Nuapada Leopard Terror:ଗୁହାଳରୁ ବାଛୁରୀକୁ ଟାଣିନେଲା ବାଘ
ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ରାତି ଅଧରେ ଗୁହାଳରୁ ବାଛୁରୀକୁ ଟାଣିନେଇ ଶିକାର କରିଛି କଲରାପତରିଆ ବାଘ। ଘଟଣା ପରେ ଏବେ ଭୟରେ ଦିନ କାଟୁଛନ୍ତି ପାଁୱାରତୋଳା ଗ୍ରାମବାସୀ।
ନୂଆପଡ଼ା: ଗାଁରେ କଲରାପତରିଆ ବାଘ ଆତଙ୍କ। ଗୁହାଳରେ ପଶି ବାଛୁରୀକୁ ମାରି ଖାଇଲା ବାଘ। ଏହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ନୂଆପଡ଼ା ସଦର ବ୍ଲକ ଆମାନାରା ରେଞ୍ଜ ଅନ୍ତର୍ଗତ ପାଁୱାରତୋଳା ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଁର ସଫୁର ସତନାମୀ ନାମକ ଜଣେ ଚାଷୀଙ୍କ ଗୁହାଳରେ ପଶି ଏକ ବାଛୁରୀକୁ ଟାଣି ନେଇଥିଲା କଲରାପତରିଆ ବାଘ। ପରେ ବାଛୁରୀଟିକୁ ମାରି ଖାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ଗୃହପାଳିତ ପଶୁ ଓ ମଣିଷଙ୍କ ସୁରକ୍ଷା ନେଇ ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି। ଅନ୍ୟପଟେ ସୁନାବେଡ଼ା ଅଭୟାରଣ୍ୟକୁ ଲାଗି ରହିଥିବା ଗାଁଗୁଡ଼ିକରେ ଦିନକୁ ଦିନ ବନ୍ୟଜନ୍ତୁଙ୍କ ଗତିବିଧି ବଢ଼ୁଥିବା ଅଭିଯୋଗ ହେଉଛି। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜନ୍ତୁ ଗାଁ ମୁହାଁ ହେଉଥିବାରୁ କେତେବେଳେ ମଣିଷ ତ ଆଉ କେତେବେଳେ ଗୃହପାଳିତ ପଶୁ ଏହାର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଜନବସତି ଓ ଅଭୟାରଣ୍ୟ ମଧ୍ୟରେ ତାରବାଡ଼ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
