Jewellery Shop Robbery:ଜୁଏଲାରୀ ଦୋକାନରୁ କୋଟିଏ ଟଙ୍କାର ଅଳଙ୍କାର ଲୁଟ
ବାତ୍ୟା ଓ ବର୍ଷାର ରାତିରେ ବାଣପୁର ଥାନାଠାରୁ ମାତ୍ର ୫୦ ଫୁଟ ଦୂରରେ ଥିବା ଏକ ଜୁଏଲାରୀ ଦୋକାନରୁ ବଡ଼ ଧରଣର ଲୁଟ ହୋଇଛି। ପଛପଟ କାନ୍ଥ କାଟି ୪୦୦ ଗ୍ରାମ ସୁନା, ୧୫ କିଲୋ ରୁପା ଓ ନଗଦ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ବାଣପୁର: ବାତ୍ୟା, ବର୍ଷା ଓ ପବନକୁ ନେଇ ଲୋକେ ଘରେ ଥିବାବେଳେ ଲୁଟେରାଙ୍କ ଟାର୍ଗେଟରେ ରହିଥିଲା ସୁନା ଦୋକାନ। ବାଣପୁର ଥାନାଠାରୁ ମାତ୍ର ୫୦ ଫୁଟ ଦୂରରେ ଥିବା ନିରଞ୍ଜନ ଜୁଏଲାରୀରୁ ପ୍ରାୟ କୋଟିଏ ଟଙ୍କାର ସୁନା, ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ହୋଇଛି। ଦୁର୍ବୃତ୍ତମାନେ ୪୦୦ ଗ୍ରାମ ସୁନା ଅଳଙ୍କାର, ୧୫ କିଲୋ ରୁପା ଓ ନଗଦ ୫ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୋକାନ ପଛପଟେ ଥିବା ଏକ ଛତୁଆ ଗୋଦାମର କବାଟ ତାଲା ଭାଙ୍ଗି ଲୁଟେରାମାନେ ଭିତରକୁ ପଶିଥିଲେ। ଏହାପରେ ସୁନା ଦୋକାନର ପଛପଟ କାନ୍ଥ କାଟି ଦୋକାନ ଭିତରେ ପ୍ରବେଶ କରିଥିଲେ। ଲୁଟ ପରେ ଗୋଦାମରେ ଲାଗିଥିବା ସିସିଟିଭିର ତାର କାଟିବା ସହ ସୁନା ଦୋକାନର ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି। ଲୁଟର ଏହି ତରିକା ଦେଖି ଏଥିରେ ପେସାଦାର ଲୁଟେରାଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏନେଇ ଦୋକାନ ମାଲିକ ନିରଞ୍ଜନ ପାତ୍ର ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ଥାନାଠାରୁ ଏତେ ନିକଟରେ ଏଭଳି ବଡ଼ ଧରଣର ଲୁଟ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଖବର ପାଇ ବାଣପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଲୁଟେରାଙ୍କୁ ଚିହ୍ନଟ କରିବା ସହ ଲୁଟ ସାମଗ୍ରୀ ଉଦ୍ଧାର କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
