Sushant Nath HC Hearing:ଘୁଞ୍ଚିଲା IPS ସୁଶାନ୍ତ ନାଥଙ୍କ ଶୁଣାଣି
ଚୌଦ୍ୱାର ଜେଲର ପୂର୍ବତନ ମହିଳା ଜେଲରଙ୍କ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଗିରଫଦାରୀରୁ ସୁରକ୍ଷା ଲୋଡ଼ିଛନ୍ତି ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥ। ତାଙ୍କ ଆବେଦନର ଶୁଣାଣିକୁ ହାଇକୋର୍ଟ ଆସନ୍ତା ୬ ତାରିଖକୁ ଘୁଞ୍ଚାଇଛନ୍ତି।
ଚୌଦ୍ୱାର:ପୂର୍ବତନ ଜେଲ୍ ଡିଜି ତଥା ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କ ଅନ୍ତରୀଣ ସୁରକ୍ଷା ଆବେଦନର ଶୁଣାଣି ଘୁଞ୍ଚାଇଛନ୍ତି ହାଇକୋର୍ଟ। ଆସନ୍ତା ୬ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି। ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିବା ସହ ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ଓ ଜାମିନ ପ୍ରଦାନ ପାଇଁ ସୁଶାନ୍ତ ନାଥ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କଟକ ଚୌଦ୍ୱାର ଜେଲର ଜଣେ ପୂର୍ବତନ ମହିଳା ଜେଲର ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ମାମଲାରେ ସୁଶାନ୍ତ ନାଥ ଏହି ଆବେଦନ କରିଛନ୍ତି। ଅଭିଯୋଗ ଆଧାରରେ ରୁଜୁ ମାମଲାରେ ଗିରଫଦାରୀ ଆଶଙ୍କା କରି ସେ ଆଇନଗତ ସୁରକ୍ଷା ଲୋଡ଼ିଛନ୍ତି। ଏଥିସହ ତାଙ୍କ ବିରୋଧରେ ରୁଜୁ ମୂଳ ମାମଲାକୁ ରଦ୍ଦ କରିବାକୁ ମଧ୍ୟ ଆବେଦନରେ ଉଲ୍ଲେଖ କରିଛନ୍ତି।ଆବେଦନ ଉପରେ ପ୍ରାଥମିକ ଶୁଣାଣି କରିବା ପରେ ହାଇକୋର୍ଟ ପରବର୍ତ୍ତୀ ଶୁଣାଣିକୁ ନଭେମ୍ବର ୬ ତାରିଖକୁ ଘୁଞ୍ଚାଇଛନ୍ତି। ତେଣୁ ଏହି ଦିନ ଅଦାଲତଙ୍କ ପରବର୍ତ୍ତୀ ଶୁଣାଣି ଉପରେ ମାମଲାର ଆଗାମୀ ଆଇନଗତ ସ୍ଥିତି ନିର୍ଭର କରିବ।
