One Day Parole: ଦିନକ ପାଇଁ ସାଂସଦଙ୍କୁ ପାରୋଲ
ପରିବାର ପକ୍ଷରୁ ନଭେମ୍ୱର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ପାରୋଲ୍ ମଗାଯାଇଥିଲା। କିନ୍ତୁ କୋର୍ଟ କେବଳ ଗୋଟିଏ ଦିନର ଅନୁମତି ଦେଇଛନ୍ତି। କେବଳ ଅମୃତପାଲ ନୁହନ୍ତି, ତାଙ୍କ ପରିବାରର ଅନ୍ୟ ଦୁଇଜଣଙ୍କ ପାଇଁ ମଧ୍ୟ ପାରୋଲ୍ ମଞ୍ଜୁର ହୋଇଛି।

ଦିନେ ପାଇଁ ପାରୋଲ ଅନୁମତି ପାଇଲେ ସାଂସଦ ଅମ୍ରିତପାଲ ସିଂ। କାଲି ଜେଜେମାଆଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହେବାକୁ ଅମୃତସର ଅଦାଲତ ଦେଲେ ଅନୁମତି। ତାଙ୍କ ଦାଦା ହରଜିତଙ୍କୁ ତିନି ଦିନିଆ ଓ ସୁଖମାନଙ୍କୁ ମିଳିଲା ଦୁଇ ଦିନିଆ ପାରୋଲ। ଅଜନାଲା ଥାନା ଆକ୍ରମଣ ଘଟଣାରେ ଏପ୍ରିଲ ୨୦୨୩ରୁ ଆସାମର ଦିବ୍ରୁଗଡ଼ ଜେଲରେ ଅଛନ୍ତି ଅମ୍ରିତପାଲ୍। ୩ ବର୍ଷରେ ପ୍ରଥମ ଥର ବାହାରିବେ ଜେଲରୁ। କାଲି ଦିବ୍ରୁଗଡ଼ ଜେଲରୁ ବାହାରିବେ ଓ ଜେଜେମାଆ ଚରଣ କୌରଙ୍କ ଅନ୍ତିମସଂସ୍କାରରେ ସାମିଲ ହେବେ। ଖାଦୁର ସାହିବର ସାଂସଦ ତଥା ୱାରିସ ପଞ୍ଜାବ ଦେ ସଂଗଠନର ପ୍ରମୁଖ ଅମ୍ରିତପାଲ୍ ସିଂ। ଜେଜେ ମାଆ ଚରଣ କୌରଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ଅମୃତପାଲଙ୍କୁ ଅମୃତସର ଜିଲ୍ଲା ଓ ସେସନ୍ସ କୋର୍ଟ ଗୋଟିଏ ଦିନର ଅନ୍ତରୀଣ ପାରୋଲ୍ ମଞ୍ଜୁର କରିଛନ୍ତି।
କାହିଁକି ମାଗିଥିଲେ ପାରୋଲ୍?
