Digha Jagannath Temple: ନାମକରଣ ବିବାଦରେ ପୂର୍ଣ୍ଣଚ୍ଛେଦ,ଦୀଘାରୁ ହଟିଲା ‘ଧାମ’ ଶବ୍ଦ
ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ବିବାଦର ଅବସାନ। ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ। ନୂଆ ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’। ନିଷ୍ପତ୍ତିକୁ ସ୍ୱାଗତ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଭୁବନେଶ୍ୱର: ଦୀର୍ଘଦିନ ଧରି ଲାଗି ରହିଥିବା ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ବିବାଦର ଶେଷରେ ଘଟିଛି ଅବସାନ। ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ଧାମ ଶବ୍ଦ । ପଶ୍ଚିମବଙ୍ଗ ସରକାର ଏହି ନାମ ପରିବର୍ତ୍ତନ ନିଷ୍ପତ୍ତିକୁ ଆନୁଷ୍ଠାନିକ ସ୍ୱୀକୃତି ଦେଇଛନ୍ତି। ଏଣିକି ଦୀଘାରେ ମନ୍ଦିରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ଏବଂ ମନ୍ଦିର ପରିସରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ରହିବ। ଏହି ନିଷ୍ପତ୍ତିକୁ ଓଡ଼ିଶା ସରକାର ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଶ୍ରୀଜଗନ୍ନାଥ କୋଟି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ପ୍ରତୀକ। ପୁରୀ ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ଆଧ୍ୟାତ୍ମିକ ମର୍ଯ୍ୟାଦାକୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନିଆଯାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୫ ଏପ୍ରିଲ ୩୦ ତାରିଖରେ ତତ୍କାଳୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦୀଘା ଜଗନ୍ନାଥ ମନ୍ଦିରର ଉଦ୍ଘାଟନ କରିଥିଲେ। ମନ୍ଦିର ପରିସରକୁ ‘ଜଗନ୍ନାଥ ଧାମ’ ନାମ ଦିଆଯିବା ପରେ ଓଡ଼ିଶାରେ ତୀବ୍ର ପ୍ରତିବାଦ ହୋଇଥିଲା। ଏହାକୁ ନେଇ ମୋହନ ଚରଣ ମାଝୀ ତତ୍କାଳୀନ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ନାମ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ। ଗତ ଜୁନ୍ ୯ ତାରିଖରେ ଶୁଭେନ୍ଦୁ ଅଧିକାରୀ ଦୀଘା ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ଘୋଷଣା କରିଥିଲେ। ବର୍ତ୍ତମାନ ଏହାକୁ ଆନୁଷ୍ଠାନିକ ସ୍ୱୀକୃତି ମିଳିବା ପରେ ଦୀର୍ଘଦିନର ବିବାଦରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ତେବେ ସନାତନ ଧର୍ମରେ ୪ଟି ପବିତ୍ର ଧାମର ବିଶେଷ ମହତ୍ୱ ରହିଛି । ପୂର୍ବରେ ପୁରୀ-ଶ୍ରୀ ଜଗନ୍ନାଥ ଧାମ, ପଶ୍ଚିମରେ ଦ୍ୱାରକା, ଉତ୍ତରରେ ବଦ୍ରିନାଥ, ଓ ଦକ୍ଷିଣରେ ରାମେଶ୍ୱରମ। ଏହି ୪ଟି ଧାମ ଭାରତର ୪ ଦିଗରେ ଅବସ୍ଥିତ। ତେବେ ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରର ନାମକରଣ ଦୀଘା ଜଗନ୍ନାଥ ମନ୍ଦିର ହୋଇଥିଲା। ଧାମର ଶବ୍ଦର ବ୍ୟବହାର ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଥିଲା। ଆଉ ସେଇଠାରୁ ଉପୁଜିଥିଲା ବିବାଦ। ଶେଷରେ ଏହି ବିବାଦର ଅନ୍ତ ଘଟାଇଛନ୍ତି ଶୁଭେନ୍ଦୁ ଅଧିକାରୀ। ଯାହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।
