Likes & Views Turn Fatal : କିଛି ସେକେଣ୍ଡର ରିଲ୍ ପାଇଁ ଚାଲିଗଲା ଜୀବନ
ରିଲ୍ ନିଶା ନେଲା ଜୀବନ ! କିଛି ଲାଇକ୍ ଓ ଭ୍ୟୁଜ୍ ପାଇଁ ଘାଟିରେ ରିଲ୍ କରୁଥିବା ବେଳେ ପାହାଡ଼ରୁ ଖସି ଚାଲିଗଲା ବ୍ରହ୍ମପୁରର ଯୁବକ ସାଇ ଶଙ୍କରଙ୍କ ଜୀବନ।
ସୋସିଆଲ ମିଡିଆ ପାଇଁ ରିଲ୍ କରିବାକୁ ଯାଇ ଅକାଳରେ ଜୀବନ ହରାଇଲେ ଜଣେ ଯୁବକ। ଗଞ୍ଜାମ ଜିଲ୍ଲାର ବାଙ୍କେଶ୍ୱରୀ ଘାଟି ରାସ୍ତାର ମୁଗୁରାନାଳ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଯୁବକ ଜଣକ ବ୍ରହ୍ମପୁର ଅଞ୍ଚଳର ସାଇ ଶଙ୍କର ପଣ୍ଡା ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ସାଇ ଶଙ୍କର ନିଜର ଜଣେ ଯୁବତୀ ବନ୍ଧୁଙ୍କ ସହ ବାଙ୍କେଶ୍ୱରୀ ଘାଟିକୁ ଆସିଥିଲେ। ସେଠାରେ ରିଲ୍ କରୁଥିବା ସମୟରେ ଅସାବଧାନତାବଶତଃ ପାହାଡ଼ରୁ ଖସି ମୁଗୁରାନାଳରେ ପଡ଼ିଯାଇଥିବା ସୂଚନା ମିଳିଛି।ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।ସାଇ ଶଙ୍କର ବ୍ରହ୍ମପୁରର ଏକ ଘରୋଇ କଲେଜର ଛାତ୍ର ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଘଟଣାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।ସାମାଜିକ ଗଣମାଧ୍ୟମରେ କିଛି ମୁହୂର୍ତ୍ତର ଲୋକପ୍ରିୟତା ପାଇଁ ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ କରିବା କେତେ ଭୟଙ୍କର ହୋଇପାରେ, ଏହି ଘଟଣା ପୁଣି ଥରେ ମନେ ପକାଇ ଦେଇଛି।
