Supreme Court : ଚାଲାଣ ବକେୟା ଥିଲେ ଗାଡ଼ି ଜବତ! ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
ପେଣ୍ଡିଂ ଇ-ଚାଲାଣ ଥିବା ଯାନବାହନ ଜବତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ, ଚାଲାଣ ପରିଶୋଧ ନକଲେ ଅନଲାଇନ୍ ଯାନ ସେବା, ମାଲିକାନା ହସ୍ତାନ୍ତର ଓ ଫିଟନେସ୍ ସାର୍ଟିଫିକେଟ୍ ଭଳି ସୁବିଧା ବନ୍ଦ ହୋଇପାରେ |

ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାଶିତ ପ୍ରଦେଶକୁ ଟ୍ରାଫିକର ବକେୟା ଜୋରିମାନା ଆଦାୟ ପାଇଁ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦେଇଛି | ଏହି ପଦକ୍ଷେପଗୁଡିକରେ ରେଡିମ ଚେକିଙ୍ଗ ସମୟରେ ଅର୍ଥରାଶି ଦେଇନଥିବା ଇ-ଚାଲାନ ଯାନବାହନଗୁଡ଼ିକୁ ଜବତ କରିବା କହିଛନ୍ତି | ଏହା ସହିତ ବକେୟା ଅର୍ଥରାଶି ପରିଶୋଧ ହେବା ପର୍ଯ୍ୟନ୍ତ ,ଯାନବାହନ ସମ୍ବନ୍ଧୀୟ ଅନଲାଇନ୍ ସେବାଗୁଡ଼ିକୁ ବନ୍ଦ କରିବା କୁହାଯାଇଛି | କୋର୍ଟ କହିଛନ୍ତି ଯେ କେବଳ ହଜାର ହଜାର ଇ-ଚାଲାନ ଜାରି କରିବାରେ କୌଣସି ବିଶେଷ ଲାଭ ହେବ ନାହିଁ, ଯେପର୍ଯ୍ୟନ୍ତ ଅଧିକାରୀମାନେ ଜୋରିମାନା ଆଦାୟ ସୁନିଶ୍ଚିତ ନକରନ୍ତି | କୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ ଦେଶବ୍ୟାପୀ ଜାରି ହୋଇଥିବା ଇ-ଚାଲାନଗୁଡ଼ିକ ଅଧୀନରେ ପ୍ରାୟ ୪୯,୧୯୪.୦୫ କୋଟି ଟଙ୍କାର ରାଶି ଆଦାୟ ହେବା ବାକି ଥିଲା, ଯାହା ମଧ୍ୟରୁ ୨୬,୧୭୫.୦୫ କୋଟି ଟଙ୍କା ଆଦାୟ କରାଯାଇଛି | ସଡ଼କ ସୁରକ୍ଷା ସମ୍ବନ୍ଧୀୟ 'ଏସ୍. ରାଜାଶେଖରନ୍ ବନାମ ଭାରତ ସରକାର' ମାମଲାରେ ସେପ୍ଟେମ୍ବର ୨୮ ତାରିଖରେ ଏହି ନିର୍ଦ୍ଦେଶଗୁଡ଼ିକ ଜାରି କରାଯାଇଥିଲା; ସୁପ୍ରିମକୋର୍ଟ ୨୦୧୨ ମସିହାରୁ ଏହି ମାମଲାର ତଦାରଖ କରୁଛନ୍ତି | କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ,ଯାନବାହନଗୁଡ଼ିକର ରାଣ୍ଡମ୍ ଯାଞ୍ଚ କରାଯାଉ ଏବଂ ଯଦି କୌଣସି ଯାନବାହନ ବିରୋଧରେ ଜାରି ହୋଇଥିବା ଇ-ଚାଲାନର ଦେୟ ପରିଶୋଧ ହୋଇନଥିବା ଜଣାପଡ଼େ, ତେବେ ସେହି ଯାନବାହନକୁ ଜବତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ | ଯାନବାହନକୁ ଜବତ କରିବା ସହ , କୋର୍ଟ ସମସ୍ତ ରାଜ୍ୟକୁ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଦେୟ ପରିଶୋଧ ଦେଉନଥିବା ବକେୟା ରାଶି ଆଦାୟ ପାଇଁ କଠୋର ପଦକ୍ଷେପ ନେବାକୁ କହିଛନ୍ତି | ଏଥିରେ ଯାନବାହାନ ଜଡିତ ଅନଲାଇନ୍ ସେବାକୁ ବନ୍ଦ କରିବା ,ମାଲିକାନା ହକ୍ ଟ୍ରାନ୍ସଫର୍ କୁ ବନ୍ଦ କରିବା , ଫିଟନେସ୍ ଓ PCU ସାର୍ଟିଫିକେଟ୍ ଦେବାକୁ ମନା କରିବା ଓ 'ପରିବହନ ପୋର୍ଟଲ'ରେ ତାଙ୍କୁ ବ୍ଲାକଲିଷ୍ଟରେ ପକାଇବା ଏଥିରେ ସାମିଲ ଅଛି ଵୋଲି କହିଛନ୍ତି | ବଢ଼ୁଥିବା ପେଣ୍ଡିଂ ଇ-ଚାଲାଣକୁ ଦୃଷ୍ଟିରେ ରଖି ବର୍ତ୍ତମାନର ବ୍ୟବସ୍ଥା ଯଥେଷ୍ଟ ନୁହେଁ ବୋଲି ମତ ଦେଇଛନ୍ତି କୋର୍ଟ | ସାଧାରଣତଃ ଜୋରିମାନ ଆଦାୟ ପାଇଁ ଇ-ଚାଲାଣଗୁଡ଼ିକୁ ସମ୍ପୃକ୍ତ ଅଧିକାରକ୍ଷେତ୍ରର କୋର୍ଟକୁ ପଠାଯାଉଥିବା ବେଳେ, ବର୍ତ୍ତମାନ ବଢ଼ୁଥିବା ଚାଲାଣ ସଂଖ୍ୟା ଏହି ପ୍ରକ୍ରିୟା ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି | ଏହି ପରିସ୍ଥିତିରେ ପେଣ୍ଡିଂ ଚାଲାଣର ଶୀଘ୍ର ନିଷ୍ପତ୍ତି ପାଇଁ ନୂଆ ବ୍ୟବସ୍ଥା ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଏଥିସହ କୋର୍ଟ ଅଧିକାରୀମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ବାରମ୍ବାର ଦିଆଯାଉଥିବା ନିର୍ଦ୍ଦେଶକୁ ଯଦି ଭୂମିସ୍ତରରେ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରାନଯାଏ, ତେବେ ଏହାର କୌଣସି ବିଶେଷ ପ୍ରଭାବ ଦେଖିବାକୁ ମିଳିବ ନାହିଁ |
