Mahanga school: ବିଜ୍ଞାନ ମେଳା ପୂର୍ବରୁ ପିଲାଙ୍କୁ କୋବି କଟାଇବା ଘଟଣା: ଭିଡିଓ ହେଲା ଭାଇରାଲ
କଟକ ମାହାଙ୍ଗା ସବଳକଣା ହାଇସ୍କୁଲରେ ବିଜ୍ଞାନ ମେଳା ପୂର୍ବରୁ ପିଲାଙ୍କୁ କୋବି କଟାଇବା ଭିଡିଓ ଭାଇରାଲ। ତଦନ୍ତ ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ ଶାରଦା ପ୍ରଧାନ।
କଟକ: ବିଜ୍ଞାନ ମେଳା ପୂର୍ବରୁ ସ୍କୁଲ ପିଲାଙ୍କୁ କୋବି କାଟିବାକୁ କୁହାଯିବା ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା। ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହାର ଭିଡିଓ। ଏହି ଘଟଣାକୁ ନେଇ ମଞ୍ଚ ଉପରୁ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ। ବିଦ୍ୟାଳୟରେ କୌଣସି ତ୍ରୁଟି ହୋଇଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିବା ସହ ଘଟଣାର ତଦନ୍ତ ପାଇଁ ମାହାଙ୍ଗା ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଘଟଣାଟି କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସବଳକଣା ହାଇସ୍କୁଲର। ଅଭିଯୋଗ ଅନୁସାରେ, ବିଜ୍ଞାନ ମେଳାର ଠିକ୍ ପୂର୍ବଦିନ ଛାତ୍ରଛାତ୍ରୀଙ୍କୁ କୋବି କାଟିବାକୁ କୁହାଯାଇଥିଲା। ଜଣେ ବ୍ୟକ୍ତି ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପ୍ରସାର କରିଥିଲେ। ଏହା ସହ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ପିଲାମାନଙ୍କ ଦ୍ୱାରା ଡ୍ରିଲ୍ କରାଯିବାକୁ ନେଇ ମଧ୍ୟ ଆପତ୍ତି ଉଠାଇଥିଲେ।
ଏହି ଘଟଣାରେ ମତ ରଖି ବିଧାୟକ ଶାରଦା ପ୍ରଧାନ କହିଛନ୍ତି, ପିଲାମାନେ ଡ୍ରିଲ୍ ମାଧ୍ୟମରେ ଅତିଥିଙ୍କୁ ସ୍ୱାଗତ କରିବାରେ କୌଣସି ଭୁଲ୍ ନାହିଁ। ଏହାକୁ ନେଇ ଭିଡିଓରେ ଆପତ୍ତି ଉଠାଇବା ଅଶୋଭନୀୟ। ତେବେ କୋବି କାଟିବା ଘଟଣାରେ ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ତଦନ୍ତ ପରେ ଆଇନ ଅନୁଯାୟୀ ନିଶ୍ଚିତ ପଦକ୍ଷେପ ନିଆଯିବ। କେବଳ ସଭାମଞ୍ଚରେ ନୁହେଁ, ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ସମୟରେ ମଧ୍ୟ ନିଜ ମତ ଦୋହରାଇଛନ୍ତି ବିଧାୟକ। ଅନ୍ୟପଟେ ମାହାଙ୍ଗା ବିଇଓ ମୋନାଲିସା ସରକାରଙ୍କୁ ଘଟଣାର ତଦନ୍ତ ପାଇଁ କୁହାଯାଇଛି। ସେହିଦିନ ନିଶ୍ଚିନ୍ତକୋଇଲି ବ୍ଲକର ଖଣ୍ଡାୟତ ପଟିକିରା ହାଇସ୍କୁଲରେ ମଧ୍ୟ ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା। ଏଥିରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଓ କଟକ-ସଦର ବିଧାୟକ ପ୍ରକାଶ ସେଠୀ ଯୋଗ ଦେଇଥିଲେ।
