SC Issues Contempt Notice:କେରଳ କଂଗ୍ରେସକୁ ଅଦାଲତ ଅବମାନନା ନୋଟିସ
କ୍ଷମା ହୃଦୟରୁ ମାଗିଥିଲ ନା କେବଳ କାଗଜରେ। ଏଭଳି କହି ସିଜେଆଇଙ୍କ ବିରୁଦ୍ଧରେ ଟିପ୍ପଣୀ କରିଥିବା କେରଳମ କଂଗ୍ରେସକୁ ଜବାବ ମାଗିଲେ ସୁପ୍ରିମକୋର୍ଟ। ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆ ପୋଷ୍ଟ ଉପରେ କେରଳ ପିସିସିର ପଦାଧିକାରୀଙ୍କୁ ଅଦାଲତ ଅବମାନନା ନୋଟିସ ଜାରି।

କ୍ଷମା ହୃଦୟରୁ ମାଗିଥିଲ ନା କେବଳ କାଗଜରେ। ଏଭଳି କହି ସିଜେଆଇଙ୍କ ବିରୁଦ୍ଧରେ ଟିପ୍ପଣୀ କରିଥିବା କେରଳମ କଂଗ୍ରେସକୁ ଜବାବ ମାଗିଲେ ସୁପ୍ରିମକୋର୍ଟ। ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆ ପୋଷ୍ଟ ଉପରେ କେରଳ ପିସିସିର ପଦାଧିକାରୀଙ୍କୁ ଅଦାଲତ ଅବମାନନା ନୋଟିସ ଜାରି। ଏଭଳି ନିଶାନା କରିଥିବା ପଦାଧିକାରୀଙ୍କ ବିରୁଦ୍ଧରେ କାହିଁକି ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ହେବନି ବୋଲି ପଚାରିଲେ। ଏହା ସହ ନ୍ୟାୟପାଳିକାର ସ୍ୱତନ୍ତ୍ରତା ଓ ସମ୍ୱିଧାନର ସର୍ବୋଚ୍ଚତାକୁ ଜୋର୍ ଦେଲେ ଅଦାଲତ। ସିଜେଆଇଙ୍କ ବିରୁଦ୍ଧରେ ବିବାଦୀୟ ପୋଷ୍ଟକୁ ନେଇ ଭର୍ତ୍ସନା କଲେ ସୁପ୍ରିମକୋର୍ଟ। ଓକିଲ ବିନୀତ ଜିନ୍ଦଲଙ୍କ ଦ୍ୱାରା ଦାଏର ଏକ ରିଟ୍ ପିଟିସନ ଉପରେ ଶୁଣାଣୀ କରିଥିଲେ ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ବିପୁଲ ଏମ.ପଞ୍ଚୋଲିଙ୍କ ଖଣ୍ଡପୀଠ। କେରଳ କଂଗ୍ରେସର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ସିଜେଆଇଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ଉପରେ ଅଦାଲତ ନିଜ ଆଡ଼ୁ ସଂଜ୍ଞାନ ନେଇ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ ବିନୀତ। ଶୁଣାଣୀ ବେଳେ କେରଳ କଂଗ୍ରେସ କମିଟିର ଓକିଲ କହିଥିଲେ, ଏଭଳି ପୋଷ୍ଟ ପଦାଧିକାରୀଙ୍କ ବିନା ଅନୁମତିରେ ଅପଲୋଡ କରାଯାଇଥିଲା। ଯାହାକୁ ପରେ ହଟାଇ ଦିଆଯିବା ସହ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରାଯାଇଛି। ତେବେ କେରଳ ପିସିସିର କ୍ଷମା ଉପରେ ଜଷ୍ଟିସ ଅରବିନ୍ଦ କୁମାର ଟିପ୍ପଣୀ କରିଥିଲେ ଯେ, କୋର୍ଟ ଏହାକୁ ଦେଖିବେ ଯେ, ଏହି କ୍ଷମାପ୍ରାର୍ଥନା କଲମରେ ଲେଖାଯାଇଥିଲା ନା ହୃଦୟରୁ। ଏହା ସହ ଖଣ୍ଡପୀଠ ଟିପ୍ପଣୀ କରିଥିଲେ ଯେ, ସମ୍ୱିଧାନ ସର୍ବୋଚ୍ଚ ଅଟେ। କୌଣସି ବ୍ୟକ୍ତି ବା ରାଜନୈତିକ ସଂଗଠନ ଏହା ଉପରେ ନୁହେଁ। ନ୍ୟାୟପାଳିକାର ସ୍ୱତନ୍ତ୍ରତା କୌଣସି ରାଜନୀତିକ ସୁବିଧାର ମୁଦ୍ଦା ନୁହେଁ। କୋର୍ଟର ଅଧିକାର ରୁଲ୍ସ ଅଫ ଲ ଉପରେ ଚାଲେ। କୌଣସି ରାଜନୈତିକ ସମର୍ଥନରେ ନୁହେଁ। ଏହାକୁ ଦୁର୍ବଳ କରିବାକୁ କୌଣସି ପ୍ରକାର ପ୍ରୟାସକୁ ଅବଦମିତ କରାଯିବା ଦରକାର। ନ୍ୟାୟିକ ସଂଯମତାକୁ କେବେ ବି ସଂସ୍ଥାଗତ ଦୁର୍ବଳତା ବୋଲି ଭାବିବା ଉଚିତ ନୁହେଁ। ଅଦାଲତଙ୍କ ରାୟକୁ ସମାଲୋଚନା କରାଯାଇପାରିବ। କିନ୍ତୁ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନ୍ୟାୟପାଳିକାକୁ ଭୟଭୀତ କରିବାର ଅସ୍ତ୍ର କରାଯାଇପାରିବ ନାହିଁ।
କ'ଣ ଥିଲା ବିବାଦୀୟ X ପୋଷ୍ଟ?
ଅକ୍ଟୋବର ୧୨ ତାରିଖରେ କେରଳ କଂଗ୍ରେସର ଅଫିସିଆଲ୍ X ଆକାଉଣ୍ଟରେ CJI ସୂର୍ଯ୍ୟକାନ୍ତଙ୍କୁ ଉଦ୍ଦେଶ୍ୟ କରି ଏକ ପୋଷ୍ଟ କରାଯାଇଥିଲା।
ସେଥିରେ ଲେଖାଥିଲା:
“Dear Surya Kant, If law and order is not your domain, resign now. We will find your replacement who can handle it.”
ଏହାର ଅର୍ଥ ହେଉଛି, ଯଦି ଆଇନଶୃଙ୍ଖଳା ଆପଣଙ୍କ କାର୍ଯ୍ୟକ୍ଷେତ୍ର ନୁହେଁ, ତେବେ ଇସ୍ତଫା ଦିଅନ୍ତୁ। ଆମେ ଆପଣଙ୍କ ବଦଳରେ ଅନ୍ୟ ଜଣଙ୍କୁ ଖୋଜିନେବୁ, ଯିଏ ଏହାକୁ ସମ୍ଭାଳିପାରିବେ। ଏହି ପୋଷ୍ଟ ପ୍ରକାଶ ପାଇବା ପରେ ଦେଶବ୍ୟାପୀ ରାଜନୈତିକ ଓ ଆଇନଗତ ବିବାଦ ସୃଷ୍ଟି ହୋଇଥିଲା। ପରେ ଏହାକୁ ଡିଲିଟ୍ କରିଦିଆଯାଇଥିଲା।
କେଉଁ ପରିସ୍ଥିତିରେ ଏହି ପୋଷ୍ଟ କରାଯାଇଥିଲା?
ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ପରିସରରେ INDIA ମେଣ୍ଟର ନେତା ଓ ଅନ୍ୟ ବିରୋଧୀ ଦଳର ନେତାମାନେ ଏକ ପ୍ରତିବାଦ କରିଥିଲେ।
ଏହି ପ୍ରତିବାଦର ମୁଖ୍ୟ ପ୍ରସଙ୍ଗ ଥିଲା:
ଦିଲ୍ଲୀ ପୋଲିସର କାର୍ଯ୍ୟକଳାପକୁ ନେଇ ଅଭିଯୋଗ।
Special Intensive Revision (SIR) ଅର୍ଥାତ୍ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନକୁ ନେଇ ବିରୋଧ।
ନିର୍ବାଚନ ଆୟୋଗଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ।
ଏହି ପ୍ରତିବାଦ ସମୟରେ CJIଙ୍କୁ ନେଇ କେରଳ କଂଗ୍ରେସର X ପୋଷ୍ଟ ସାମ୍ନାକୁ ଆସିଥିଲା। ଫଳରେ ରାଜନୈତିକ ପ୍ରତିବାଦ ଓ ନ୍ୟାୟପାଳିକାର ସ୍ୱାଧୀନତାକୁ ନେଇ ବିବାଦ ଆହୁରି ବଢ଼ିଥିଲା।
କିଏ କରିଥିଲେ ଏହି ପୋଷ୍ଟ?
ଏହି ବିବାଦରେ କେରଳ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ସନ୍ନି ଜୋସେଫଙ୍କ ନାମ ସାମ୍ନାକୁ ଆସିଥିଲା।ତାଙ୍କ କହିବା ଅନୁସାରେ, ଏହି ପୋଷ୍ଟ ଦଳର ମିଡିଆ ସେଲ୍ରେ କାର୍ଯ୍ୟରତ ବିଜୟ ଥୋଟ୍ଟାଥିଲଙ୍କ ଦ୍ୱାରା କରାଯାଇଥିଲା।ଏହା ଦଳର ଶୀର୍ଷ ନେତୃତ୍ୱଙ୍କ ଅନୁମତି ବିନା ପୋଷ୍ଟ ହୋଇଥିଲା। ଦଳର ଅଧିକାରିକ ନୀତି କିମ୍ୱା ମତ ଏହା ନଥିଲା। ପୋଷ୍ଟ ପାଇଁ ଦାୟୀ ବ୍ୟକ୍ତିଙ୍କୁ ଦଳୀୟ ଦାୟିତ୍ୱରୁ ହଟାଯାଇଥିଲା।ଅର୍ଥାତ୍ କଂଗ୍ରେସ ନେତୃତ୍ୱ ଏହି ପୋଷ୍ଟଠାରୁ ନିଜକୁ ଦୂରେଇ ରଖିଥିଲା।
କଂଗ୍ରେସ କ୍ଷମା ମାଗିବା ପରେ ମଧ୍ୟ କାହିଁକି ନୋଟିସ୍?
ଅକ୍ଟୋବର ୨୨ ତାରିଖରେ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ର ଯୁଗ୍ମ ସଚିବ ମିନେଶ ଦୁବେ କେରଳ କଂଗ୍ରେସକୁ ଏକ ଆଇନଗତ ନୋଟିସ୍ ପଠାଇଥିଲେ।ଏହାର ଉତ୍ତରରେ ଅକ୍ଟୋବର ୨୭ରେ KPCC ସଭାପତି ସନ୍ନି ଜୋସେଫ CJIଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ।କିନ୍ତୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ହେଉଛି, କେବଳ କ୍ଷମା ମାଗିଦେଲେ ମାମଲା ଶେଷ ହୋଇଯିବ କି? ଶୁଣାଣି ସମୟରେ ଜଷ୍ଟିସ୍ ଅରବିନ୍ଦ କୁମାର କହିଥିଲେ ଯେ କ୍ଷମା ପ୍ରାର୍ଥନା କେବଳ କଲମରୁ ଆସିଛି ନା ହୃଦୟରୁ ଆସିଛି, ତାହା ମଧ୍ୟ ଯାଞ୍ଚ କରାଯିବ। କୋର୍ଟ କେବଳ KPCC ସଭାପତିଙ୍କୁ ନୁହେଁ, ସମସ୍ତ ପଦାଧିକାରୀଙ୍କୁ ନୋଟିସ୍ ଦେଇଛନ୍ତି। ଅଦାଲତ ଅବମାନନା ଆଇନ କ'ଣ କହୁଛି?
