Ganjam Food Poisoning: ଗଞ୍ଜାମରେ ଦଶଭୋଜି ଖାଇ ୩ ମୃତ, ହଇଜା ସନ୍ଦେହ
ଗଞ୍ଜାମର ଧରାକୋଟ ଓ ସାନଖେମୁଣ୍ଡିରେ ଦଶଭୋଜି ଖାଇବା ପରେ ୩ ଜଣଙ୍କ ମୃତ୍ୟୁ ଓ ଅନେକ ଅସୁସ୍ଥ ହୋଇଥିବା ବେଳେ ଖାଦ୍ୟ ବିଷକ୍ରିୟା ସନ୍ଦେହ କରାଯାଉଛି, ହେଲେ ହଇଜାରେ ମୃତ୍ୟୁ ହୋଇଥିବା ଅଭିଯୋଗକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଖଣ୍ଡନ କରିଛନ୍ତି।
ଗଞ୍ଜାମ ଜିଲ୍ଲାର ଧରାକୋଟ ଓ ସାନଖେମୁଣ୍ଡି ବ୍ଲକରେ ଦଶଭୋଜି ଖାଇବାର 15 ଦିନରେ ପରେ ଅସୁସ୍ଥ ହୋଇ ତିନିଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହାସହ ଅନ୍ୟ କେତେକ ଲୋକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଧରାକୋଟ ବ୍ଲକର ସାବା ପଞ୍ଚାୟତ ଅନ୍ତର୍ଗତ ପଟାସାଳ ଗ୍ରାମର ସୁଶାନ୍ତ ମଲ୍ଲିକଙ୍କ ମୃତ୍ୟୁ ଘଟିଛି | ଖବର ପାଇ ସ୍ଥାନୀୟ ଡାକ୍ତରୀ ଟିମ୍ ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଝାଡ଼ାବାନ୍ତି ହେବା ପରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅନ୍ୟ ୬ ଜଣ ମଧ୍ୟ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସେହିପରି ସାନଖେମୁଣ୍ଡି ବ୍ଲକର ପୁଡ଼ାମାରୀ ପଞ୍ଚାୟତ ଅନ୍ତର୍ଗତ ମାର୍ଥପୁର ଗ୍ରାମରେ ମଧ୍ୟ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହାସହ ଅନ୍ୟ କେତେକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ଏବଂ ଜନସ୍ୱାସ୍ଥ୍ୟ ବିଭାଗର ଟିମ୍ ଗ୍ରାମରେ ପହଞ୍ଚିଛନ୍ତି । ଟିମ୍ ପକ୍ଷରୁ ପାଣିର ନମୁନା ସଂଗ୍ରହ କରାଯିବା ସହ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ମାସ ୨୬ ତାରିଖରେ ପୁଡ଼ାମାରୀର ମାର୍ଥପୁର ଗ୍ରାମରେ ଆୟୋଜିତ ଏକ ଦଶଭୋଜିରେ ଦୁଇଟି ବ୍ଲକର ଲୋକମାନେ ଯୋଗଦେଇ ଭୋଜି ଖାଇଥିଲେ। ଭୋଜି ଖାଇବା ପରେ ଅନେକ ଲୋକ ଅସୁସ୍ଥ ହୋଇଥିବାରୁ ଖାଦ୍ୟ ବିଷକ୍ରିୟା ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଏହା ସହିତ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦେଇଛନ୍ତି । ହଇଜାରେ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଓ ନମୁନା ପରୀକ୍ଷା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।
