Padmapur laxmi puja:ପଦ୍ମପୁରରେ ମା’ ଗଜଲକ୍ଷ୍ମୀଙ୍କ ଆରାଧନା
ବ୍ୟବସାୟୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ୧୪ ବର୍ଷର ଏହି ପରମ୍ପରାରେ ମଣ୍ଡପରେ କୁଙ୍କୁମ ପୂଜା ସହ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୋଇଛି।
ପଦ୍ମପୁର:ରାୟଗଡ଼ା ଜିଲ୍ଲା ପଦ୍ମପୁରସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଧୁମଧାମରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ଦୀର୍ଘ ୧୪ ବର୍ଷ ଧରି ପଦ୍ମପୁର ବଣିକ ସଂଘ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମା’ଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା କରାଯାଉଛି। କୁମାର ପୂର୍ଣ୍ଣିମା ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ପୂଜାର୍ଚ୍ଚନା ଏବେ ଜାରି ରହିଛି। ଏହି ପୂଜା ଅବସରରେ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାବେଳେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର କୁଙ୍କୁମ ପୂଜାର ଆୟୋଜନ କରାଯାଇଛି। ଗୁରୁବାର ମହିଳାମାନେ ପୂଜାମଣ୍ଡପ ପରିସରରେ ଏକାଠି ହୋଇ କୁଙ୍କୁମ ପୂଜା କରିଥିଲେ। ଏହାଦ୍ୱାରା ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ପୂଜା କମିଟି ପକ୍ଷରୁ ପ୍ରତିଦିନ ପ୍ରାୟ ୩ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଉଛି। ଭକ୍ତମାନେ ମା’ଙ୍କ ଦର୍ଶନ କରିବା ସହ ଅନ୍ନପ୍ରସାଦ ସେବନ କରୁଛନ୍ତି। ଆଉ ତିନି ଦିନ ଧରି ମା’ ଗଜଲକ୍ଷ୍ମୀ ପୂଜା ପାଇବେ। ପୂଜାର ଶେଷ ଦୁଇ ଦିନରେ ପୁରୀ ଧାମରୁ ଲକି ବାବା ଆସି ନାମ ସଂକୀର୍ତ୍ତନ କରିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ପୂଜାକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ବଣିକ ସଂଘ ଓ ଗ୍ରାମବାସୀ ମିଳିତ ଭାବେ ଉଦ୍ୟମ କରୁଛନ୍ତି।
