Baba Ujjaleswar:ପଥର ଗୁମ୍ଫାରେ ପୂଜା ପାଉଛନ୍ତି ବାବା ଉଜ୍ଜଳେଶ୍ୱର
ଗଞ୍ଜାମର ପ୍ରସିଦ୍ଧ ଶୈବପୀଠ ବାବା ଉଜ୍ଜଳେଶ୍ୱର। ପ୍ରାକୃତିକ ପଥର ଗୁମ୍ଫାରେ ବିରାଜମାନ ମହାଦେବଙ୍କ ଦର୍ଶନ ସହ ଘୋଡ଼ାହାଡ଼ ଡ୍ୟାମ୍ର ମନୋରମ ପରିବେଶ ମୋହିତ କରୁଛି ପର୍ଯ୍ୟଟକଙ୍କୁ।
ଗଞ୍ଜାମ: କେଉଁଠି ପାହାଡ଼ ଶିଖରରେ ତ ଆଉ କେଉଁଠି ବିଶାଳ ମନ୍ଦିରର ଗର୍ଭଗୃହରେ ବିରାଜମାନ ମହାଦେବ। ହେଲେ ଏଠି ପ୍ରକୃତିର ବିଶାଳ ପଥର ଗୁମ୍ଫା ଭିତରେ ପୂଜା ପାଉଛନ୍ତି ଦେବଦେବ ମହାଦେବ। ନାହିଁ ଆଡ଼ମ୍ବରର ଚାକଚକ୍ୟ, ନାହିଁ କୃତ୍ରିମ ନିର୍ମାଣ। ପାହାଡ଼ର ପଥର ଛାତ ତଳେ ପ୍ରକୃତିର କୋଳରେ ବିରାଜମାନ ବାବା ଉଜ୍ଜଳେଶ୍ୱର। ଏହା ଗଞ୍ଜାମ-ଗଜପତି ସୀମାନ୍ତର ଏକ ପ୍ରସିଦ୍ଧ ଶୈବପୀଠ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମାରିଗାଁ ନିକଟ ଘୋଡ଼ାହାଡ଼ ଜଳଭଣ୍ଡାରର ମନୋରମ ପରିବେଶରେ ଅବସ୍ଥିତ ଏହି ପୀଠ। ବିଶାଳ ପ୍ରାକୃତିକ ପଥର ହିଁ ଏଠାକାର ମନ୍ଦିରର ଛାତ ଓ କାନ୍ଥ।
ପ୍ରକୃତିର ଏହି ଅନନ୍ୟ ସୃଷ୍ଟି ଭିତରେ ମହାଦେବଙ୍କ ଦର୍ଶନ କରି ଭକ୍ତମାନେ ଆଧ୍ୟାତ୍ମିକ ଶାନ୍ତି ଲାଭ କରନ୍ତି। ଉଜ୍ଜଳେଶ୍ୱର ପୀଠକୁ ଯିବା ରାସ୍ତା ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ବାଟରେ ପଡ଼େ ସୁନ୍ଦର ଘୋଡ଼ାହାଡ଼ ଜଳଭଣ୍ଡାର। ଚାରିପଟେ ସବୁଜ ପାହାଡ଼, ନୀଳ ଜଳରାଶି ଓ ମନୋରମ ପ୍ରାକୃତିକ ପରିବେଶ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ। ଲୋକକଥା ଅନୁସାରେ, ଜଳଭଣ୍ଡାର ତଳେ ପୁରାତନ ବିଜୟନଗର ଦୁର୍ଗ ଓ ଜଗନ୍ନାଥ ମନ୍ଦିରର ଅବଶେଷ ବୁଡ଼ି ରହିଛି।
ପଦ୍ମ ପୋଖରୀ, ହରିଣ ପାର୍କ ଓ ପୁରୁଣା ବରଗଛ ଏହାର ଆକର୍ଷଣକୁ ଆହୁରି ବଢ଼ାଇଥାଏ। ମହାଶିବରାତ୍ରି ହେଉ କି ସୋମବାର, ବାବାଙ୍କ ଦର୍ଶନ ପାଇଁ ଏଠାରେ ଜମେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ବେଲପତ୍ର, ଜଳ ଓ ଅଗାଢ଼ ବିଶ୍ୱାସର ସହ ଭକ୍ତମାନେ ମହାଦେବଙ୍କ ଆରାଧନା କରନ୍ତି। ଭକ୍ତି, ବିଶ୍ୱାସ, ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଅପୂର୍ବ ସମାହାର ହେଉଛି ବାବା ଉଜ୍ଜଳେଶ୍ୱରଙ୍କ ଧାମ। ଏଠାକୁ ଆସିଲେ ମହାଦେବଙ୍କ ଦର୍ଶନ ସହ ପ୍ରକୃତିର ନିରବତା ଭିତରେ ମିଳେ ମନ ଓ ଆତ୍ମାକୁ ଶାନ୍ତି ଦେବାର ଅନୁଭୂତି।
