Liquor Ban Protest: ପଞ୍ଚାୟତରେ ମଦ ବନ୍ଦ ପାଇଁ ଧାରଣାରେ ଶତାଧିକ ମହିଳା
ମଦ୍ୟପାନ ଯୋଗୁଁ ଘରେ ଘରେ ଅଶାନ୍ତି, ଆର୍ଥିକ ସଙ୍କଟ ଓ ହିଂସା ବଢ଼ୁଥିବା ଅଭିଯୋଗ କରିଛନ୍ତି କଙ୍ଗା ପଞ୍ଚାୟତର ମହିଳାମାନେ। ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ଦାବିରେ ଶତାଧିକ ମହିଳା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଜୟପୁର: କଙ୍ଗା ପଞ୍ଚାୟତରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବା ଦାବିରେ ଏକାଠି ହୋଇଛନ୍ତି ଶତାଧିକ ମହିଳା। ଏନେଇ ମହିଳାମାନେ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କଙ୍ଗା ପଞ୍ଚାୟତର ସରପଞ୍ଚ ଯମୁନା ପୂଜାରୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଛି। ପଞ୍ଚାୟତ ଅନ୍ତର୍ଗତ ସମସ୍ତ ରାଜସ୍ୱ ଗ୍ରାମ ଓ ପଡ଼ା ଗ୍ରାମର ମହିଳାମାନେ ଏକ ବୈଠକରେ ଏକାଠି ହୋଇ ପଞ୍ଚାୟତରେ ସମ୍ପୂର୍ଣ୍ଣ ମଦ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।ମହିଳାମାନଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଅନେକ ଲୋକ ମଦ୍ୟପାନ କରୁଛନ୍ତି। ଏହାଦ୍ୱାରା ପରିବାରରେ ଅଶାନ୍ତି ବଢ଼ିବା ସହ ପଞ୍ଚାୟତରେ ଶାନ୍ତି ଭଙ୍ଗ ହେଉଛି। ଏପରିକି କେତେକ ପୁରୁଷ ଘରର ରାସନ କାର୍ଡ ଓ ଭତ୍ତା କାର୍ଡ ଆଦି ବନ୍ଧକ ରଖି ମଦ୍ୟପାନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।ମଦ୍ୟପାନକୁ ବିରୋଧ କଲେ ମହିଳାମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାସହ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଅନେକ ପୁରୁଷଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବା ମହିଳାମାନେ କହିଛନ୍ତି।ତେଣୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି କଙ୍ଗା ପଞ୍ଚାୟତରେ ମଦ ବିକ୍ରି ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି।
