Nayagarh Group Clash:ଶୁଦ୍ଧିକ୍ରିୟା ବେଳେ ରକ୍ତାକ୍ତ ସଂଘର୍ଷ
ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ଘଟିଲା ଏମିତି ଏକ ଘଟଣା, ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ। ରାତିକରେ ଅଶାନ୍ତ ହୋଇପଡ଼ିଲା ପୂରା ଗାଁ। ଜଣଙ୍କ ଜୀବନ ଗଲା, ଏବେ ପୋଲିସ ତଦନ୍ତ ଜାରି।
ନୟାଗଡ଼: ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ସାମାନ୍ୟ ଘଟଣାରୁ ଭୟଙ୍କର ଗୋଷ୍ଠୀ ସଂଘର୍ଷ। ରକ୍ତାକ୍ତ ହେଲା ଗାଁ ଦାଣ୍ଡ। ଏହି ସଂଘର୍ଷରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଗାତେରି ପଞ୍ଚାୟତର ଆଡ଼ିପଡ଼ା ଗ୍ରାମରେ। ମୃତକ ହେଉଛନ୍ତି ମନୁ ବାରିକ।ସୂଚନା ଅନୁଯାୟୀ, ଗାଁରେ ଶୁଦ୍ଧିକ୍ରିୟା ଚାଲିଥିବା ସମୟରେ ଅନ୍ୟ ଏକ ଗୋଷ୍ଠୀର ଜଣେ ଯୁବକ ସେଠାକୁ ଆସି ପରିସ୍ରା କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଦେଖୁ ଦେଖୁ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ତେବେ ଏହି ଗାଁରେ ଦୀର୍ଘଦିନ ଧରି ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ ଲାଗି ରହିଥିବା ମଧ୍ୟ ଜଣାପଡ଼ିଛି। ସଂଘର୍ଷରେ ଆହତ ହୋଇଥିବା ୩୫ରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ଦୁଇଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ମହିପୁର ଓ ନୟାଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କିଛି ଆହତ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଘଟଣା ପରେ ଗାଁରେ ଏବେ ବି ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ଉପରେ ନଜର ରଖି ନୂଆଗାଁ ଓ ନୟାଗଡ଼ ସଦର ଥାନା ପୋଲିସ ଗାଁରେ ମୁତୟନ ଅଛନ୍ତି। ଆକ୍ରମଣ ଘଟଣାରେ ୫ ଜଣ ମହିଳା ଓ ୨୩ ଜଣ ପୁରୁଷଙ୍କୁ ପୋଲିସ ଥାନାକୁ ନେଇଛି। ଏଥିସହ ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଅଟକ ରଖାଯାଇଛି। ଅନ୍ୟପଟେ ସାଇଣ୍ଟିଫିକ୍ ଟିମ୍ ଗାଁରେ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଚଳାଇଛି। ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ନୟାଗଡ଼ ଏସ୍ପି ସୂଚନା ଦେଇଛନ୍ତି।