ଅମୃତପାଲ ସିଂହଙ୍କ ଜେଜେମାଆ ମାତା ଚରଣ କୌରଙ୍କର ଦୀର୍ଘଦିନ ଧରି ଅସୁସ୍ଥତା ପରେ ନଭେମ୍ୱର ୮ ତାରିଖରେ ମୃତ୍ୟୁ ହୋଇଥିଲା। ଅମୃତପାଲଙ୍କ ପରିବାର ତାଙ୍କୁ ଶେଷଥର ପାଇଁ ଦେଖିବା ଏବଂ ଶେଷକୃତ୍ୟରେ ଯୋଗଦେବା ପାଇଁ ଜେଲ୍ରୁ ଅସ୍ଥାୟୀ ମୁକ୍ତି ଦାବି କରିଥିଲେ। ପରିବାର ପକ୍ଷରୁ କୁହାଯାଇଥିଲା ଯେ ଅମୃତପାଲ ନ ଆସିବା ଯାଏଁ ଜେଜେମାଆଙ୍କ ଶେଷକୃତ୍ୟ କରାଯିବ ନାହିଁ। ଏଥିପାଇଁ ମୃତଦେହକୁ ପଞ୍ଜାବର ଜଲ୍ଲୁପୁର ଖେଡ଼ା ଗାଁରେ ରଖାଯାଇଥିଲା। ଅମୃତପାଲଙ୍କ ବାପା ତରସେମ ସିଂହ କହିଥିଲେ ଯେ ପୁଅକୁ ତା ଜେଜେମାଆଙ୍କ ଶେଷକୃତ୍ୟରେ ଯୋଗଦେବାର ସୁଯୋଗ ନମିଳିଲେ ପରିବାର ଶବ ସଂସ୍କାର କରିବ ନାହିଁ। ପରିବାରର ଯୁକ୍ତି ଥିଲା ଯେ, ଅମୃତପାଲ ଜଣେ ନିର୍ବାଚିତ ଲୋକସଭା ସାଂସଦ। ତାଙ୍କ ଜେଜେମାଆଙ୍କ ମୃତ୍ୟୁ ଏକ ମାନବୀୟ ଓ ପାରିବାରିକ ପ୍ରସଙ୍ଗ। ଅନ୍ୟ କେତେକ ଜେଲ୍ରେ ଥିବା ବ୍ୟକ୍ତିଙ୍କୁ ପାରୋଲ୍ ମିଳୁଥିବା ବେଳେ ଅମୃତପାଲଙ୍କୁ କାହିଁକି ମିଳିବ ନାହିଁ? ଏହି ପ୍ରସଙ୍ଗରେ ପରିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଚିଠି ଲେଖିଥିଲେ।
କୋର୍ଟରେ କ'ଣ ହୋଇଥିଲା?
ଅମୃତପାଲଙ୍କ ଓକିଲ କରମବୀର ସିଂହ ପନ୍ନୁ ଅମୃତସର ଜିଲ୍ଲା ଓ ସେସନ୍ସ କୋର୍ଟରେ ପାରୋଲ୍ ପାଇଁ ଆବେଦନ କରିଥିଲେ। ପ୍ରଥମେ ନଭେମ୍ୱର ୧୨ରେ ଶୁଣାଣି ସମୟରେ କୋର୍ଟ ପଞ୍ଜାବ ସରକାରଙ୍କଠାରୁ ଜବାବ ମାଗିଥିଲେ। ନଭେମ୍ୱର ୧୩ରେ ପୁଣି ଶୁଣାଣି ହୋଇଥିଲା। ଶେଷରେ କୋର୍ଟ ଗୋଟିଏ ଦିନର ଅନ୍ତରୀଣ ଜାମିନ୍ ମଞ୍ଜୁର କରିଥିଲେ। ପରିବାର ପକ୍ଷରୁ ନଭେମ୍ୱର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ପାରୋଲ୍ ମଗାଯାଇଥିଲା। କିନ୍ତୁ କୋର୍ଟ କେବଳ ଗୋଟିଏ ଦିନର ଅନୁମତି ଦେଇଛନ୍ତି। କେବଳ ଅମୃତପାଲ ନୁହନ୍ତି, ତାଙ୍କ ପରିବାରର ଅନ୍ୟ ଦୁଇଜଣଙ୍କ ପାଇଁ ମଧ୍ୟ ପାରୋଲ୍ ମଞ୍ଜୁର ହୋଇଛି। ତାଙ୍କ ଦାଦା ହରଜିତ ସିଂହଙ୍କୁ ୩ ଦିନର ପାରୋଲ୍ ମିଳିଥିବା ବେଳେ ସମ୍ପର୍କୀୟ ସୁଖମନ ସିଂହଙ୍କୁ ୨ ଦିନର ପାରୋଲ୍ ମିଳିଛି।
କାହିଁକି ଜେଲ୍ରେ ଅଛନ୍ତି ଅମୃତପାଲ୍?
