Scrub Typhus: ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ନେଇ ଚିନ୍ତା: ମନ୍ତ୍ରୀ କହିଲେ- ରିପୋର୍ଟ ପରେ ସ୍ପଷ୍ଟ ହେବ ସ୍ଥିତି
ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଆଶଙ୍କାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତତ୍ପର । ELISA ଓ କନଫର୍ମେଟୋରି ଟେଷ୍ଟ ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସେପଟେ ରାୟଗଡ଼ାରେ ଡାୟାରିଆ ନେଇ ମନିଟରିଂ ବଢ଼ାଯାଇଛି ।

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ସମ୍ପର୍କିତ ଘଟଣାକୁ ନେଇ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଘଟଣାକୁ ନେଇ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ନିୟୋଜିତ ହୋଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରାଯାଉଛି। ତେବେ ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ କୌଣସି ରୋଗକୁ ନେଇ ନିଶ୍ଚିତ ହେବା ଠିକ୍ ନୁହେଁ ବୋଲି ସ୍ପଷ୍ଟ କରିଛି ବିଭାଗ। ELISA ଏବଂ କନଫର୍ମେଟୋରି ଟେଷ୍ଟ ପରେ ହିଁ ଚୂଡ଼ାନ୍ତ ତଥ୍ୟ ସାମ୍ନାକୁ ଆସିବ। ଟେଷ୍ଟ ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ସୁନ୍ଦରଗଡ଼ ସମେତ ରାୟଗଡ଼ା ଅଞ୍ଚଳରେ ମଧ୍ୟ ସ୍ୱତନ୍ତ୍ର ଟିମ୍ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି। ରୋଗୀଙ୍କ ସ୍ଥିତି, ଲକ୍ଷଣ ଏବଂ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏହାସହ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ସେପଟେ ରାୟଗଡ଼ା ଏବଂ ଏହାର ଆଖପାଖ ଅଞ୍ଚଳରେ ଡାଇରିୟା ସମ୍ପର୍କିତ ଖବର ପରେ ସ୍ୱତନ୍ତ୍ର ଟିମ୍ ଦ୍ୱାରା ମନିଟରିଂ କରାଯାଉଛି। ଡାଇରିୟା ଭଳି ସମସ୍ୟାରେ ଦୂଷିତ ପାଣି ଓ ଖାଦ୍ୟ ଏକ ପ୍ରମୁଖ କାରଣ ହୋଇପାରେ। ତେଣୁ ଶୁଦ୍ଧ ପାନୀୟ ଜଳ ବ୍ୟବହାର ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ଔଷଧ ଏବଂ ଚିକିତ୍ସା ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖାଯାଇଛି। କୌଣସି ଅଞ୍ଚଳରେ ଖାଦ୍ୟଜନିତ ସମସ୍ୟା ନେଇ ସନ୍ଦେହ ହେଲେ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି। ଖାଦ୍ୟର ଗୁଣବତ୍ତା ଯାଞ୍ଚ ସହ ନମୁନା ପରୀକ୍ଷା ଉପରେ ମଧ୍ୟ ନଜର ରହିଛି। ଅର୍ଥାତ୍, ରୋଗର ନିରାକରଣ ସହ ଏହାର ସମ୍ଭାବ୍ୟ କାରଣ ଖୋଜିବା ଦିଗରେ ମଧ୍ୟ ସମାନ ଭାବେ ଫୋକସ୍ କରୁଛି ସ୍ୱାସ୍ଥ୍ୟ ବିଭାଗ।
