Cuttack BaliJatra: ବାଲିଯାତ୍ରାରେ ବଡ଼ ଅବ୍ୟବସ୍ଥା: ବ୍ୟାରିକେଡ୍ ଭାଙ୍ଗି ବାହାରିଲେ ଲୋକେ, ପ୍ରଶାସନ ଉପରେ ବର୍ଷିଲେ ଜନସାଧାରଣ
ବଲିଉଡ୍ ନାଇଟ୍ ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସ୍ୱତନ୍ତ୍ର ବ୍ୟାରିକେଡ୍। ଘଣ୍ଟା ଘଣ୍ଟା ଧରି ଫସିବା ପରେ ବ୍ୟାରିକେଡ୍ ଭାଙ୍ଗି ବାହାରିଲେ ଲୋକେ। ପ୍ରଶାସନ ଉପରେ ଅସନ୍ତୋଷ।
କଟକ: ବାଲିଯାତ୍ରାରେ ପୁଣି ସାମ୍ନାକୁ ଆସିଲା ବଡ଼ ଅବ୍ୟବସ୍ଥା। ଘଣ୍ଟା ଘଣ୍ଟା ଧରି ଭିଡ଼ ଭିତରେ ଫସି ରହିବା ପରେ ଶେଷରେ ବ୍ୟାରିକେଡ୍ ଭାଙ୍ଗି ବାହାରକୁ ଆସିଲେ ଲୋକେ। ଏଭଳି ପରିସ୍ଥିତି ପାଇଁ ପ୍ରଶାସନର ବିଫଳତାକୁ ଦାୟୀ କରିଛନ୍ତି ଅସନ୍ତୁଷ୍ଟ ଜନସାଧାରଣ। ସୂଚନା ଅନୁଯାୟୀ, ଗତକାଲି ଗୁରୁବାରରେ ବାଲିଯାତ୍ରାରେ ବଲିଉଡ୍ ନାଇଟ୍ କାର୍ଯ୍ୟକ୍ରମ ଥିବାରୁ ତଳ ପଡ଼ିଆରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ତେବେ ମେଳା ବୁଲିବାକୁ ଆସିଥିବା ଲୋକେ ଏହି ବ୍ୟବସ୍ଥା ଯୋଗୁଁ ଦୀର୍ଘ ସମୟ ଧରି ଫସି ରହିଥିଲେ। ଭିଡ଼ ନିୟନ୍ତ୍ରଣ ଓ ଯାତାୟାତରେ ଅସୁବିଧା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଶେଷରେ ଧୈର୍ଯ୍ୟ ହରାଇ ଲୋକେ ବ୍ୟାରିକେଡ୍ ଭାଙ୍ଗି ବାହାରକୁ ଆସିଥିଲେ। ଏହାକୁ ନେଇ ବାଲିଯାତ୍ରାରେ ସୃଷ୍ଟି ହୋଇଥିଲା ଅସ୍ୱାଭାବିକ ପରିସ୍ଥିତି। ଭିଡ଼ ନିୟନ୍ତ୍ରଣରେ ପ୍ରଶାସନର ଯୋଜନା ଓ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ। ଏତେ ବଡ଼ ଜନସମାଗମ ପାଇଁ ଉପଯୁକ୍ତ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା କାହିଁକି କରାଯାଇନଥିଲା, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