ଭାରତରେ ଅଦାଲତ ଅବମାନନା ପାଇଁ Contempt of Courts Act, 1971 ରହିଛି। ଏହା ଦୁଇ ପ୍ରକାରର।
Civil Contempt
ଅଦାଲତଙ୍କ ଆଦେଶକୁ ଜାଣିଶୁଣି ଅବମାନନା କରିବା
Criminal Contempt
ଅଦାଲତର କ୍ଷମତାକୁ ଅପମାନିତ କରିବା, ନ୍ୟାୟିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା କିମ୍ବା ନ୍ୟାୟ ପ୍ରଶାସନକୁ ପ୍ରଭାବିତ କରିବା
ସମ୍ବିଧାନର ଅନୁଚ୍ଛେଦ ୧୨୯: ସୁପ୍ରିମକୋର୍ଟ ନିଜର ଅବମାନନା ପାଇଁ ଦଣ୍ଡ ଦେବାର କ୍ଷମତା ରଖିଛନ୍ତି।
ଏହି ମାମଲାରେ ପୋଷ୍ଟଟି Criminal Contempt ଅଧୀନରେ ଆସୁଛି କି ନାହିଁ, ତାହା କୋର୍ଟ ଯାଞ୍ଚ କରିବେ। ଏହି ଆଇନ ଅନୁସାରେ ଅଦାଲତ ଅବମାନନା ପ୍ରମାଣିତ ହେଲେ ସର୍ବାଧିକ ୬ ମାସ ଜେଲ୍ କିମ୍ୱା ୨,୦୦୦ ଟଙ୍କା ଜରିମାନା ନଚେତ୍ ଉଭୟ ହୋଇପାରେ।
ଏହି ମାମଲା ଭାରତୀୟ ଗଣତନ୍ତ୍ରର ଦୁଇଟି ମୌଳିକ ଅଧିକାର ଓ ଅନୁଷ୍ଠାନର ଭୂମିକାକୁ ନେଇ ଏକ ଚର୍ଚ୍ଚା ସୃଷ୍ଟି କରିଛି। ପ୍ରଥମ – ଅଭିବ୍ୟକ୍ତିର ସ୍ୱାଧୀନତା: ସମ୍ବିଧାନର ଅନୁଚ୍ଛେଦ ୧୯(୧)(କ) ଅନୁସାରେ ନାଗରିକଙ୍କୁ ମତ ପ୍ରକାଶର ଅଧିକାର ମିଳିଛି। ଅଦାଲତଙ୍କ ରାୟକୁ ମଧ୍ୟ ସମାଲୋଚନା କରାଯାଇପାରିବ। ଦ୍ୱିତୀୟ – ନ୍ୟାୟପାଳିକାର ସ୍ୱାଧୀନତା: କୌଣସି ରାଜନୈତିକ ଚାପ କିମ୍ବା ଧମକ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବା ଉଚିତ ନୁହେଁ। ଏହି ଦୁଇଟି ମଧ୍ୟରେ ଆଇନଗତ ସୀମା କେଉଁଠି ରହିଛି, ସୁପ୍ରିମକୋର୍ଟଙ୍କ ଏହି ମାମଲାର ଶୁଣାଣିରେ ତାହା ଗୁରୁତ୍ୱ ପାଇବ।
