ପରିଚୟପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ପୋଲିସ ନିକଟରେ ଦାଖଲ କରିବାକୁ ପୋଲିସ ପକ୍ଷରୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କିଛି ଘର ମାଲିକ ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ରହିଛି।
ପୂର୍ବରୁ ତାରିଣୀଗଡାର ଶମ୍ଭୁ ଖୁଣ୍ଟିଆଙ୍କ ଭଡ଼ା ଘରେ ଜଣେ ଯୁବକ କମ୍ପାନୀ କର୍ମଚାରୀ ପରିଚୟରେ ରହୁଥିବା ବେଳେ ରାହାମା ଅଞ୍ଚଳରୁ ଜଣେ ଯୁବତୀଙ୍କୁ ଆଣି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣା ପରେ ଭଡ଼ାଟିଆଙ୍କ ପରିଚୟ ଯାଞ୍ଚକୁ ନେଇ ପ୍ରଶ୍ନ ଉଠିଥିଲା। ସେହିପରି ନିକଟରେ ତାରିଣୀଗଡାସ୍ଥିତ ସାଧନା ଜୁଏଲାରୀରୁ ବନ୍ଧୁକ ଦେଖାଇ ୨୩ଟି ସୁନା ମୁଦି ଲୁଟ୍ କରାଯାଇଥିଲା। ଏହାଛଡ଼ା ତାରିଣୀଗଡାର ବିଭିନ୍ନ ସ୍ପା ଉପରେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିବା ମଧ୍ୟ ସୂଚନା ମିଳିଛି। ତାରିଣୀଗଡାରେ ଅଧିକାଂଶ ଲୋକ ଭଡ଼ାଟିଆ ଭାବେ ରହୁଥିବାରୁ ସେମାନଙ୍କ ପରିଚୟ ଓ ଠିକଣା ସମ୍ପର୍କରେ ପୋଲିସ ପାଖରେ ସଠିକ୍ ତଥ୍ୟ ରହିବା ଅତ୍ୟନ୍ତ ଜରୁରୀ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଘର ମାଲିକମାନେ ଭଡ଼ାଟିଆଙ୍କ ଆଧାରକାର୍ଡ ସମେତ ଆବଶ୍ୟକ ତଥ୍ୟ ପୋଲିସ ନିକଟରେ ପ୍ରଦାନ କରିବାକୁ ହେବ। ଏହି ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି କହିଛନ୍ତି। ଅନ୍ୟପଟେ ତାରିଣୀଗଡା ଗ୍ରାମ୍ୟ କମିଟି ମଧ୍ୟ ଅଞ୍ଚଳରେ ବଢୁଥିବା ଅପରାଧକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।
