Wild Elephants: ଟାଙ୍ଗୀ ବନାଞ୍ଚଳରେ ୨୫ ହାତୀଙ୍କ ଉପଦ୍ରବ, ଭୟଭୀତ ଗ୍ରାମବାସୀ
ଗାଁ ମୁହାଁ ହାତୀପଲ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳରେ ୨୫ଟି ଜଙ୍ଗଲୀ ହାତୀଙ୍କ ଉପଦ୍ରବ। କୁଞ୍ଜୁରୀ, ବିରିବାଡ଼ି, କୁହୁଡ଼ି ଓ ସୋରଣ ଅଞ୍ଚଳରେ ସତର୍କତା ଜାରି କଲା ବନ ବିଭାଗ।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଞ୍ଚଳରେ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ। ପ୍ରାୟ ୨୫ଟି ଛୋଟବଡ଼ ହାତୀଙ୍କୁ ନେଇ ଏକ ବିଶାଳ ହାତୀପଲ ଏବେ ଗାଁ ମୁହାଁ ହୋଇଛନ୍ତି। ଜଙ୍ଗଲ ନିକଟବର୍ତ୍ତୀ ଗାଁ ଓ ଆଖପାଖ ଜଙ୍ଗଲିଆ ଅଞ୍ଚଳରେ ହାତୀପଲ ବିଚରଣ କରୁଥିବାରୁ ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ, କୁଞ୍ଜୁରୀ ଜଙ୍ଗଲ ନିକଟବର୍ତ୍ତୀ ଗାଁ, ବିରିବାଡ଼ି ଜଙ୍ଗଲ ପାଖାପାଖି ଅଞ୍ଚଳ ସମେତ କୁହୁଡ଼ି, ସୋରଣ ଓ ହାଟବରଡ଼ିହ ଅଞ୍ଚଳରେ ହାତୀପଲଙ୍କ ଗତିବିଧି ଦେଖିବାକୁ ମିଳୁଛି। ଏହାକୁ ନେଇ ଟାଙ୍ଗୀ ବନ ବିଭାଗ ପକ୍ଷରୁ ସତର୍କତା ବଢ଼ାଯାଇଛି। ଲୋକଙ୍କ ଧନଜୀବନ ସୁରକ୍ଷା ସହ ହାତୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯାଉଛି। ହାତୀପଲଙ୍କ ଗତିବିଧି ଥିବା ଅଞ୍ଚଳରେ ଲୋକଙ୍କୁ ଯାତାୟାତ ନକରିବା ସହ ଅନାବଶ୍ୟକ ଭାବେ ଜଙ୍ଗଲ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଉଛି। ଅନ୍ୟପଟେ ଗାଁ ମୁହାଁ ହୋଇଥିବା ହାତୀପଲଙ୍କୁ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ହାତୀପଲଙ୍କ ଗତିବିଧି ଉପରେ ବିଭାଗୀୟ କର୍ମଚାରୀମାନେ ନଜର ରଖିଛନ୍ତି ବୋଲି ଟାଙ୍ଗୀ ବନ ବିଭାଗର ଭାରପ୍ରାପ୍ତ ରେଞ୍ଜର ସୂଚନା ଦେଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀଙ୍କୁ ଉତ୍ତେଜିତ ନକରିବା, ସେମାନଙ୍କ ନିକଟକୁ ନଯିବା ଏବଂ ସତର୍କ ରହିବାକୁ ଗ୍ରାମବାସୀଙ୍କୁ ଅପିଲ କରାଯାଇଛି। ତେବେ ୨୫ ହାତୀଙ୍କ ଏହି ଗତିବିଧିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଲାଗି ରହିଛି।
