SC On Diwali FireCrackers: ଦୀପାବଳିରେ ବାଣ ଫୁଟିବ ନା ସମ୍ପୂର୍ଣ୍ଣ ବ୍ୟାନ୍?
ଦୀପାବଳିରେ କେତେ ସମୟ ବାଣ ଫୁଟିବ, ଧାର୍ଯ୍ୟ କରିବେ ସୁପ୍ରିମକୋର୍ଟ; ବେରିୟମ୍ ଓ ଡେସିବେଲ୍ ସ୍ତର ଯାଞ୍ଚ ପାଇଁ CPCBକୁ ନିର୍ଦ୍ଦେଶ ।
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବାଣ ଫୁଟାଇବାକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରିବା ପକ୍ଷରେ କୋର୍ଟ ନଥିବା ବେଳେ ୨୪ ଘଣ୍ଟା ଧରି ଅନିୟନ୍ତ୍ରିତ ଭାବେ ବାଣ ଫୁଟାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦ୍ରେଶ ଓ ଜଷ୍ଟିସ୍ ପି.ବି. ଭାରାଲେଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। କୋର୍ଟଙ୍କ ମତରେ, ସମ୍ପୂର୍ଣ୍ଣ ବାଣ ନିଷେଧ ହେଲେ ଦୀପାବଳି ପାଳନ କରୁଥିବା ଲୋକଙ୍କ ଭାବନା ପ୍ରଭାବିତ ହୋଇପାରେ। ଅନ୍ୟପଟେ ଦିନସାରା ବାଣ ଫୁଟିଲେ ବୃଦ୍ଧ, ଅସୁସ୍ଥ ଓ ଛୋଟ ପିଲାଙ୍କ ସମେତ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ। ବାଣ ବ୍ୟବହାରକୁ ନେଇ ଏକ ସନ୍ତୁଳିତ ସମାଧାନ ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିପାଇଁ ବାଣ ଫୁଟାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବା ସହ କେଉଁ ପ୍ରକାରର ବାଣ ବ୍ୟବହାରକୁ ଅନୁମତି ମିଳିବ, ସେନେଇ ସମାଧାନ ବାହାର କରାଯିବ ବୋଲି କୋର୍ଟ କହିଛନ୍ତି ।
ଏହାସହ ଶୁଣାଣି ସମୟରେ ବାରିୟମ୍ ଭିତ୍ତିକ ଫାୟାରକ୍ରାକର୍ ବ୍ୟବହାର ପ୍ରସଙ୍ଗରେ ବେରିୟମ୍ର ପରିମାଣ ଏବଂ ଏହାର ଶବ୍ଦସ୍ତର ବା ଡେସିବେଲ୍ ସ୍ତର ଯାଞ୍ଚ ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଓ କେନ୍ଦ୍ର ସରକାରଙ୍କୁ ମିଳିତ ଭାବେ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ରେ ହେବ ।
