BJD Padayatra: ଏକାମ୍ରରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ
ଏକାମ୍ର ନିର୍ବାଚନମଣ୍ଡଳୀରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା। ଶୁଭାରମ୍ଭ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେପି ସରକାର ଲୋକବିରୋଧୀ ଓ ଓଡ଼ିଶା ବିରୋଧୀ କହି ଟାର୍ଗେଟ କଲେ ନବୀନ। ଓଡ଼ିଶା ସ୍ୱାର୍ଥରେ ଚୁପ, କିନ୍ତୁ ଖଣି ମାଲିକଙ୍କ ପାଇଁ ଲଢିବାକୁ ପ୍ରସ୍ତୁତ। ରଥଯାତ୍ରା ବିଭ୍ରାଟ, ବହି ବିଭ୍ରାଟ, ବନ୍ୟା ମୁକାବିଲା ଓ ରିଲିଫ ପରିଚାଳନାରେ ଫେଲ୍, ଧାନ ସଂଗ୍ରହରୁ ନେଇ ପେନସନ ଯାଏ। ଏସବୁ ମୁଦ୍ଦାରେ ସରକାରଙ୍କ ବିଫଳତାକୁ ଦର୍ଶାଇଲେ ଜନସମ୍ପର୍କ ପଦଯାତ୍ରାରେ ନବୀନ।

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଜୁ ଜନତା ଦଳର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବିମାନବନ୍ଦର ନିକଟସ୍ଥ ରଜ ପଡ଼ିଆରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଦଳର କାର୍ଯ୍ୟକ୍ରମ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ପଦଯାତ୍ରାର ଶୁଭାରମ୍ଭ ଅବସରରେ ନବୀନ ପଟ୍ଟନାୟକ ବିଜେଡିର ଦୀର୍ଘଦିନର ଶାସନ ଓ କାର୍ଯ୍ୟକୁ ଉଲ୍ଲେଖ କରି କହିଥିଲେ ଯେ, ଦଳ ତା’ର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟରେ ରହିଛି ଓ ଆଗକୁ ମଧ୍ୟ ରହିବ। ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ନେଇ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ତାଙ୍କ କହିବା ଅନୁସାରେ, ଓଡ଼ିଶା ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି। ପିଲାଙ୍କ ପାଠ୍ୟପୁସ୍ତକ, ବୃଦ୍ଧବୃଦ୍ଧାଙ୍କ ପେନସନ, ଚାଷୀ ଓ ମହିଳାଙ୍କ ସମସ୍ୟା ସହ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ ସେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ରଥଯାତ୍ରା ପରିଚାଳନା, ବନ୍ୟା ରିଲିଫ, ଧାନ ସଂଗ୍ରହ, ନିଯୁକ୍ତି ପରୀକ୍ଷା ଏବଂ ଅର୍ଥ ବ୍ୟବସ୍ଥା ପରି ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର କୁପରିଚାଳନା କରୁଥିବା ନବୀନ ଅଭିଯୋଗ କରିଥିଲେ। ଏହି ସବୁ କ୍ଷେତ୍ରରେ ସରକାର ବିଫଳ ବୋଲି ସେ ମତ ଦେଇଥିଲେ।

ଖଣି ରାଜସ୍ୱ ପ୍ରସଙ୍ଗ ଉଠାଇ ନବୀନ ପଟ୍ଟନାୟକ କହିଥିଲେ ଯେ, କେନ୍ଦ୍ର ସରକାର ଖଣି ଉପରୁ ଓଡ଼ିଶାବାସୀଙ୍କ ଅଧିକାର ନେଇଯାଇଥିବା ବେଳେ ରାଜ୍ୟ ସରକାର ଓ ଓଡ଼ିଶାର ବିଜେପି ସାଂସଦମାନେ ନିରବ ରହିଛନ୍ତି। ତେବେ ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ସେମାନେ ପ୍ରସ୍ତୁତ ବୋଲି ସେ ଅଭିଯୋଗ କରିଥିଲେ। ପାଠ୍ୟପୁସ୍ତକ ପ୍ରସଙ୍ଗରେ ମଧ୍ୟ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହି କ୍ଷେତ୍ରରେ ଅନେକ ଭୁଲ ହୋଇଥିବା ସତ୍ତ୍ୱେ ସରକାର ଉତ୍ତରଦାୟିତ୍ୱ ନେବାକୁ ଅମଙ୍ଗ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ଏଥିସହ ରାଜ୍ୟର ରାଜସ୍ୱ ସଂଗ୍ରହ ହ୍ରାସ, ବଜେଟରେ ହୋଇଥିବା ବ୍ୟୟବରାଦ ଖର୍ଚ୍ଚ ହୋଇନପାରିବା ଏବଂ ରାଜ୍ୟର ଋଣଭାର ବଢ଼ିବା ପ୍ରସଙ୍ଗ ଉଠାଇ ନବୀନ ପ୍ରଶ୍ନ କରିଥିଲେ ଟଙ୍କା ଯାଉଛି କୁଆଡ଼େ? ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ଓଡ଼ିଶା ପାଇଁ ଲଢ଼ିଆସିଛି ଏବଂ ଆଗାମୀ ଦିନରେ ଏହି ଲଢ଼େଇକୁ ଆହୁରି ଜୋରଦାର କରିବାକୁ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ ନେତାମାନଙ୍କୁ ଆହ୍ୱାନ ଦେଇଥିଲେ।
