Heavy Rain : ବ୍ରହ୍ମପୁର ଜଳବନ୍ଦୀ! ଘରେ ପଶିଲା ବନ୍ୟା ଜଳ
ବ୍ରହ୍ମପୁରରେ ୮ ଫୁଟରୁ ଅଧିକ ବନ୍ୟା ଜଳ, ଘରେ ପଶିଲା ପାଣି। ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର ଓ ସହାୟତାରେ ଲାଗିଛନ୍ତି ଉଦ୍ଧାରକାରୀ ଟିମ୍।
ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଜିଲ୍ଲା। ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳ ଏବେ ବନ୍ୟା ଘେରରେ। ନିଳାଞ୍ଚଳ ନଗର, ଗଜପତି ନଗର, ଖୋଡ଼ାସିଙ୍ଗି ଓ ଆଙ୍କୁଲି ଭଳି ଅଞ୍ଚଳରେ ରାସ୍ତା ଉପରେ ୮ ଫୁଟରୁ ଅଧିକ ବନ୍ୟା ଜଳ ଲହଡ଼ି ମାରୁଛି। ଅନେକ ଘରେ ବନ୍ୟା ଜଳ ପଶିଯିବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରିବା ମଧ୍ୟ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ଟିମ୍ କ୍ଲିନ୍ ସିଟି ଓ ବ୍ରହ୍ମପୁର ମହାନଗର ନିଗମର ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସହାୟତା ଯୋଗାଉଛନ୍ତି। ପ୍ରଭାବିତ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି।ସେହିପରି କବିସୂର୍ଯ୍ୟନଗର ସହରର ୭ ନମ୍ବର ୱାର୍ଡ କାଳୀ ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ବର୍ଷା ଜଳ ପଶିଯାଇଛି। ଘର ଭିତରେ ପାଣି ଲହରୀ ମାରୁଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି।ଘଟଣା ସମ୍ପର୍କରେ ଖବର ପାଇ କବିସୂର୍ଯ୍ୟନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ମୋଟର ସାହାଯ୍ୟରେ ଘର ଭିତରୁ ବର୍ଷା ଜଳ ନିଷ୍କାସନ କରାଯାଉଛି। ବର୍ଷା ଓ ଜଳବନ୍ଦୀ ସ୍ଥିତି ଯୋଗୁଁ ଉଭୟ ସହରରେ ଜନଜୀବନ ପ୍ରଭାବିତ ହୋଇଛି।
