Swachh Vayu Survekshan : ଜାତୀୟ ସ୍ୱଚ୍ଛ ବାୟୁ ପୁରସ୍କାର: ମନ୍ତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଖାଇଲା ବିଏମ୍ସି ଟିମ୍
ଜାତୀୟ ସ୍ୱଚ୍ଛ ବାୟୁ ସର୍ଭେକ୍ଷଣରେ ଭୁବନେଶ୍ୱରର ୩୦ ଓ ୩୬ ନମ୍ବର ୱାର୍ଡ ନିଜ ବର୍ଗରେ ପ୍ରଥମ ହୋଇଛି। ଏହି ସଫଳତା ପରେ ବିଏମ୍ସି ପ୍ରତିନିଧି ଦଳ ଟ୍ରଫି, ପ୍ରମାଣପତ୍ର ଓ ଚେକ୍ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦର୍ଶନ କରିଛି।

ଭୁବନେଶ୍ୱର: ଜାତୀୟସ୍ତରରେ ସ୍ୱଚ୍ଛ ବାୟୁ ପରିଚାଳନା କ୍ଷେତ୍ରରେ ଭୁବନେଶ୍ୱରକୁ ମିଳିଛି ବଡ଼ ସଫଳତା। ସ୍ୱଚ୍ଛ ବାୟୁ ସର୍ଭେକ୍ଷଣ-୨୦୨୬ର ୱାର୍ଡସ୍ତରୀୟ ମୂଲ୍ୟାଙ୍କନରେ ବିଏମ୍ସିର ୩୦ ଓ ୩୬ ନମ୍ବର ୱାର୍ଡ ଜାତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ବିଏମ୍ସି ପକ୍ଷରୁ ମିଳିଥିବା ଟ୍ରଫି, ପ୍ରମାଣପତ୍ର ଓ ପୁରସ୍କାର ରାଶିର ଚେକ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦର୍ଶନ କରାଯାଇଛି। ବିଏମ୍ସି ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ଏହି ସଫଳତା ସମ୍ପର୍କରେ ଅବଗତ କରାଇଥିଲେ। ପ୍ରତିନିଧି ଦଳରେ ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍ସି କମିଶନର ଚଞ୍ଚଳ ରାଣା, ଡେପୁଟି କମିଶନର (ପରିମଳ) ଏନ୍. ଗଣେଶ ବାବୁଙ୍କ ସମେତ ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଵିରଞ୍ଚି ନାରାୟଣ ମହାସୁପକାର ଓ ସମ୍ପୃକ୍ତ ୱାର୍ଡଗୁଡ଼ିକର ପ୍ରତିନିଧିମାନେ ସାମିଲ ଥିଲେ। କେନ୍ଦ୍ର ସରକାରଙ୍କ ୨୦୨୬ ସ୍ୱଚ୍ଛ ବାୟୁ ସର୍ଭେକ୍ଷଣରେ ଦେଶର ୭,୪୦୦ରୁ ଅଧିକ ୱାର୍ଡର ମୂଲ୍ୟାଙ୍କନ କରାଯାଇଥିଲା। ୱାର୍ଡସ୍ତରୀୟ ଜାତୀୟ ମୂଲ୍ୟାଙ୍କନରେ ୧୦ରୁ ୩୦ ହଜାର ଜନସଂଖ୍ୟା ବର୍ଗରେ ଭୁବନେଶ୍ୱରର ୱାର୍ଡ ନମ୍ବର ୩୦ ଓ ୩୬ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ରାଉରକେଲାର ୱାର୍ଡ ନମ୍ବର ୧୩ ମଧ୍ୟ ନିଜ ବର୍ଗରେ ଶୀର୍ଷ ସ୍ଥାନ ହାସଲ କରିଛି। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଧୂଳି ନିୟନ୍ତ୍ରଣ, ସବୁଜିମା ବୃଦ୍ଧି, ବୈଜ୍ଞାନିକ ବର୍ଜ୍ୟ ପରିଚାଳନା, ଯାନବାହନ ପ୍ରଦୂଷଣ ନିୟନ୍ତ୍ରଣ ଓ ନିର୍ମାଣ-ଭଙ୍ଗାବଶେଷ ପରିଚାଳନା ଭଳି ବିଭିନ୍ନ ମାପଦଣ୍ଡ ଆଧାରରେ ଏହି ମୂଲ୍ୟାଙ୍କନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଏମ୍ସି ଟିମ୍କୁ ଅଭିନନ୍ଦନ ଜଣାଇବା ସହ ଜାତୀୟସ୍ତରର ଏହି ସ୍ୱୀକୃତି ପାଇଁ ଖୁସି ବ୍ୟକ୍ତ କରିଥିଲେ। ନିର୍ବାଚିତ ପ୍ରତିନିଧି, ଅଧିକାରୀ, ସଫେଇ କର୍ମଚାରୀ ଓ ନାଗରିକଙ୍କ ସାମୂହିକ ପ୍ରୟାସକୁ ସେ ପ୍ରଶଂସା କରିଥିଲେ।
ମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛ ବାୟୁ କେବଳ ଏକ ପୁରସ୍କାର ହାସଲର ବିଷୟ ନୁହେଁ, ବରଂ ଏହାକୁ ନିରନ୍ତର ବଜାୟ ରଖିବା ଏକ ଦାୟିତ୍ୱ। ଆଗାମୀ ଦିନରେ ୱାର୍ଡସ୍ତରୀୟ ପଦକ୍ଷେପକୁ ଆହୁରି ସୁଦୃଢ଼ କରି ଏକ ସୁସ୍ଥ, ସବୁଜ ଓ ସ୍ଥାୟୀ ଭୁବନେଶ୍ୱର ଗଠନ ଦିଗରେ କାମ କରିବାକୁ ସେ ବିଏମ୍ସିକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୬ ସ୍ୱଚ୍ଛ ବାୟୁ ସର୍ଭେକ୍ଷଣରେ ଭୁବନେଶ୍ୱର ସହର ସମଗ୍ର ଭାବେ ନିଜ ବର୍ଗରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ରାଜ୍ୟର ରାଉରକେଲା ଓ କଳିଙ୍ଗନଗର ନିଜ ନିଜ ବର୍ଗରେ ପ୍ରଥମ ହୋଇଛନ୍ତି। ଏହା ଓଡ଼ିଶାର ସ୍ୱଚ୍ଛ ବାୟୁ ପରିଚାଳନା ପ୍ରୟାସକୁ ଜାତୀୟସ୍ତରରେ ଆହୁରି ମଜବୁତ ସ୍ୱୀକୃତି ଦେଇଛି।