ଅମୃତପାଲ ସିଂହ ପଞ୍ଜାବର ଜଣେ ଚର୍ଚ୍ଚିତ ଧାର୍ମିକ ଓ ରାଜନୈତିକ ନେତା। ୨୦୨୨ରେ ଦୁବାଇରୁ ଭାରତ ଫେରିଥିଲେ।'ୱାରିସ୍ ପଞ୍ଜାବ ଦେ' ସଂଗଠନର ନେତୃତ୍ୱ ନେଇଥିଲେ। ୨୦୨୩ ଫେବୃଆରୀରେ ଅଜନାଲା ପୋଲିସ ଷ୍ଟେସନ୍ ଉପରେ ଆକ୍ରମଣ ଓ ହିଂସା ଘଟଣାରେ ତାଙ୍କ ନାମ ଆସିଥିଲା।୨୦୨୩ ଏପ୍ରିଲ୍ ୨୩ରେ ମୋଗା ଜିଲ୍ଲାର ରୋଡେ ଗାଁରୁ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ National Security Act (NSA) ଅନୁସାରେ ଅଟକ ରଖାଯାଇଥିଲା। ୨୦୨୪ ଲୋକସଭା ନିର୍ବାଚନରେ ଜେଲ୍ରେ ଥାଇ ମଧ୍ୟ ଅମୃତପାଲ ସିଂହ ସ୍ୱାଧୀନ ପ୍ରାର୍ଥୀ ଭାବେ ଖାଦୁର ସାହିବ ଆସନରୁ ନିର୍ବାଚନ ଲଢ଼ିଥିଲେ। ସେ ପ୍ରାୟ ୪.୦୪ ଲକ୍ଷ ଭୋଟ୍ ପାଇ ବିଜୟୀ ହୋଇଥିଲେ। ତାଙ୍କ ବିଜୟ ଦେଶର ରାଜନୀତିରେ ବିଶେଷ ଚର୍ଚ୍ଚା ସୃଷ୍ଟି କରିଥିଲା।କିନ୍ତୁ ଜେଲ୍ରେ ରହିଥିବାରୁ ସେ ସାଂସଦ ଭାବେ ସଂସଦର କାର୍ଯ୍ୟକଳାପରେ ସାଧାରଣ ଭାବେ ଯୋଗଦେଇ ପାରିନଥିଲେ।
NSA ଅବଧି ସରିବା ପରେ ମଧ୍ୟ କାହିଁକି ଜେଲ୍ରେ?
ଅମୃତପାଲଙ୍କ NSA ଅଟକ ଅବଧି ୨୦୨୬ ଏପ୍ରିଲ୍ରେ ଶେଷ ହେବା ପରେ ପଞ୍ଜାବ ପୋଲିସ ତାଙ୍କୁ ଅଜନାଲା ମାମଲାରେ ପୁଣି ଗିରଫ କରିଥିଲା। ସେହି ମାମଲା ଓ ସୁରକ୍ଷା ସମ୍ପର୍କିତ କାରଣରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶ ଅନୁସାରେ ତାଙ୍କୁ ଆସାମର ଡିବ୍ରୁଗଡ଼ ଜେଲ୍ରେ ରଖାଯାଇଛି। ଅମୃତପାଲଙ୍କ ପାରୋଲ୍କୁ ନେଇ ପଞ୍ଜାବରେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ୱାରିସ୍ ପଞ୍ଜାବ ଦେ ସଂଗଠନ ଓ କିଛି ଅକାଳୀ ଦଳ ନେତା ମାନବୀୟ ଦୃଷ୍ଟିକୋଣରୁ ତାଙ୍କୁ ପାରୋଲ୍ ଦେବାକୁ ଦାବି କରିଥିଲେ।ଅନ୍ୟପଟେ ପ୍ରଶାସନ ପାଇଁ ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ଏକ ବଡ଼ ପ୍ରସଙ୍ଗ ରହିଛି।
